Saturday, October 10, 2026
24.4 C
Odisha

    ନବୀନ ବାବୁ ବାସ୍ତବରେ “ସାଧୁ ପୁରୁଷ ନା ବେଇମାନ”, ସ୍ପଷ୍ଟ କରନ୍ତୁ ସସ୍ମିତ ପାତ୍ର: ମନୋଜ ମହାପାତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୫/୦୯: ଏକଦା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରି “ବେଇମାନ ଲିଗାସି ଇନ୍ ନବୀନ ପଟ୍ଟନାୟକଏସ୍ ବିଜେଡି” ବୋଲି କହିଥିବା ବିଜେଡି ସାଂସଦ ତଥା ମୁଖପାତ୍ର ଶ୍ରୀ ସସ୍ମିତ ପାତ୍ରଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି ଟିପ୍ପଣୀ ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ଚାଟୁକାରିତାର ଚରମ ସୀମା ଉଲ୍ଲଂଘନ କରି ନବୀନ ବାବୁଙ୍କୁ ଅନୁସରଣ କରିବାକୁ ଉପଦେଶ ଦେବାରେ ମଧ୍ୟ ଶ୍ରୀ ପାତ୍ର ପଛାଇନାହାନ୍ତି । ବିଜେଡି କ୍ଷମତାରୁ ବିତାଡିତ ହେବା ପରେ ଶ୍ରୀ ପାତ୍ର ନିଜ ଅତୀତକୁ ଭୁଲିଯାଇ ଏଭଳି ମନ୍ତବ୍ୟ ଦେଇଛନ୍ତି । ବିଜେଡି ମୁଖପାତ୍ର ଶ୍ରୀ ପାତ୍ର ବୋଧ ହୁଏ ବର୍ଷକ ତଳର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ କାର୍ଯ୍ୟକଳାପକୁ ମନେ ପକାଇ ଏଭଳି ବକ୍ତବ୍ୟ ଦେଇଛନ୍ତି । ନବୀନ ବାବୁ ବାସ୍ତବରେ “ସାଧୁ ପୁରୁଷ ନା ବେଇମାନ”, ତାହା ଶ୍ରୀ ପାତ୍ର ପ୍ରଥମେ ସ୍ପଷ୍ଟ କରନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗତ କାଲି ଶ୍ରୀ ପାତ୍ର ପୂର୍ବ ସରକାରକୁ ଅନୁସରଣ କରିବା ପାଇଁ ବକ୍ତବ୍ୟ ଦେଇଛନ୍ତି । ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ସତ୍ୱେ ନବୀନ ପଟ୍ଟନାୟକ ନେତୃତ୍ୱ ବିଜେଡି ସରକାର ଓଡିଶାର ବିକାଶ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ । ମାତ୍ର ଅହଂକାରରେ ବୁଡି ରହିଥିବା ବିଜେଡି ସଭାପତି ଏବଂ ବିଜେଡି ନେତାମାନେ ଓଡିଶାକୁ ନିଜ ଜାଗିରିଦାରୀ ଭାବି ନେଇଥିଲେ । ଶାସନ ଦାୟୀତ୍ୱରେ ଥିବାବେଳେ ନବୀନ ବାବୁ ନିଜ ଅଧସ୍ତନ କର୍ମଚାରୀଙ୍କ କବଳରେ ଗୃହବନ୍ଦୀ ଭାବେ ରହି କିଭଳି ପରିଚାଳିତ ହେଉଥିଲେ, ତାହା ସମଗ୍ର ଓଡିଶାବାସୀ ଦେଖିଛନ୍ତି । ନବୀନବାବୁ ନା ବିଧାନସଭାକୁ ଆସୁଥିଲେ, ନା ସଚିବାଳୟ ଯାଉଥିଲେ । କରୋନା ମହାମାରୀ ସମୟରେ ସାରା ଓଡ଼ିଶାବାସୀ ଛଟପଟ ହେଉଥିବାବେଳେ ନବୀନ ତାଟି କବାଟ ପକାଇ ଘରେ ରହୁଥିଲେ । କେବଳ ଉତରାଧିକାରୀ ସୁତ୍ରରେ ନବୀନ ବାବୁ ରାଜନୀତିକୁ ଆସିଛନ୍ତି । ତାଙ୍କ ବାପା ସ୍ୱର୍ଗତଃ ବିଜୁ ପଟ୍ଟନାୟକ ମଧ୍ୟ ମୁଖ୍ୟମନ୍ତ୍ରୀ ଥିବାରୁ ନବୀନ ବାବୁ ଓଡ଼ିଶା ଏବଂ ଓଡ଼ିଆବାସୀଙ୍କୁ ନିଜର ଜାଗିରିଦାରୀ ବୋଲି ଭାବୁଛନ୍ତି । ଏବେ ଓଡ଼ିଶାବାସୀ ତାଙ୍କୁ ଗାଦିରୁ ହଟାଇ ଦେବାପରେ ସହି ନ ପାରି ଅସୁୟା ଭାବ ପ୍ରଦର୍ଶନ କରି ବିଭିନ୍ନ ଟିିପ୍ପଣୀମାନ ଦେଉଛନ୍ତି । ଏଭଳି ସ୍ଥିତିରେ ନବୀନ ବାବୁଙ୍କୁ କେହି କେବେ ଅନୁସରଣ କରିବା ଉଚିତ୍ ନୁହେଁ ବୋଲି ଶ୍ରୀ ପାତ୍ର ନିଜେ କୁହନ୍ତୁ ।
