Thursday, May 14, 2026
27.6 C
Odisha

    ବିଶ୍ୱାସର ସଙ୍ଗମ: ବୁଡ଼ ପକାଇବେ ୪୦ କୋଟି ଶ୍ରଦ୍ଧାଳୁ

    ଆଗକୁ ପଢନ୍ତୁ

    ପ୍ରୟାