Tuesday, March 31, 2026
25.7 C
Odisha

    ଟେକ୍ସଟାଇଲ୍, ଖାଦ୍ୟ ପ୍ରକ୍ରିୟାକରଣ ପରି କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଲୋକସେବା ଭବନରେ ରାଜ୍ୟର ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ସମୀକ୍ଷା କରି ଅଧିକ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର ଗୁଡିକ ଉପରେ ଗୁରୁତ୍ୱପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ୫ ବର୍ଷରେ ରାଜ୍ୟରେ ୩.୫ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ପରି କ୍ଷେତ୍ରଗୁଡିକରେ ଅଧିକ ନିଯୁକ୍ତି ସମ୍ଭାବନା ରହିଛି। ତେଣୁ ଏ ସବୁ କ୍ଷେତ୍ରରେ କିପରି ଅଧିକ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ସେଥି ପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ଏ ସବୁ କ୍ଷେତ୍ରରେ ଓଡିଆ ଉଦ୍ୟୋଗୀମାନଙ୍କୁ ଶିଳ୍ପ ସ୍ଥାପନ ପାଇଁ ଉତ୍ସାହିତ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।

    ସମୀକ୍ଷା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ କେନ୍ଦୁଝର ପରି ଖଣିଜ ସମ୍ପଦ ସମୃଦ୍ଧ ଜିଲ୍ଲାରେ ଏ ପର୍ଯ୍ୟନ୍ତ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପିତ ହୋଇପାରି ନାହିଁ। ଜିଲ୍ଲାରେ ଖଣିଜ ସମ୍ପଦ ସହ ଜମି, ଜଳ, ବିଦ୍ୟୁତ, ଯୋଗାଯୋଗର ସୁବିଧା ଆଦି ସବୁ ଆନୁଷଙ୍ଗିକ ଭିତ୍ତିଭୂମିର ସୁବିଧା ମଧ୍ୟ ରହିଛି। ତେଣୁ ସେଠାରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଉଦ୍ୟମ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଆଲୋଚନା ପରେ ନିଷ୍ପତ୍ତି ହୋଇଥିଲା ଯେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇ କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ବିଭିନ୍ନ ଆଗ୍ରହୀ ଶିଳ୍ପ ସଂସ୍ଥା ସହିତ ଆଲୋଚନା କରାଯାଇ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ।

     

    ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ବିଭିନ୍ନ କ୍ଷେତ୍ରର ଶିଳ୍ପ ପ୍ରତିଷ୍ଠାରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଉପସ୍ଥାପନା କରିଥିଲେ। ସେ କହିଥିଲେ ଯେ ରାଜ୍ୟରେ ୨୦୧୬ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୯୮୯ଟି ଶିଳ୍ପ ପ୍ରତିଷ୍ଠା ପାଇଁ ଆବେଦନ ଆସିଥିବା ବେଳେ ୬୭୪ଟି ପ୍ରକଳ୍ପ ସିଙ୍ଗିଲ ୱିଣ୍ଡୋ ଅଥରିଟି ଦ୍ୱାରା ଅନୁମୋଦନ ପାଇଛି। ସେଥି ମଧ୍ୟରୁ ୩୫୨ଟି ପ୍ରକଳ୍ପକୁ ଜମି ହସ୍ତାନ୍ତର କରାଯାଇଛି। ଏତଦ୍‌ ବ୍ୟତିତ ୧୮୩ଟି ପ୍ରକଳ୍ପ ଶିଳ୍ପ ସ୍ଥାପନ ପାଇଁ କାମ ଆରମ୍ଭ ହୋଇଛି। ୭୪ଟି ଶିଳ୍ପ କାର୍ଯ୍ୟକ୍ଷମ ହୋଇସାରିଛି।

    ସେହିପରି ରାଜ୍ୟରେ ୧୨ଟି ବୈଦେଶିକ ପୁଞ୍ଜି ବିନିଯୋଗ ପ୍ରସ୍ତାବ ରହିଛି । ୪୧ଟି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜି ନିବେଶ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ଶିଳ୍ପ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ବୋଲି ଶର୍ମା ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିପୁଳ ସୁଯୋଗ ରହିଛି। ଏ ଦିଗରେ ସମସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ସରକାରୀ ସ୍ତରରେ ଶିଳ୍ପ ସଂସ୍ଥାମାନଙ୍କୁ ଉପଯୁକ୍ତ ସୁଯୋଗ ଯୋଗାଇଦେବା ସହିତ ସେମାନଙ୍କ ସମସ୍ତ ଆବଶ୍ୟକତା ପୂରଣ ଦିଗରେ ସରକାରଙ୍କ ସମସ୍ତ ସଂପୃକ୍ତ ବିଭାଗ ସହଯୋଗ ଯୋଗାଇଦେବା ଜରୁରୀ ବୋଲି ସେ ମତ ଦେଇଥିଲେ। ବୈଠକରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆ ଓ ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    48 %
    1.3kmh
    1 %
    Tue
    38 °
    Wed
    39 °
    Thu
    41 °
    Fri
    39 °
    Sat
    39 °

    ସମ୍ବନ୍ଧିତ