Thursday, April 23, 2026
40.2 C
Odisha

    ଆଜି ବାଲେଶ୍ଵରର ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଜଳେଶ୍ଵର: ଲଘୁଚାପ ଜନିତ ଲଗାଣ ବର୍ଷା ପରେ ସୁବର୍ଣ୍ଣରେଖାରେ ପ୍ରଳୟଙ୍କରୀ ବନ୍ୟା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆଜି ବାଲେଶ୍ଵରର ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରିବେ। ଏବେ ଉତ୍ତର ବାଲେଶ୍ଵର ରେ ଗମ୍ଭୀର ହେଉଛି ବନ୍ୟା ପରିସ୍ଥିତି।ଆଜି ସକାଳ ୭ ଟା ସୁଦ୍ଧା ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ବିପଦ ସଙ୍କେତ ଠାରୁ ବହୁ ଉପରେ ଅର୍ଥାତ୍ ୧୧.୫୮ ମିଟର ରେ ପ୍ରବାହିତ ହେଉଛି। ଏଠାରେ ନଦୀର ସତର୍କ ସଙ୍କେତ ୯.୪୫ ଓ ବିପଦ ସଙ୍କେତ ୧୦.୩୬ ମିଟର ରହିଛି। ସେହିପରି ନଦୀର ଉପର ମୁଣ୍ଡରେ ଥିବା ଜାମଶୋଳାଘାଟରେ ମଧ୍ୟ ସକାଳ ୭ ଟାରେ ନଦୀର ଜଳପତ୍ତନ ୫୦.୮୦୦ ମିଟର ରହିଛି। ଏଠାରେ ବିପଦ ସଂଙ୍କେତ ୪୯.୧୬୦ ମିଟର ରହିଛି। ତେବେ ବିଳମ୍ବିତ ରାତିରୁ ଜାମଶୋଳାଘାଟଠାରେ ନଦୀର ଜଳ ପତ୍ତନ ହ୍ରାସ ପାଉଥିବା ସୂଚନା ମିଳିଛି। କିନ୍ତୁ ରାଜଘାଟ ରେ ଜଳସ୍ତର ବଢୁ ଥିବାରୁ ନଦୀର ନିମ୍ନ ଅବବାହିକା ଅଞ୍ଚଳ ଜଳେଶ୍ଵର,ଭୋଗରାଇ,ବାଲିଆପାଳ ଓ ବସ୍ତା ବ୍ଲକରେ ଦୟନୀୟ ସ୍ଥିତି। ବନ୍ୟା ପାଣି ନଦୀ ବନ୍ଧ ନଥିବା ସ୍ଥାନରେ ଓ ନଦୀର ବିଭିନ୍ନ ଶାଖା ନାଳ ଦେଇ ନଦୀ ପାଖ ଗାଁ ମଧ୍ୟକୁ ପ୍ରଖର ସ୍ରୋତରେ ପ୍ରବେଶ କରୁଛି।

    ଗୋଟିଏ ପଟେ ଉତ୍ତର ବାଲେଶ୍ଵର ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏପଟେ ସୁବର୍ଣ୍ଣରେଖାରେ ପ୍ରଳୟଙ୍କରୀ ବନ୍ୟା ଅଞ୍ଚଳବାସୀଙ୍କ ଦୁଃଖ ବଢାଇ ଦେଇଛି।ସବୁଠାରୁ ବଡ଼ କଥା ହେଉଛି ଆଜି ପୂର୍ଣ୍ଣିମା ତିଥି ଥିବାରୁ ସମୁଦ୍ରରେ ଉତ୍ତାଳ ତରଙ୍ଗ ରହିଛି।ଫଳରେ ନଦୀର ବନ୍ୟା ପାଣି ସମୁଦ୍ରକୁ ଠିକ ଭାବେ ନିଷ୍କାସିତ ହୋଇ ନପାରି ତଳିଆ ଅଞ୍ଚଳରେ ପ୍ରଳୟ ରହୁଛି।ସୁବର୍ଣ୍ଣରେଖା ବନ୍ୟା ରେ ଉତ୍ତର ବାଲେଶ୍ଵର ର ୪ ଟି ବ୍ଲକରେ ୬୬ ଟି ପଞ୍ଚାୟତର ୨୪୧ ଟି ଗାଁ ବନ୍ୟା ଦ୍ବାରା ବିଶେଷ ଭାବେ ପ୍ରଭାବିତ ହୋଇଥିବା ପ୍ରାରମ୍ଭିକ ଭାବେ ଆକଳନ କରାଯାଇଛି।ବାଲିଆପାଳ ବ୍ଲକରେ ସବୁଠାରୁ ସଙ୍ଗୀନ ସ୍ଥିତି।ବାଲିଆପାଳ ବ୍ଲକର ବିଷ୍ଣୁପୁର,ଅସ୍ତି,ଜାମକୁଣ୍ଡା,ମଧୁପୁରା ଓ ବାଲିଆପାଳ ପଞ୍ଚାୟତ ର ୩୦ ରୁ ଉର୍ଦ୍ଧ୍ବ ଗାଁ ପାଣି ଘରରେ ରହିଛି।

