କୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଅନ୍ୟ କୌଣସି ବିପଦ, ପଶୁମାନେ ପ୍ରାୟତଃ ମଣିଷଠାରୁ ଆଗରୁ ବିପଦକୁ ଅନୁଭବ କରିପାରନ୍ତି । ଯଦି କୁକୁରଙ୍କ କଥା କହିବା, ତେବେ ସେମାନଙ୍କର ଘ୍ରାଣ ଶକ୍ତିକୁ ଦେଖି ହିଁ ସେମାନଙ୍କୁ ସେନା ଓ ପୋଲିସ ବିଭାଗରେ ନିୟୋଜିତ କରାଯାଏ । କିନ୍ତୁ ଏକ ନୂଆ ଗବେଷଣାରେ ଦାବି କରାଯାଇଛି ଯେ, କୁକୁରମାନେ କେବଳ ବିଭିନ୍ନ ଜିନିଷ ନୁହେଁ, ମଣିଷର କିଛି ରୋଗକୁ ମଧ୍ୟ ଘ୍ରାଣ ଶକ୍ତି ମାଧ୍ୟମରେ ଚିହ୍ନଟ କରିପାରନ୍ତି । ବେଙ୍ଗାଲୁରୁ ନିକଟସ୍ଥ ଏକ ରିସର୍ଚ୍ଚ ସେଣ୍ଟରର ନୂଆ ଅଧ୍ୟୟନ ପକ୍ଷରୁ ଏଭଳି ଦାବି କରାଯାଇଛି ।
ଗୋଟିଏ ଲାବରେଟୋରୀରେ କିଛି ନମୁନାକୁ କୁକୁରମାନେ ଘ୍ରାଣ କରୁଛନ୍ତି । ହଠାତ୍ ଏକ ନମୁନାକୁ ଦେଖି ଗୋଟିଏ କୁକୁର ଭୁକିବାକୁ ଲାଗିଲା । ଯାହାପରେ ଡାକ୍ତରମାନେ ସେହି ନମୁନାର ଯାଞ୍ଚ କରିବା ପରେ କହିଛନ୍ତି ଯେ, ‘ଏହା କ୍ୟାନସର ଥିବା ବ୍ୟକ୍ତିଙ୍କ ନମୁନା । ଯାହା ଶୁଣିବାକୁ କୌଣସି ଏକ ସାଇନ୍ସ-ଫିକ୍ସନ୍ ଫିଲ୍ମର କାହାଣୀ ଭଳି ଲାଗିପାରେ ସତ କିନ୍ତୁ ଏହି ଅଧ୍ୟୟନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହା ପଛର ବିଜ୍ଞାନ ମଧ୍ୟ ଖୁବ ଆକର୍ଷଣୀୟ ।
ବୈଜ୍ଞାନିକମାନଙ୍କ ମତରେ, ଶରୀରରେ କ୍ୟାନସର ହେଲେ କିଛି ବିଶେଷ ପ୍ରକାରର ରାସାୟନିକ ଯୌଗିକ ବାହାର କରିଥାଏ । କିନ୍ତୁ ମଣିଷ ଏହି ରାସାୟନିକ ସଙ୍କେତକୁ ଘ୍ରାଣ ଶକ୍ତି ଦ୍ବାରା ଚିହ୍ନଟ କରିପାରେ ନାହିଁ । ହେଲେ କୁକୁରଙ୍କ ଘ୍ରାଣ ଶକ୍ତି ମଣିଷ ତୁଳନାରେ ଅନେକ ଗୁଣ ଅଧିକ ତୀକ୍ଷ୍ଣ । ଏହି କାରଣରୁ ସେମାନେ ବିସ୍ଫୋରକ, ନିଶା ମାଫିଆ ଏବଂ କିଛି ରୋଗର ସଙ୍କେତକୁ ଚିହ୍ନଟ କରିପାରିଥାଆନ୍ତି । ଅନେକ ଅଧ୍ୟୟନରେ ଦେଖାଯାଇଛି ଯେ, ପ୍ରଶିକ୍ଷିତ କୁକୁରମାନେ ନିଶ୍ୱାସ, ଝାଳ କିମ୍ବା ପରିସ୍ରା ନମୁନାରେ ଥିବା ଗନ୍ଧର ତଫାତକୁ ମଧ୍ୟ ଚିହ୍ନଟ କରିପାରନ୍ତି ।
