Monday, September 14, 2026
28.8 C
Odisha

    ବିଜେଡି ପ୍ରାର୍ଥୀ ଅପରିବର୍ତ୍ତିତ: ଦ୍ବନ୍ଦ୍ବରେ ବିଜେପି ଓ କଂଗ୍ରେସ

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା: ଆଗାମୀ ନିର୍ବାଚନରେ ଝାରସୁଗୁଡ଼ା ବିଧାନସଭା ଆସନରେ କେଉଁ ଦଳ କାହାକୁ ଟିକଟ ଦେବ, ପୁରୁଣା ଚେହେରାର ପୁନରାବୃତ୍ତି ହେବ ନା ନୂଆ ପ୍ରାର୍ଥୀ ସାମ୍ନାକୁ ଆସିବେ ସେନେଇ ଅଙ୍କକଷା ବି ଆରମ୍ଭ ହୋଇଯାଇଛି। ଏହାରି ଭିତରେ ବିଜେଡିର ପ୍ରାର୍ଥୀ ଭାବେ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସଙ୍କ ବ୍ୟତୀତ ଅନ୍ୟ କୌଣସି ଦାବିଦାର୍‌ ବର୍ତ୍ତମାନ ସୁଦ୍ଧା ନାହାନ୍ତି। ତେଣୁ ଦୀପାଳି ପ୍ରାର୍ଥୀ ହେବା ନିଶ୍ଚିତ। କିନ୍ତୁ ବିଗତ ନିର୍ବାଚନଗୁଡ଼ିକର ଫଳାଫଳ ଓ ପ୍ରଦର୍ଶନକୁ ଆଖି ଆଗରେ ରଖି ବିଜେପି ଓ କଂଗ୍ରେସ କାହା କାହାକୁ ଟିକଟ ଦେବେ ତାକୁ ନେଇ ଏବେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହି ଆସନ କେବେ ବି ବିଜେପି ଦଖଲକୁ ଯାଇନି। ଫଳସ୍ବରୂପ ଦଳ ପ୍ରତି ନିର୍ବାଚନରେ ନୂଆ ଚେହେରା ସାମ୍ନାକୁ ଆଣିଛି। ୨୦୦୯ ମସିହାରେ ବିଜେପି ବରିଷ୍ଠ ଆଇନଜୀବୀ ଦୀନେଶ ଜୈନଙ୍କୁ ପ୍ରାର୍ଥୀ କରିଥିବାବେଳେ ସେ ତୃତୀୟ ସ୍ଥାନରେ ରହିଥିଲେ। ୨୦୧୪ ନିର୍ବାଚନରେ ବିଜେପି ଆନନ୍ଦ ପ୍ରଧାନଙ୍କୁ ମଇଦାନକୁ ଓହ୍ଲାଇଥିଲା। ସେଥର ଦଳ ପୂର୍ବ ନିର୍ବାଚନ ଅପେକ୍ଷା ୦.୮୭ ପ୍ରତିଶତ ଭୋଟ୍‌ ଅଧିକ ପାଇଥିଲେ ହେଁ ସେଇ ତୃତୀୟ ସ୍ଥାନରେ ରହିଥିଲା। ୨୦୧୯ରେ ବିଜେପି ପୁଣିଥରେ ଶ୍ରୀ ଜୈନଙ୍କ ଉପରେ ଭରସା କରିଥିଲା। ଏଥର ବିଜେପି ୧୭.୩୦ ପ୍ରତିଶତ ଅଧିକ ଭୋଟ୍‌ ପାଇବା ସହ ଦ୍ବିତୀୟ ସ୍ଥାନକୁ ଆସିଥିଲା। ଗତ ଉପନିର୍ବାଚନରେ ବିଜେପି ପୁଣି ଚେହେରା ପରିବର୍ତ୍ତନ କରି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କୁ ଟିକଟ ଦେଇଥିଲା। ଏଥର ବି ଭୋଟ୍‌ ପ୍ରତିଶତ ୨୦୧୯ ତୁଳନାରେ ୩.୧୫ ପ୍ରତିଶତ ବୃଦ୍ଧି ହୋଇଥିଲେ ହେଁ ଦଳ ଦ୍ବିତୀୟ ସ୍ଥାନରେ ରହିଯାଇଥିଲା।
    ବିଜେପିରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ବାରମ୍ବାର ପ୍ରାର୍ଥିତ୍ବ ପରିବର୍ତ୍ତନର ପ୍ରମୁଖ କାରଣ ବୋଲି କୁହାଯାଉଛି। ଯଦିଓ ଆଗାମୀ ନିର୍ବାଚନ ପାଇଁ ଶ୍ରୀ ତ୍ରିପାଠୀ ବେଶ୍‌ ସଜବାଜ ହେଲେଣି ତଥାପି ଦଳର ଯୁବନେତା ତଥା ସଂଘ ପରିବାରର ସଦସ୍ୟ ସୁଧାଂଶୁ ଦୋରାଙ୍କ ନାମ ବି ସାମ୍ନାକୁ ଆସୁଛି। ତେଣୁ ଏଥର ଦଳ ବିଗତ ଦିନର ଇତିହାସକୁ ପରିବର୍ତ୍ତନ କରି ପୁରୁଣା ପ୍ରାର୍ଥୀ ଶ୍ରୀ ତ୍ରିପାଠୀଙ୍କ ଉପରେ ପୁଣିଥରେ ଭରସା କରିବ ନା ନୂଆ ଚେହେରା ଭାବେ ଶ୍ରୀ ଦୋରାଙ୍କୁ ସାମ୍ନାକୁ ଆଣିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ସେହିପରି ୧୯୫୧ ମସିହା ପରଠାରୁ ଝାରସୁଗୁଡ଼ା ଦେଖିଥିବା ମୋଟ ୧୭ଟି ନିର୍ବାଚନ ମଧ୍ୟରୁ ୧୦ଟିରେ କଂଗ୍ରେସ ବିଜୟ ହାସଲ କରିଥିଲା। କିନ୍ତୁ, ୨୦୧୯ ନିର୍ବାଚନ ପୂର୍ବରୁ ନବ ଦାସ ବିଜେଡିରେ ମିଶିବା ପରେ କଂଗ୍ରେସର ଗଡ଼ ଏକ ପ୍ରକାର ଭୁଶୁଡ଼ି ପଡ଼ିଛି। ‌ସେହିବର୍ଷ ଦଳ ମହେନ୍ଦ୍ର ନାଏକଙ୍କୁ ଟିକଟ ଦେଇ ୩୪.୪୨ ପ୍ରତିଶତ ଭୋଟ୍‌ ହରାଇଥିଲା। ୨୦୨୩ ଉପ ନିର୍ବାଚନରେ ଦଳ ଦିବଂଗତ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣଙ୍କୁ ଟିକଟ ଦେଇ ଅନୁକମ୍ପା ଭୋଟ୍‌ ସାଉଁଟିବାକୁ ଚେଷ୍ଟା କରିଥିଲେ ହେଁ ସ୍ଥିତିରେ କୌଣସି ସୁଧାର ଆସିନଥିଲା। ବରଂ ଦଳକୁ ମୋଟ୍‌ ଭୋଟିଂର ମାତ୍ର ୨.୫ ପ୍ରତିଶତ ଭୋଟ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଏହି ସ୍ଥିତି ପରଠାରୁ ଜିଲ୍ଲା କଂଗ୍ରେସରେ ନେତୃତ୍ବ ସଙ୍କଟ ଦେଖା ଦେଇଥିବା ବେଳେ ଏବେ ଆମଦାନୀ ପ୍ରାର୍ଥୀଙ୍କ ଉପରେ ହିଁ ଦଳ ଭରସା କରିଥିବା ଚର୍ଚ୍ଚା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.8 ° C
    28.8 °
    28.8 °
    73 %
    0.4kmh
    58 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