Saturday, September 26, 2026
24.6 C
Odisha

    ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ ଉଦଯାପିତ: ୧୫ଟି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ, ଦର୍ଶକ ଉତ୍ସାହିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି। ଶେଷ ଦିନରେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ମାଷ୍ଟର କ୍ଲାସ ପ୍ରମୁଖ ଆକର୍ଷଣ ଥିଲା। ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ‘‘ସାହିତ୍ୟକୁ ନେଇ ଅନେକ ଚଳଚ୍ଚିତ୍ର ତିଆରି ହୋଇଛି। ସାହିତ୍ୟକୁ ନେଇ ଯେତେବେଳେ ସିନେମା ନିର୍ମାଣ କରାଯାଏ ସେତେବେଳେ ସେ ଚଳଚ୍ଚିତ୍ର କାଳଜୟୀ ହୋଇଥାଏ। ତେଣୁ ଫିଲ୍ମ ତିଆରି ବେଳେ କାହାଣୀ ଉପରେ ବିଶେଷ ଗୁରୁତ୍ୱ ଦିଆଗଲେ ସେ ଚଳଚ୍ଚିତ୍ର ବଳିଷ୍ଠ ହୋଇଥାଏ।’’

    ଭୁବନେଶ୍ୱର ଫିଲ୍ମ ସର୍କଲ ବ୍ୟାନରରେ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଆୟୋଜନ କରାଯାଇଥିଲା। ଶେଷ ଦିନରେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏ ଚିତ୍ରନାଟ୍ୟ ରଚନା ଉପରେ ଆବଶ୍ୟକ ପ୍ରଶିକ୍ଷଣ ଓ ପରାମର୍ଶ ଦେଇଥିଲେ। ଏଥିରେ ସିନେମା କାହାଣୀ ଲେଖୁଥିବା ଲେଖକଙ୍କ ସହ କଳାକାର ଓ ଗଣମାଧ୍ୟମର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

    “ଗୋଟିଏ ଫିଲ୍ମ ସଫଳ ହେବାର ଏକ ମୁଖ୍ୟ ଆଧାର ହେଉଛି କାହାଣୀ ଭଲ କାହାଣୀ ସାଧାରଣ ଦର୍ଶକଙ୍କ ମନକୁ ଛୁଇଁଥାଏ। ତେଣୁ ଭଲ କାହାଣୀ ଖୋଜି ତାକୁ ବାସ୍ତବ ରୂପ ଦେଲେ ହିଁ ଦର୍ଶକମାନେ ଫିଲ୍ମ ପ୍ରତି ଆକର୍ଷିତ ଏବଂ ପସନ୍ଦ କରିବେ”, ମାଷ୍ଟର କ୍ଲାସ ଅବସରରେ କହିଛନ୍ତି ଅମିତ ରାଏ।

    ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ର ଶେଷ ଦିନରେ ୫ଟି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ତା’ ଭିତରେ ରହିଥିଲା ‘ଶୂନ୍ୟ ସ୍ୱରୂପ’, ‘ଶଲା ବୁଢ଼ାର ବଦଲା’, ‘ଶେଷ ଦୃଷ୍ଟି’, ‘ମୋକ୍ଷ’ ଏବଂ ‘ମଲାଜହ୍ନ’ ଭଳି ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରଗୁଡ଼ିକୁ ଦେଖିବା ପାଇଁ ଜୟଦେବ ଭବନ ପ୍ରେକ୍ଷାଳୟରେ ଦର୍ଶକମାନଙ୍କର ଭିଡ଼ ଲାଗିଥିଲା।

    ଏହି ତିନିଦିନିଆ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଥିବାରୁ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ର ଆବାହକ ସଞ୍ଜୟ ପଟ୍ଟନାୟକ ସମସ୍ତ ଅତିଥି ଓ ଦର୍ଶକମାନଙ୍କୁ ଧନ୍ୟବାଦ ଦେଇଥିଲେ। ଏଭଳି କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜନ କରିବାକୁ ଉଦ୍ୟମ କରାଯିବ ବୋଲି ସେ କହିଥିଲେ। ଆୟୋଜକମାନଙ୍କ ମଧ୍ୟରେ ସୁକାନ୍ତ ରଥ, ସୁବାସ ସାହୁ, ଅଶୋକ ପାଲିତ ଏବଂ ସଞ୍ଜୟ ମହଲା ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାଲାଇଭ୍‌ କମ୍ୟୁନିକେସନ ପାର୍ଟନର ରହିଥିଲା।

    ତିନିଦିନ ଧରି ଚାଲିଥିବା ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ରେ ବଲିଉଡ୍ ଏବଂ ଓଲିଉଡର ବହୁ ଖ୍ୟାତନାମା ଅଭିନେତା ଓ ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରତିଦିନ ୫ଟି କରି ମୋଟ ୧୫ଟି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    90 %
    2.2kmh
    100 %
    Sat
    31 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