Sunday, May 31, 2026
25.1 C
Odisha

    ୟୁନିଫର୍ମ ସର୍ଭିସକୁ ଜନସାଧାରଣଙ୍କ ଉତ୍ସର୍ଗୀକୃତ ସେବାର ପ୍ରତୀକ ରୂପେ ପ୍ରତିଫଳିତ କରନ୍ତୁ: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୟୁନିଫର୍ମ ସର୍ଭିସ୍‌ରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡ଼ିଥାଏ। ସାଧାରଣ ନାଗରିକ, ଆମର ମା, ଭଉଣୀ ଏବଂ ପିଲାମାନଙ୍କର ସୁରକ୍ଷା ଆମ ଉପରେ ନିର୍ଭର କରେ। ଏ କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠା ସହିତ ଉତ୍ତମ ବ୍ୟବହାର ପୁଲିସର ଭାବମୂର୍ତ୍ତିକୁ ଉଜ୍ଜଳ କରିବାରେ ସହାୟକ ହୁଏ। ୟୁନିଫର୍ମ ସର୍ଭିସକୁ ଜନସାଧାରଣଙ୍କ ଉତ୍ସର୍ଗୀକୃତ ସେବାର ଏକ ପ୍ରତୀକ ଭାବେ ପ୍ରତିଫଳିତ କରିବା ପାଇଁ ଆପଣମାନଙ୍କୁ ସଦା ସର୍ବଦା ପ୍ରସ୍ତୁତ ରହିବାକୁ ପଡିବ।

    ଆଜି ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ସଶସ୍ତ୍ର ପୋଲିସ ସବ୍‌ ଇନ୍‌ସପେକ୍ଟରମାନଙ୍କ ପାସିଙ୍ଗ ଆଉଟ୍‌ ପ୍ୟାରେଡରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଲିସ ବାହିନୀକୁ ପରାମର୍ଶ ଦେଇଛନ୍ତି। ୧୧୩ ଜଣ ସଶସ୍ତ୍ର ପୁଲିସ ସବ୍‌ ଇନ୍‌ସପେକ୍ଟରଙ୍କ ପ୍ରଶିକ୍ଷଣ ସଂପୂର୍ଣ୍ଣ ହୋଇଛି ଏବଂ ସେମାନେ ଖୁବ ଶୀଘ୍ର କାର୍ଯ୍ୟରେ ଯୋଗ ଦେବେ।

    ଏହି ଅବସରରେ ନିଜର ଅଭିଭାଷଣ ରଖି ସେ ସମସ୍ତ ଶିକ୍ଷାନବିଶ ଓ ସମସ୍ତ ପୁଲିସ ଅଧିକାରୀଙ୍କୁ ଦେଶ, ସମାଜ ଏବଂ ସାଧାରଣ ଲୋକମାନଙ୍କୁ ସଚ୍ଚୋଟତା ସହିତ ନିସ୍ଵାର୍ଥପର ସେବା କରିଵାକୁ ଆହ୍ଵାନ ଦେଇଥିଲେ। ଆପଣମାନଙ୍କର ସମସ୍ତ କାର୍ଯ୍ୟରେ ସତ୍ୟ ଓ ନ୍ୟାୟ ମାର୍ଗଦର୍ଶକ ହୋଇ ରହିଥାଉ ବୋଲି ସେ କହିଥିଲେ।

    ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଇନଶୃଙ୍ଖଳା ରକ୍ଷା ଓ ମାଓ ମୁକାବିଲା କ୍ଷେତ୍ରରେ କର୍ତ୍ତବ୍ୟରତ ସହିଦ ପୁଲିସ୍ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

    ସେ କହିଥିଲେ ଯେ ଦୀର୍ଘଦିନର ଅବିଶ୍ରାନ୍ତ କଠିନ ପରିଶ୍ରମ ସହ ମୌଳିକ ତାଲିମ ସମ୍ପୂର୍ଣ୍ଣ କରି ୧୧୩ ଜଣ ସଶସ୍ତ୍ର ଶିକ୍ଷାନଵିଶ ପୋଲିସ୍ ସବ-ଇନସ୍ପେକ୍ଟର ଆଜି ପାସିଙ୍ଗ୍ ଆଉଟ କରୁଛନ୍ତି। ଏହି ଅବସରରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

    ସେ କହିଥିଲେ ଯେ ଟ୍ରେନି ଅଫିସରମାନଙ୍କ ପିତାମାତା ଓ ପରିବାରର ସଦସ୍ୟମାନେ ସେମାନଙ୍କୁ ପୁଲିସ ସେବାରେ ଉତ୍ସର୍ଗୀକୃତ ହେବା କ୍ଷେତ୍ରରେ ନିରନ୍ତର ସମର୍ଥନ କରି ଆସିଛନ୍ତି । ସେଥିପାଇଁ ସେମାନେ ମଧ୍ୟ ଧନ୍ୟବାଦର ପାତ୍ର। ଏକାଡେମୀର ମୌଳିକ ତାଲିମ ଜରିଆରେ ଏହି ଅଧିକାରୀମାନେ ଯଥେଷ୍ଟ ବୃତ୍ତିଗତ ଜ୍ଞାନ କୌଶଳ ଓ ଦକ୍ଷତା ହାସଲ କରିଥିବେ। ଏହା ଆପଣଙ୍କର ଦୈନନ୍ଦିନ ସେବା କାର୍ଯ୍ୟରେ ଖୁବ୍ ସହାୟକ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ।

