Sunday, March 15, 2026
26.8 C
Odisha

    ବାର୍ଡ ଫ୍ଲୁ ତଦନ୍ତ ନେଇ ଆସନ୍ତାକାଲି ଓଡ଼ିଶାକୁ ଆସିବେ ସେଂଟ୍ରାଲ ଟିମ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ଆସନ୍ତାକାଲି ଓଡ଼ିଶାକୁ ସେଂଟ୍ରାଲ ଟିମ୍‌ ଆସିବେ। ଏହି ଟିମ୍‌ର ସଦସ୍ୟମାନେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ପୁରୀ ଜିଲ୍ଲାର ପିପିଲି ଅଂଚଳ ବୁଲିବା ସହ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ନିଆ ଯାଇଥିବା ପଦକ୍ଷେପ ନେଇ ସେଂଟ୍ରାଲ ଟିମ୍‌କୁ ଅବଗତ କରାଯାଇଛି। କେନ୍ଦ୍ରାପଡ଼ାରେ କୁକୁଡ଼ା ମଡ଼କ ପରେ ନମୁନା ଟେଷ୍ଟ ପାଇଁ ପଠାଯାଇଛି । ଏହା ସହ ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି। କୁକୁଡ଼ା ଫାର୍ମରେ କାମ କରୁଥିବା ଓ କୁକୁଡ଼ା କଣ୍ଟାକ୍ଟରେ ଆସୁଥିବା ଲୋକ ଅଧିକ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଜାରି କରାଯାଇଛି।
    ବାର୍ଡ ଫ୍ଲୁର ହଟ୍‌ସ୍ପଟ୍‌ ପାଲଟିଛି ପିପିଲି। ବାର୍ଡ ଫ୍ଲୁ ଆତଙ୍କ ପରେ ହଜାର ହଜାର କୁକୁଡ଼ାଙ୍କୁ ମରାଗଲାଣି। ଆଗକୁ ଆହୁରି କୁକୁଡ଼ା ମାରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଲୋକମାନେ କୁକୁଡ଼ା ମାଂସ ଖାଇବେ କି ନାହିଁ ତାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

    ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ.ବିଜୟ ମହାପାତ୍ର କହିଛନ୍ତି, ବାର୍ଡ ଫ୍ଲୁ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏହାର ନିୟନ୍ତ୍ରଣ ପାଇଁ ଏକାଧିକ ବିଭାଗର ସହାୟତା ଲୋଡ଼ା ଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ମେଡିକାଲ କଲେଜରେ ଥିବା କମ୍ୟୁନିଟି ମେଡିସିନ୍‌ ବିଭାଗକୁ ଏହା ସହ ଯୋଡ଼ା ଯାଇଛି। କମ୍ୟୁନିଟି ମେଡିସିନ୍ ବିଭାଗ ଏହାର ସଂପୂର୍ଣ୍ଣ ତଦାରଖ କରିବ। ଏହି ରୋଗ ପ୍ରଥମେ ଜ୍ବରରୁ ଆରମ୍ଭ ହୋଇଥାଏ। ସେଥିପାଇଁ ଆଇଡିଏସ୍‌ପି ଅନୁଯାୟୀ ଫିଭର ସର୍ଭେଲାନ୍‌ସ କରାଯାଉଛି। ନମୁନା ପରୀକ୍ଷା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କଠାରୁ ଦୂରେଇ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାସ୍ତରୀୟ ଟିମ୍‌ ଘଟଣାସ୍ଥଳକୁ ଘନ ଘନ ଗସ୍ତ କରୁଛନ୍ତି।

    ରାଜ୍ୟସ୍ତରୀୟ ଆର୍‌ଆର୍‌ଟି ମଧ୍ୟ ସେଠାକୁ ଗସ୍ତ କରିଛନ୍ତି। ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ହେବା ଉଚିତ୍ ନୁହେଁ। ପିପିଲିର ଯେଉଁଠାରେ ବାର୍ଡ ଫ୍ଲୁ ଉତ୍ସ ଦେଖାଦେଇଛି ସେଠାରେ ପଶୁ ଚିକିତ୍ସା ବିଭାଗର ସିଭିଡିଓଙ୍କ ନେତୃତ୍ବରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଆବଶ୍ୟକ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। କୌଣସି ବ୍ୟକ୍ତି ଜ୍ବରରେ ଆକ୍ରାନ୍ତ ହେଲେ ତାଙ୍କର ନମୁନା ପରୀକ୍ଷା ଓ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯିବ। ପ୍ରତ୍ୟେକ ଦିନ ତଥ୍ୟ ସଂଗ୍ରହ କରାଯାଉଥିବା ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.8 ° C
    26.8 °
    26.8 °
    40 %
    3.9kmh
    80 %
    Sun
    28 °
    Mon
    38 °
    Tue
    38 °
    Wed
    38 °
    Thu
    36 °

    ସମ୍ବନ୍ଧିତ