    ସେହିପରି ଭୋଗରାଇ ବ୍ଲକର  ନହରା,ନାଚିନ୍ଦା,କୁଶୁଡା,ଆରୁହାବୃତ୍ତି, ଖରିଦପିପଳ,ରସୁଲପୁର,କୁମ୍ଭିରଗଡି,ଜଳେଶ୍ଵର ବ୍ଲକର ପାଇକସିଦା,ଗଡସାହି ବାଲିଆପାଳ,ବାଇଗଣ ବାଡିଆ, ପଶ୍ଚିମବାଡ ଆଦି ନଦୀ ତଟବର୍ତ୍ତୀ ପଞ୍ଚାୟତ ଗୁଡିକରେ ବନ୍ୟା ପରିସ୍ଥିତି ଜଟିଳ ଆକାର ଧାରଣ କରିଛି।ଆନ୍ତ ଜିଲ୍ଲା ସଂଯୋଗକାରୀ ରାସ୍ତା କମର୍ଦ୍ଦା-ବାଲିଆପାଳ ରାସ୍ତା,ବାଲିଆପାଳ ର ଚୌଧୁରୀ କୁଦ ରାସ୍ତା, ଭୋଗରାଇର ବଡମନ୍ଦାରୁଣୀ-ନାଚିନ୍ଦା ରାସ୍ତା,ଜଳେଶ୍ଵର ର ଦେବକୁମାର ରାସ୍ତାରେ ପାଣିର ସୁଅ ଚାଲିଛି।ବନ୍ୟାଞ୍ଚଳ ରାସ୍ତା ଗୁଡିକରେ ପାଣିର ସୁଅ ଚାଲିଥିବାରୁ ଗମନାଗମନ ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ହୋଇଛି।ଏସବୁ ଅଞ୍ଚଳରେ ସ୍କୁଲ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ମଧ୍ୟ ପାଣି ଘେରରେ ରହିଛି।ଗୃହ ପାଳିତ ପଶୁପକ୍ଷୀ ଭୋକିଲା ଅବସ୍ଥାରେ ପାଣି ଭିତରେ ଦୁଇ ଦିନ ହେଲା ଛିଡା ହୋଇ ରହିଛନ୍ତି।

    ଗତକାଲି ବାଲେଶ୍ଵର ଜିଲ୍ଲାପାଳ ସୁର୍ଯ୍ୟବଂଶୀ ମୟୁର ବିକାଶ ବାଲିଆପାଳ ଓ ଭୋଗରାଇ ବ୍ଲକ ଗସ୍ତ କରି ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟା ମୁକାବିଲା ପାଇଁ ଉତ୍ତର ବାଲେଶ୍ଵରର ୪ ଟି ବ୍ଲକ ପାଇଁ ଜିଲ୍ଲାପାଳ ୪ ଜଣ ନୋଡାଲ ଅଫିସରଙ୍କୁ ନିୟୋଜିତ କରିଛନ୍ତି। ସେହିପରି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ଜଳେଶ୍ଵର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଗତ ଦୁଇଦିନ ଧରି ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରି ବନ୍ୟା ଦୁର୍ଗତଙ୍କୁ ଭେଟିଛନ୍ତି।

    ଆଜି ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଲେଶ୍ଵର ଜିଲ୍ଲାପାଳ ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରିବେ ବୋଲି ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    40.2 ° C
    40.2 °
    40.2 °
    9 %
    1.6kmh
    84 %
    Thu
    41 °
    Fri
    43 °
    Sat
    43 °
    Sun
    43 °
    Mon
    45 °

    ସମ୍ବନ୍ଧିତ