ଭାରତୀୟ ଷ୍ଟାର୍ଟଅପ୍ Dognosis କୁକୁରଙ୍କ ଘ୍ରାଣ ଶକ୍ତିକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ସହ ଯୋଡ଼ିବାକୁ ଚେଷ୍ଟା କରିଛି । ଏହି ପ୍ରକ୍ରିୟାରେ ଜଣେ ବ୍ୟକ୍ତି ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଏକ କଟନ୍ ମାସ୍କରେ ନିଶ୍ୱାସ ନିଅନ୍ତି । ଏହାପରେ ସେହି ମାସ୍କକୁ ଲାବରେଟୋରୀକୁ ପଠାଯାଏ । ସେଠାରେ ପ୍ରଶିକ୍ଷିତ କୁକୁରମାନେ ସେହି ନମୁନାକୁ ଘ୍ରାଣ କରିଥାଆନ୍ତି । କୁକୁରଙ୍କ ଶାରୀରିକ ଗତିବିଧି, ନିଶ୍ୱାସ ନେବାର ଢଙ୍ଗ ଏବଂ ପ୍ରତିକ୍ରିୟାକୁ ସେନ୍ସର ମାଧ୍ୟମରେ ରେକର୍ଡ କରାଯାଇଥାଏ । ପରେ AI ଏହି ସଙ୍କେତଗୁଡ଼ିକର ବିଶ୍ଳେଷଣ କରେ । ଅର୍ଥାତ୍, ଏକ ଛୋଟ ମାସ୍କ, କିଛି ମିନିଟର ନିଶ୍ୱାସ ଏବଂ ତା’ପରେ ଆରମ୍ଭ ହୋଇଥାଏ ଏହି ଯାଞ୍ଚ ।
ଏହି ଗବେଷଣା ନିଶ୍ଚିତ ଭାବେ ଉପଯୋଗୀ ବୋଲି ମନେ ହେଉଛି । କିନ୍ତୁ ବଡ଼ ପ୍ରଶ୍ନ ଏବେ ବି ରହିଛି। କମ୍ପାନୀର ଦାବି ଅନୁସାରେ, କର୍ଣ୍ଣାଟକର ୬ଟି ହସ୍ପିଟାଲରେ ୧,୫୦୦ରୁ ଅଧିକ ଲୋକଙ୍କୁ ନେଇ କରାଯାଇଥିବା ଅଧ୍ୟୟନରେ ଏହି ପ୍ରଯୁକ୍ତି ୭ ପ୍ରକାରର କ୍ୟାନସର ଚିହ୍ନଟ କରିବାରେ ୯୦ ପ୍ରତିଶତରୁ ଅଧିକ ସଠିକତା ଦେଖାଇଛି ।
ଏହି ତଥ୍ୟ ଦେଖିଲେ ଏଭଳି ଗବେଷଣା ଉପରେ କିଛି ମାତ୍ରାରେ ଭରସା କରାଯାଇପାରେ ବୋଲି ମନେ ହୋଇପାରେ । ତେବେ ଏହା ମଣିଷର ଜୀବନ ଏବଂ ଚିକିତ୍ସା ପରୀକ୍ଷା ସହ ଜଡ଼ିତ ଏକ ବିଷୟ । ତେଣୁ ଏହି କ୍ଷେତ୍ରରେ ଆହୁରି ଅଧିକ ପରୀକ୍ଷା ଓ ଗବେଷଣାର ଆବଶ୍ୟକତା