Tuesday, April 7, 2026
24.4 C
Odisha

    ଭଦ୍ରକରେ ଜାରି ରହିଛି ପ୍ରବଳ ବର୍ଷା; ଆସନ୍ତାକାଲି ୨୬ରେ ବନ୍ଦ ରହିବ ସମସ୍ତ ସ୍କୁଲ

    ଆଗକୁ ପଢନ୍ତୁ

    ଭଦ୍ରକ: ବାତ୍ୟା ‘ଦାନା’ ‌ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଭଦ୍ରକରେ ଗତ ୨୩ ତାରିଖ ଠାରୁ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି। ବାତ୍ୟା ଗୁରୁବାର-ଶୁକ୍ରବାର ମଧ୍ୟ ରାତ୍ରୀରେ ଲ୍ୟାଣ୍ଡଫଲ କରିବା ପରେ ମଧ୍ୟ ଶୁକ୍ରବାର ଦିନସାରା ପ୍ରବଳ ବର୍ଷା ହୋଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ ଆସନ୍ତାକାଲି (ଶନିବାର) ମଧ୍ୟ ଭଦ୍ରକ ସମେତ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକ ବନ୍ଦ ରହିବ। ଫଳରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିବ। ସ୍କୁଲ ଛୁଟି ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ସୂଚନା ଦେଇଛନ୍ତି।
    ଗତକାଲି ଠାରୁ ଜିଲ୍ଲାରେ ବର୍ଷା ଜାରି ରହିବା ଦ୍ବାରା ଲୋକଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଲୋକେ ଘରୁ ବାହାରିପାରୁ ନାହାନ୍ତି। ଜରୁରୀ କାମ ଥିଲେ ମଧ୍ୟ ବାହାରକୁ ଯିବାର ସମ୍ଭବ ହୋଇପାରୁ ନାହିଁ। ରାସ୍ତାରେ ପଡ଼ି ରହିଥିବା ବିଶାଳ ଗଛଗୁଡ଼ିକ ଲୋକଙ୍କର ଗମନାଗମନକୁ ଅଟକାଇ ରଖିଛି। ଭଦ୍ରକ ସହରରୁ ଚାନ୍ଦବାଲି ରାସ୍ତାର ଏକାଧିକ ସ୍ଥାନରେ ବଡ଼ବଡ଼ ଗଛ ଢଳି ପଡ଼ି ରାସ୍ତା ଅବରୋଧ ହୋଇଛି। ଓଡ୍ରାଫ୍‌ ଓ ଏନଡିଆରଏଫ୍‌ ଟିମ୍‌ ରାସ୍ତା ସଫା କରିବାରେ ନିୟୋଜିତ ଅଛନ୍ତି। କିନ୍ତୁ ପ୍ରବଳ ବର୍ଷା ଓ ପବନ ଯୋଗୁଁ ସେମାନଙ୍କର କାମରେ ବାଧା ସୃଷ୍ଟି ହେଉଛି। ସେହିପରି ଧାମରାକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ମଧ୍ୟ ବିଶାଳକାୟ ଗଛଗୁଡ଼ିକ ଉପୁଡି ପଡ଼ିଥିବାରୁ ସାଧାରଣ ଲୋକଙ୍କର ଗମନାଗମନ ହୋଇପାରି ନାହିଁ। ଆଜି ସନ୍ଧ୍ୟା ହୋଇଯାଇଥିବାରୁ ପୁନରୁଦ୍ଧାର କାର୍ଯ୍ୟ ଆସନ୍ତାକାଲି ଠାରୁ ଆଗକୁ ବଢ଼ିବ।

    ଧାମରା ଓ ଚାନ୍ଦବାଲି ବ୍ଲକର ଅନେକ ଗାଁରେ ଗତକାଲି ଠାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି। ଆଜି କିଛି ସ୍ଥାନରେ ବିଦ୍ୟୁତ ସଂଯୋଗ ଦିଆଯାଇଥିବା ବେଳେ ଆହୁରି ଅନେକ ଗାଁ ଏବେବି ଅନ୍ଧାରରେ ବିତୁଛି। ଫଳରେ ଲୋକଙ୍କ ମନରେ ଚୋରିର ଭୟ ରହୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.4 ° C
    24.4 °
    24.4 °
    67 %
    0.7kmh
    25 %
    Tue
    36 °
    Wed
    38 °
    Thu
    38 °
    Fri
    38 °
    Sat
    37 °

    ସମ୍ବନ୍ଧିତ