Tuesday, March 24, 2026
21.6 C
Odisha

    ସଂସଦରେ ସିଂଘଭିଙ୍କ ଆସନରୁ ମିଳିଲା ଟଙ୍କା ବିଡ଼ା: ରାଜ୍ୟସଭାରେ ହଙ୍ଗାମା, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଜ୍ୟସଭାରେ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘଭିଙ୍କ ଆସନରୁ ୫ ଶହ ଟଙ୍କିଆ ନୋଟ୍‌ର ଏକ ବଣ୍ଡଲ୍‌ ମିଳିବା ନେଇ ଜୋର୍‌ଦାର୍‌ ହଙ୍ଗାମା ହୋଇଛି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଜି ସାଂସଦମାନଙ୍କୁ ଗୃହରେ ଏନେଇ ସୂଚନା ଦେଇ କହିଛନ୍ତି ଯେ ଗତକାଲି ସନ୍ଧ୍ୟାରେ ଗୃହ ମୁଲତବୀ ହେବାପରେ ସିଟ୍‌ ନମ୍ବର ୨୨୨ ଯାହା କି ସାଂସଦ ସିଂଘଭିଙ୍କୁ ଦିଆଯାଇଛି ସେହି ଆସନରୁ ୫୦୦ ଟଙ୍କିଆ ନୋଟ୍‌ ବିଡ଼ା ମିଳିଥିଲା। ଏଥିରେ ମୋଟ୍‌ ୫୦ ହଜାର ଟଙ୍କା ଅଛି। ଟଙ୍କା ବିଡ଼ା ରାଜ୍ୟସଭାରେ କେମିତି ପହଞ୍ଚିଲା ତାହା ଜାଣିବାପାଇଁ ଗୃହର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଇଛି ଏବଂ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଟଙ୍କା ବିଡ଼ା ମିଳିବା ମାତ୍ରେ ରାଜ୍ୟସଭା ସଚିବଙ୍କୁ ଅବଗତ କରାଯାଇଥିଲା ଏବଂ ଏହି ଟଙ୍କା ‘ଲଷ୍ଟ୍‌ ଆଣ୍ଡ୍‌ ଫାଉଣ୍ଡ୍‌’ କାଉଣ୍ଟର୍‌ରେ ରଖାଯାଇଥିଲା। ଉଲ୍ଲେଖଯୋଗ୍ୟ, ସୁରକ୍ଷାକର୍ମୀମାନେ ପ୍ରତିଦିନ ଗୃହରେ ଯାଞ୍ଚ କରିଥାନ୍ତି। ଯେଉଁ ସାଂସଦ କିଛି ଜିନିଷ ଛାଡ଼ି ଯାଇଥାନ୍ତି ସେମାନଙ୍କ ଜିନିଷ ‘ଲଷ୍ଟ୍‌ ଆଣ୍ଡ୍‌ ଫାଉଣ୍ଡ୍‌’ କାଉଣ୍ଟର୍‌ରେ ରଖାଯାଇଥାଏ।
    ଧନଖଡ଼ ଆଜି ଗୃହରେ ଏହି ସୂଚନା ଦେବା ପରେ ଉଭୟ ଶାସକ ଓ ବିରୋଧୀ ଦଳ ନେତାମାନେ ହଟ୍ଟଗୋଳ କରିଥିଲେ। ଏହି ସମୟରେ ସିଂଘଭି କହିଥିଲେ ମୁଁ ଗତକାଲି ରାଜ୍ୟସଭାକୁ ଆସିବାବେଳେ କେବଳ ୫୦୦ ଟଙ୍କା ଆଣି ଆସିଥିଲି। ଅପରାହ୍ନ ୧୨.୫୭ ସମୟରେ ମୁଁ ଗୃହରେ ପହଞ୍ଚିଲି ଏବଂ ଗୃହକାର୍ଯ୍ୟ ଅପରାହ୍ନ ୧ଟାରେ ଆରମ୍ଭ ହୋଇଥିଲା। ଏହାପରେ ମୁଁ ଗୃହ ଛାଡ଼ି କ୍ୟାଣ୍ଟିନ୍‌ ଯାଇଥିଲି
    ଏବଂ କ୍ୟାଣ୍ଟିନ୍‌ରେ ୧.୩୦ ପର୍ଯ୍ୟନ୍ତ ବସିଥିଲି। ସେଠାରୁ ମୁଁ ବାହାରକୁ ଚାଲିଯାଇଥିଲି। ଗୃହରେ ମୁଁ ମାତ୍ର ୩ ମିନିଟ୍‌ ରହିଛି। ଅନ୍ୟ ୩୦ ମିନିଟ୍‌ କ୍ୟାଣ୍ଟିନ୍‌ରେ ରହିଛି। ଯେ କୌଣସି ବ୍ୟକ୍ତି ସଂସଦରେ କିଛି ଛାଡ଼ି ଚାଲିଯାଇପାରନ୍ତି କହି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହା ସହିତ ସଂସଦରେ ସଦସ୍ୟମାନଙ୍କ ଆସନ୍‌ ଲକ୍‌ କରାଯିବା ବ୍ୟବସ୍ଥା ହେଉ ବୋଲି ଦାବି କରି ସିଂଘଭି କହିଛନ୍ତି ଯେ ଏଭଳି ହେଲେ ଅନ୍ୟ କେହି କାହା ଆସନରେ କିଛି ରଖିପାରିବ ନାହିଁ।

