Thursday, October 1, 2026
23.4 C
Odisha

    ଫ୍ଲାଏଓଭରରୁ ଖସିଲା ବସ୍‌: ୫ମୃତ, ୪୦ ଆହତ

    ଆଗକୁ ପଢନ୍ତୁ

    ଯାଜପୁର/ଧର୍ମଶାଳା: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବାରବାଟୀ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାତି ପ୍ରାୟ ୮ଟା୪୫ ମିନିଟ୍‌ ବେଳେ ପୁରୀରୁ ପଶ୍ଚିମବଙ୍ଗର ହଳଦିଆ ଯାଉଥିବା ଯାତ୍ରୀବାହୀ ବସ୍‌ ‘କାଳିଆନନା’ (ଓଡି-୦୨ବିଜେ ୮୫୯୯) ଫ୍ଲାଏଓଭର ଉପରୁ ପ୍ରାୟ ୩୦ଫୁଟ୍‌ ତଳକୁ ଖସିପଡ଼ିଛି। ଏଥିରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୪୦ଜଣ ଆହତ ହୋଇଛନ୍ତି। ଫ୍ଲାଏଓଭର ଉପରେ ବାଇକ୍‌ ଆରୋହୀଙ୍କୁ ବଞ୍ଚାଇବାକୁ ଡ୍ରାଇଭର ଚେଷ୍ଟା କରିବାରୁ ବସ୍‌ଟି ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ବ୍ରିଜ୍‌ ତଳକୁ ଖସି ବସ୍‌ଟି ଚେପା ହୋଇଯାଇଥିବାରୁ ଯାତ୍ରୀଙ୍କୁ ବାହାରକୁ ଆଣିବା କଷ୍ଟକର ହୋଇଥିଲା। ଖବର ପାଇ କୁଆଖିଆ ଓ ଧର୍ମଶାଳାର ପୁଲିସ, ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ୧୬ଟି ଆମ୍ବୁଲାନ୍‌ସ ପହଞ୍ଚି ଯାତ୍ରୀଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନେଇଥିଲେ। ୮ଟି ଆମ୍ବୁଲାନ୍ସରେ ୧୩ଜଣ ଗୁରୁତର ଆହତଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସାମାନ୍ୟ ଆହତ କିଛି ଯାତ୍ରୀଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି।

    ବସ୍‌ଟିକୁ ଉଠାଇବା ପାଇଁ ୫ଟି କ୍ରେନ୍‌ ନିୟୋଜିତ ହୋଇଥିଲା। ଆହତଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଆହତମାନେ ହେଲେ, ଗୌର ଦାସ (୪୭), ନୀଳିମା ମାଟି, ଚନ୍ଦ୍ର କୁମାର ଦାସ (୪୦), ମୋନିକା ମଣ୍ଡଳ (୩୮), ଇବୋ ବିବି (୬୫). ରୀନା ବିବି (୨୪), ପୂର୍ଣ୍ଣଚନ୍ଦ୍ର ଦାସ, ଅର୍ଚ୍ଚନା ଭୋଇ (୩୫), ସୋହାନା ବିବି (୩୫), ଅର୍ଜୁନ ସେଠୀ (୫୪), ଦୀପୁ (୨୨), ଅଶୋକ ଜେନା (୫୫), କାହ୍ନୁ, ପାପା ସିଂ (୪୦), ରାଜେନ୍ଦ୍ର ଦାସ (୩୫), ଅନାଦି ଜେନା (୭୦), ଗୌତମ ମଙ୍ଗଳ (୪୦), ଗୋକୁଳ ଆଚାର୍ଯ୍ୟ (୫୫), ଭରତ ମଣ୍ଡଳ (୨୦), ସୁଶାନ୍ତ ପାତ୍ର (୪୫), ଅବସୁଦ ଖାଁ (୪୫), ସୋହାନା ବିବି (୪୮), ଶୁଭମ ଜେନା (୨୦)। ଅନ୍ୟ ୭ ଜଣ ଆହତଙ୍କ ପରିଚୟ ମିଳିପାରିନାହିଁ।

    ଅନ୍ୟପକ୍ଷରେ, ଓଭରବ୍ରିଜ୍‌ର ଯେଉଁସ୍ଥାନରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହେଲା ସେଠାରେ ରାସ୍ତାକଡ଼ରେ ଏକ ତରଭୁଜ ଦୋକାନ ରହିଥିଲା। ତରଭୁଜ ଦୋକାନୀଙ୍କ ପତ୍ତା ମିଳୁନଥିବା ବେଳେ ତରଭୁଜ ସବୁ ବ୍ରିଜ୍‌ ତଳେ ପଡ଼ିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏଥିସହ ଆହତ ବ୍ୟକ୍ତିଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.4 ° C
    23.4 °
    23.4 °
    85 %
    1.4kmh
    72 %
    Wed
    23 °
    Thu
    30 °
    Fri
    30 °
    Sat
    30 °
    Sun
    31 °

    ସମ୍ବନ୍ଧିତ