    ବହୁ ସଂଖ୍ୟକ ସୁରକ୍ଷା ବଳଙ୍କ ସହଯୋଗରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଆପଣମାନଙ୍କୁ ଦୃଢ ନେତୃତ୍ୱ ଓ ପରିଚାଳନାଗତ ଦକ୍ଷତା ପ୍ରଦର୍ଶନ କରିବାକୁ ପଡ଼ିବ। ନିଜ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ନିଜର ପରିବାର ସଦସ୍ୟ ଭାବରେ ବିବେଚନା କରିବା ସହିତ ସେମାନଙ୍କର କଲ୍ୟାଣ ପ୍ରତି ଯତ୍ନବାନ ହେବାକୁ ପଡିବ ବୋଲି ମଧ୍ୟ ସେ କହିଥିଲେ।

    ଆଜିଠାରୁ, ଆପଣମାନଙ୍କୁ କଠିନରୁ କଠିନ ଆହ୍ଵାନ ପାଇଁ ପ୍ରସ୍ତୁତ ହେବା ଉଚିତ। ଓଡ଼ିଶାର ସ୍ପେଶାଲ ଅପରେସନ୍ ଗ୍ରୁପ୍ ହେଉଛି ଦେଶର ମାଓବାଦୀ ମୁକାବିଲା ନିମନ୍ତେ ସବୁଠାରୁ ଉତ୍ତମ ଓ ଉଚ୍ଚକୋଟୀର ସୁରକ୍ଷା ବଳ। ଏହି ଅଧିକାରୀମାନଙ୍କ ଦକ୍ଷତା ମାଓବାଦୀ ବିରୋଧୀ ଅଭିଯାନରେ ଓଡିଶା ପୋଲିସକୁ ଆହୁରି ଗୈାରବାନ୍ୱିତ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

    ବାମପନ୍ଥୀ ଉଗ୍ରବାଦରେ ଓଡ଼ିଶାର ସଫଳତା ବିଷୟରେ ଆଲୋକପାତ କରି ସେ କହିଲେ ଯେ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓ ଗୃହମନ୍ତ୍ରୀ ଅମିତ ଶାହାଜୀଙ୍କ ଦିଶା ନିର୍ଦ୍ଦେଶରେ ଓ ଭାରତ ସରକାରଙ୍କ ଅକୁଣ୍ଠ ସହଯୋଗରେ ବାମପନ୍ଥୀ ଉଗ୍ରବାଦ ମୁକାବିଲାରେ ଓଡିଶା ପୁଲିସ୍ ସଫଳତାର ସହ ଉତ୍ତମ ପ୍ରଦର୍ଶନ କରି ଆସୁଛି। ମାଓବାଦୀଙ୍କ ବିସ୍ତାର ଏବଂ ପ୍ରଭାବ ହ୍ରାସ ପାଇଛି। କିନ୍ତୁ ତଥାପି ଆହ୍ଵାନ ରହିଛି। ପୁଲିସ ବାହିନୀ ନିଜର କାର୍ଯ୍ୟଦକ୍ଷତା ବଳରେ ଏହି ମାଓ ମୁକାବିଲାର ନେତୃତ୍ୱ ନେଇ ଆମ ରାଜ୍ୟକୁ ମାଓମୁକ୍ତ କରିଵେ ବୋଲି ସେ ଦୃଢ ଆଶା ପ୍ରକାଶ କରିଥିଲେ। ମାଓ ମୁକାବିଲା କ୍ଷେତ୍ରରେ ଆମ ସରକାରଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ସେ କହିଥିଲେ।

    ପୁଲିସର ଆଧୁନିକୀକରଣ ଓ ପୁଲିସ୍ ବ୍ୟବସ୍ଥାର ସଂସ୍କାର ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିବା ସହିତ ପୁଲିସ୍ କର୍ମଚାରୀଙ୍କ ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ମୋ ସରକାର ଅବଗତ ଅଛନ୍ତି ବୋଲି ସେ କହିଥିଲେ। ପୁଲିସ୍ ପାଇଁ କଲ୍ୟାଣମୂଳକ ପଦକ୍ଷେପ ନେବାପାଇଁ ଓଡ଼ିଶା ସରକାର ଯତ୍ନବାନ ରହିବେ। ଏହାସହିତ ଲୋକବଳ ଅଭାବ ଦୂର କରିବାପାଇଁ ଆମେ ଆବଶ୍ୟକ ପଦକ୍ଷେପ ନିଆଯିବ। ପୁଲିସ୍ ପ୍ରଶିକ୍ଷଣକୁ ଆହୁରି ଗତିଶୀଳ ଓ ଲୋକାଭିମୁଖୀ କରିବା ପାଇଁ ସରକାର ଆଗାମୀ ଦିନରେ ବିଭିନ୍ନ ସାହାଯ୍ୟ ଓ ପ୍ରୋତ୍ସାହନ ଦେବେ ବୋଲି ସେ କହିଥିଲେ।