ରହିଛି । କାରଣ ପ୍ରାରମ୍ଭିକ ଫଳାଫଳ ଭଲ ଆସିବା ଏବଂ ଏହି ପ୍ରଯୁକ୍ତିକୁ ଦୈନନ୍ଦିନ ଚିକିତ୍ସା ପରୀକ୍ଷାରେ ବ୍ୟବହାର କରିବା । ଯାହା ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ କଥା । କିନ୍ତୁ ଯଦି ଏଭଳି ଗବେଷଣା ସଠିକ୍ ପ୍ରମାଣିତ ହୁଏ ତେବେ ଭବିଷ୍ୟତରେ ହସ୍ପିଟାଲରେ ‘କ୍ୟାନସର ସ୍ନିଫର୍ ଡଗ୍’ ବା କ୍ୟାନସର ଚିହ୍ନଟକାରୀ କୁକୁର ଦେଖିବାକୁ ମିଳିପାରେ ବୋଲି କଳ୍ପନା କରାଯାଉଛି ।
ବିଶେଷଜ୍ଞମାନଙ୍କ କହିବା ଅନୁସାରେ, କୁକୁରଙ୍କ ଏହି କ୍ଷମତା ଅତ୍ୟନ୍ତ ଆକର୍ଷଣୀୟ। କିନ୍ତୁ ସେମାନଙ୍କୁ ବ୍ୟାପକ ଭାବରେ ମେଡିକାଲ୍ ସ୍କ୍ରିନିଂ ବ୍ୟବସ୍ଥାରେ ସାମିଲ କରିବା ସହଜ ହେବ ନାହିଁ। ପ୍ରଶିକ୍ଷଣ, ଯତ୍ନ ଏବଂ ପ୍ରତିଥର ସମାନ ସ୍ତରର ସଠିକତା ବଜାୟ ରଖିବା ବଡ଼ ଚ୍ୟାଲେଞ୍ଜିଂ ହେବ । ତେବେ ଏଭଳି ଗବେଷଣା ମାଧ୍ୟମରେ ବୈଜ୍ଞାନିକମାନେ ପ୍ରକୃତରେ ସେହି ରାସାୟନିକ ସଙ୍କେତଗୁଡ଼ିକୁ ବୁଝିବାକୁ ଚାହୁଁଛନ୍ତି, ଯାହାକୁ କୁକୁରମାନେ ଚିହ୍ନଟ କରିପାରନ୍ତି । ଯଦି ଏହି ସଙ୍କେତଗୁଡ଼ିକୁ ସଠିକ୍ ଭାବେ ଚିହ୍ନଟ କରାଯାଇପାରେ, ତେବେ ଭବିଷ୍ୟତରେ କୁକୁରଙ୍କ ଭଳି ସମ୍ବେଦନଶୀଳତା ସହ କ୍ୟାନସର ଚିହ୍ନଟ କରିପାରୁଥିବା ମେସିନ୍ ତିଆରି ହୋଇପାରେ । ଅର୍ଥାତ୍, କୁକୁରମାନେ କ୍ୟାନସରର ଗନ୍ଧ ଚିହ୍ନଟ କରିପାରନ୍ତି କି ନାହିଁ, ଏହାର ଉତ୍ତର ଏବେ ନିଶ୍ଚିତ ଭାବେ ହଁ’ କିମ୍ବା ନା’ରେ ଦିଆଯାଇପାରିବ ନାହିଁ । କିନ୍ତୁ ଏଭଳି ଗବେଷଣା ଏହି ଜଟିଳ ରୋଗର ସ୍କ୍ରିନିଂରେ ଭବିଷ୍ୟତରେ ସହାୟକ ହୋଇପାରେ । ଅର୍ଥାତ୍ ମଣିଷର ‘ବେଷ୍ଟ ଫ୍ରେଣ୍ଡ’ କୁହାଯାଉଥିବା କୁକୁର ଭବିଷ୍ୟତରେ ତାଙ୍କ ମେଡିକାଲ୍ ଯାତ୍ରାରେ ମଧ୍ୟ ସହଯୋଗୀ ହୋଇପାରେ ।
