Wednesday, September 16, 2026
26.1 C
Odisha

    ଏଣିକି ଓଡିଆ ଭାଷାରେ ହେବ ସରକାରୀ କାର୍ଯ୍ୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ହେବାର ୨୨ ଦିନ ପରେ ଗୁରୁବାର ନିଜର ସ୍ଥାୟୀ କାର୍ଯ୍ୟକାଳରେ ପ୍ରବେଶ କରିଛନ୍ତି ମୋହନ ଚରଣ ମାଝୀ । ବିଧିବଦ୍ଧ ଭାବରେ ଲୋକସେବା ଭବନରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନର ତୃତୀୟ ମହଲାରୁ କାର୍ଯ୍ୟ ଆରମ୍ଭ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ହେବ। ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ ଆଇନରେ ସଂଶୋଧନ କରାଯିବ। ଓଡ଼ିଆ ଅସ୍ମିତାର ବିକାଶ ପାଇଁ ଗୁରୁତ୍ବାରୋପ କରାଯିବ।
    ଏଥି ସହିତ ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ପ୍ରାଥମିକତା ଦିଆଯିବ । ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା, ଅଭିବୃଦ୍ଧି, ସରଂକ୍ଷଣ ଓ ପ୍ରସାରକୁ ଗୁରୁତ୍ବ ଦିଆଯିବ । ତିନୋଟି ଏକାଡେମୀ ତଥା ସାହିତ୍ୟ, ସଙ୍ଗୀତ, ନାଟକ ଓ ଲଳିତ କଳା ଏକାଡେମୀର ପୁନର୍ଗଠନ ଓ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ । ଓଡ଼ିଶୀ ଗବେଷଣା କେନ୍ଦ୍ରକୁ କ୍ରିୟାଶୀଳ କରାଯିବ । ଓଡ଼ିଶାରେ ପଠନ ଅଭ୍ୟାସ ବୃଦ୍ଧି ଓ ଲାଇବ୍ରେରୀ ଆନ୍ଦୋଳନକୁ ବ୍ୟାପକ ଓ ବ୍ୟବସ୍ଥିତ କରାଯିବ ।
    ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ । ଭାଷା ପାଇଁ ଆଧୁନିକ ସରଳ ଓ ସୁଗମ ପ୍ରଯୁକ୍ତି ବିଦ୍ୟାଗ ଉପଯୋଗ ପାଇଁ ବ୍ୟବସ୍ଥା ହେବ । ଓଡ଼ିଆ ଭାଷା ଭବନ ଅସ୍ମିତା ଭବନ ନିର୍ମାଣ କରାଯିବ । ଭାଷା କମିଶନ ଗଠିତ ହେବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଅନ୍ୟପଟେ ବରୁଣେଇରେ ପାଇକ ଏକାଡେମୀ ଗଠନ ସହିତ ସ୍ମାରକୀ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରାଯିବ। ରାଜ୍ୟରେ ଥିବା ବିଭିନ୍ନ ଐତିହ୍ୟ ପୀଠର ବିକାଶକୁ ଗୁରୁତ୍ବ ଦେବାକୁ ସରକାର ମଧ୍ୟ ସଂକଳ୍ପବଦ୍ଧ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.1 ° C
    26.1 °
    26.1 °
    83 %
    1.1kmh
    60 %
    Wed
    27 °
    Thu
    32 °
    Fri
    32 °
    Sat
    31 °
    Sun
    30 °

    ସମ୍ବନ୍ଧିତ