    ନୂତନ ଅପରାଧିକ ଆଇନ ଉପରେ ଆଲୋକପାତ କରି ସେ କହିଲେ ଯେ ଦେଢ ଶହ ବର୍ଷର ଔପନିବେଶବାଦର ମାନସିକତାକୁ ପ୍ରୋତ୍ସାହନ ଦେଉଥିବା ବ୍ରିଟିଶ ଅମଳର ଅପରାଧିକ ଆଇନକୁ ପରିବର୍ତ୍ତନକରି ମୋଦୀଜୀଙ୍କ ସରକାର ନୂତନ ଭାରତର ନୂତନ ଆଇନ୍, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ପ୍ରଚଳନ କରି ଅପରାଧିକ ଆଇନ୍ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି। ନ୍ୟାୟ ଓ ନାଗରିକକୁ ପ୍ରାଧାନ୍ୟ ଦିଆଯାଇ ଏହି ନୂତନ ଆଇନ୍ ଆଗାମୀ ଦିନରେ ଲୋକଙ୍କୁ ନ୍ୟାୟ ଦେବାରେ ସହାୟକ ହେବ।

    ପୁଲିସ୍ ଟ୍ରେନିଂ ଆପଣଙ୍କୁ ନୈତିକତା, ଅଖଣ୍ଡତା, ପ୍ରତିବଦ୍ଧତା ଏବଂ ମାନବ ସମାଜ ପ୍ରତି ଦୟା ଓ ସମ୍ବେଦନଶୀଳତାର ଶିକ୍ଷା ପ୍ରଦାନ କରେ। ଏହାସହିତ ଆପଣଙ୍କୁ ଜଣେ କଠିନ ଏବଂ ବୃତ୍ତିଗତ ପୁଲିସ୍ ଅଧିକାରୀ ଭାବରେ ବିକଶିତ କରିବା ମଧ୍ୟ ନିହାତି ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

    ୨୦୨୧-୨୨ ମସିହାରେ ଦେଶର ସର୍ବଶ୍ରେଷ୍ଠ ପୁଲିସ୍ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାବରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଟ୍ରଫି ହାସଲ କରି ଏହି ଏକାଡେମୀ ଜାତୀୟ ସ୍ତରରେ ଗୌରବ ଅର୍ଜନ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁସିବ୍ୟକ୍ତ କରିଥିଲେ ।

    ଏହାସହିତ ତିନି ଗୋଟି ନୂଆ ଆଇନର ପ୍ରଚଳନ ଓ କାର୍ଯ୍ୟକାରିତା ଦିଗରେ ରାଜ୍ୟ ପୁଲିସ ଏକାଡେମୀ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଥିବାରୁ ସେ ଗଭୀର ଖୁସି ପ୍ରକାଶ କରିବା ସହିତ ଏକାଡେମୀର ସମସ୍ତ ପ୍ରଶିକ୍ଷକମାନଙ୍କୁ ଧନ୍ୟବାଦ ଦେଇଥିଲେ।

    କାର୍ଯ୍ୟକ୍ରମରେ ଯୋଗ ଦେଇ ପୁଲିସ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଟ୍ରେନି ଅଫିସରମାନଙ୍କ ଉଚ୍ଚପ୍ରଶଂସା କରିଥିଲେ। ପୁରୀ ରଥଯାତ୍ରା, ଭଦ୍ରକ ହନୁମାନ ଜୟନ୍ତୀ, ନିର୍ବାଚନ ଦାୟିତ୍ବ ଏବଂ ଆଉ ଅନେକ ସମୟର ପ୍ରାକ୍ଟିକାଲ ଟ୍ରେନିଂ ସମୟରେ ସେମାନେ ଯେଉଁ ନିଷ୍ଠା ଓ ଅନୁଶାସନ ଦେଖାଇଥିଲେ, ଶ୍ରୀ ଷଡ଼ଙ୍ଗୀ ତାର ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସେମାନେ ଜଣେ ଜଣେ ଭଲ ଅଫିସର ହୋଇ ସୁନାମ କରିବେ ବୋଲି ଆଶାପ୍ରକାଶ କରିଥିଲେ । ନୂଆ ସରକାରଙ୍କ ଭାବଧାରା ଓ କାର୍ଯ୍ୟ ପ୍ରଣାଳୀକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପଦେଶ ପୋଲିସ ବାହିନୀ ନିଷ୍ଠାର ସହ ପାଳନ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

    ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ମହାନିରୀକ୍ଷକ, ତାଲିମ, ଶ୍ରୀମତୀ ସାଇନି ଏସ୍, ଏକାଡେମୀର ପ୍ରଶିକ୍ଷକ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    91 %
    2.2kmh
    98 %
    Sat
    25 °
    Sun
    37 °
    Mon
    40 °
    Tue
    40 °
    Wed
    42 °

    ସମ୍ବନ୍ଧିତ