    ନବୀନ ବାବୁ ଯେଉଁ ମନ୍ତବ୍ୟ ଦିଅନ୍ତି ତାହାକୁ ଅକ୍ଷର ଅକ୍ଷରେ ପାଳନ କରାଯାଏ ବୋଲି ଶ୍ରୀ ପାତ୍ର କହିଛନ୍ତି । ବିଗତ ଦିନର କେତେଗୁଡ଼ିଏ ଘଟଣାବଳୀ ଦେଖିଲେ ନବୀନ ବାବୁ ପକାଇଥିବା ଛେପକୁ ପୁଣିଥରେ କିପରି ଢ଼ୋକିଛନ୍ତି ତାହାର ପ୍ରମାଣ ଓଡିଶାବାସୀ ବାରମ୍ବାର ଦେଖିଛନ୍ତି । ଆଦିବାସୀମାନଙ୍କୁ ପ୍ରତାରଣା ଦେବା ଉଦ୍ଦେଶ୍ୟରେ ଏବଂ ଜଙ୍ଗଲ ଜମି ହଡପ୍ ଉଦ୍ଦେଶ୍ୟରେ କ୍ୟାବିନେଟର ନିଷ୍ପତି ଓ ପରବର୍ତୀ ସମୟରେ ପ୍ରତ୍ୟାହାର; ସୋହେଲାରେ ଧାନ କ୍ୱିଂଟାଲ ପିଛା ୧୦୦ ଟଙ୍କାର ବୋନସ ଘୋଷଣା ଏବଂ ପରବର୍ତୀ ସମୟରେ ନଦେବା; ବହୁଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ତଦନ୍ତ ଏଫବିଆଇ ଦ୍ୱାରା କରାଇବା; ଓୟୁଏଟି(ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ)ର ଦ୍ୱିତୀୟ କ୍ୟାମ୍ପସ କେବିକେ ଅଂଚଳରେ ଖୋଲାଯିବ ବୋଲି ବିଧାନସଭାରେ ଘୋଷଣା କରି ଭୁଲିଯିବା; ପଶ୍ଚିମ ଓଡିଶା ସମେତ ରାଜ୍ୟର ଏକାଧିକ ସ୍ଥାନରେ ହାଇକୋର୍ଟ ବେଂଚ ସ୍ଥାପନା କରିବା ଭଳି ମିଛ ପ୍ରତିଶୃତି ଦେଇ କୈାଣସି ପଦକ୍ଷେପ ନନେବା ଭଳି ନବୀନବାବୁଙ୍କ ଅନେକ “ୟୁ ଟର୍ଣ୍ଣ” ଉଦାହରଣ ଓଡିଶାବାସୀ ଦେଖିଛନ୍ତି । ପଶ୍ଚିମ ଓଡ଼ିଶା ପ୍ରତି ନବୀନ ପଟ୍ଟନାୟକ ସବୁବେଳେ ଅବହେଳା କରି ଆସିଛନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟକୁ ଭୁବନେଶ୍ୱରରୁ ସ୍ଥାନାନ୍ତର କରାଗଲା ନାହିଁ କାହିଁକି ଏବଂ ମୁଖ୍ୟମନ୍ତ୍ରୀ ପଦରେ ଥିବାବେଳେ ନବୀନ ବାବୁ ଏଥିପ୍ରତି କର୍ଣ୍ଣପାତ କରିନଥିଲେ କାହିଁକି ? ହାଇକୋର୍ଟ ବେଂଚ ପ୍ରତିଷ୍ଠା ପ୍ରସଙ୍ଗରେ ନବୀନ ବାବୁ କୌଣସି ପଦକ୍ଷେପ ନେଇ ନ ଥିଲେ । ପୂର୍ବରୁ ୟୁପିଏ ଏବଂ ବର୍ତମାନର ଏନ୍‌ଡିଏ ସରକାରର ୫ ଜଣ ଆଇନମନ୍ତ୍ରୀ ରାଜ୍ୟର ବିଜେଡି ସରକାରକୁ ବିଭିନ୍ନ ସମୟରେ କେଉଁଠାରେ ସ୍ଥାୟୀ ହାଇକୋର୍ଟ ବେଂଚ ପ୍ରତିଷ୍ଠା ହେବ ବୋଲି ବାରମ୍ବାର ପ୍ରସ୍ତାବ ମାଗିଥିଲେ ମଧ୍ୟ ନବୀନ ବାବୁ କୌଣସି ଉତର ଦେଇ ନ ଥିଲେ । ଏବେ କେବଳ ରାଜନୈତିକ ଉଦ୍ଦେଶ୍ୟରେ ବିଜେଡି ଚର୍ଚ୍ଚାରେ ରହିବାକୁ ଚେଷ୍ଠା କରୁଛି । ୨୪ ବର୍ଷ ଧରି ପଶ୍ଚିମ ଓଡିସା ଓ କେବିକେ ଅଂଚଳବାସୀଙ୍କୁ ପ୍ରତାରଣା କରିଆସିଥିବା ବିଜୁ ଜନତା ଦଳ ସେମାନଙ୍କ ସ୍ୱାର୍ଥ କଥା ନେଇ ଚିନ୍ତିତ ବୋଲି ଯେଉଁ କୁମ୍ଭୀର କାନ୍ଦଣା କାନ୍ଦୁଛି, ତାହା ଓଡିସାବାସୀ ବୁଝିସାରିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
    ବର୍ତମାନର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ସର୍ବଦା ଲୋକଙ୍କ ସହ ରହୁଛନ୍ତି । ତାଙ୍କ ଉପରେ ଲୋକଙ୍କର ଅଖଣ୍ଡ ଭରଷା ଓ ବିଶ୍ୱାସ ରହିଛି । ସେ ଯେଉଁଭଳି ଭାବେ ଲୋକଙ୍କ ସହ ମିଶୁଛନ୍ତି ତାକୁ ନବୀନ ଅନୁସରଣ କରିବା ଉଚିତ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