    ରାଜ୍ୟସଭାରେ ହଙ୍ଗାମା, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ
    ୫୦ ହଜାର ରଖିବା କିଛି ଅସାଧାରଣ ନୁହେଁ: କଂଗ୍ରେସ

    ଇତି ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅନୁ‌ରୋଧ କରି କହିଛନ୍ତି ଯେ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ସଂସଦରେ କୌଣସି ସାଂସଦଙ୍କ ନାଁ ନନେବା ଉଚିତ। କିନ୍ତୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଖ‌ଡ଼ଗେଙ୍କ ଅନୁରୋଧକୁ ବିରୋଧ କରିଛନ୍ତି ଏବଂ ଉକ୍ତ ଘଟଣାରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି। ରିଜିଜୁ କହିଛନ୍ତି, ରାଜ୍ୟସଭା ଅଧ୍ୟକ୍ଷ ନିର୍ଦ୍ଦିଷ୍ଟ ଭାବେ ଚେୟାର ନମ୍ବର ଏବଂ ଚେୟାରଟି ଦିଆଯାଇଥିବା ସାଂସଦଙ୍କ ନାଁ ଧରିଛନ୍ତି। ଏଥିରେ ତାଙ୍କ ନାଁ ନେବାରେ ଭୁଲ୍‌ କେଉଁଠି ରହିଲା? ଅନ୍ୟପକ୍ଷେ କଂଗ୍ରେସ ସାଂସଦ ଜୟରାମ ରମେଶ କହିଛନ୍ତି, ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭିଙ୍କ ଆସନରୁ ଟଙ୍କା ମିଳିବା ଘଟଣା ବିଜେପିର ଏକ ଯୋଜନାବଦ୍ଧ କୌଶଳ। ଆଗେ ଗୃହରେ ଯେଉଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସବୁ ଉଠାଇଛୁ ତା’ ଉପରୁ ନଜର ହଟାଇବାପାଇଁ ବିଜେପି ଏହି କୌଶଳ ଅବଲମ୍ବନ କରିଥିବା ରମେଶ କହିଛନ୍ତି। କଂଗ୍ରେସ ଦଳ କହିଛି ଯେ ଜଣେ ପକେଟ୍‌ରେ ୫୦ ହଜାର ଟଙ୍କା ରଖିବା କିଛି ଅପରାଧ ନୁହେଁ। ଅନ୍ୟପକ୍ଷରେ ବିଜେପି ଏହି ମାମଲାରେ କଂଗ୍ରେସକୁ କଡ଼ା କଟାକ୍ଷ କରି କହିଛି ଯେ କଂଗ୍ରେସ ନେତାଙ୍କ ପାଖରେ ବହୁତ ଟଙ୍କା ଅଛି। ସେମାନଙ୍କ ଟଙ୍କାର ସ୍ରୋତ ଯାଞ୍ଚ ହେବା ଆବଶ୍ୟକ। କଂଗ୍ରେସ ନେତା ନିଜ ଟଙ୍କାକୁ ନିଜର ବୋଲି କହିବାକୁ ପଛଘୁଞ୍ଚା ଦେବା ଆଶ୍ଚର୍ଯ୍ୟଜନକ ବୋଲି ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    53 %
    1.2kmh
    0 %
    Tue
    35 °
    Wed
    37 °
    Thu
    38 °
    Fri
    40 °
    Sat
    37 °

    ସମ୍ବନ୍ଧିତ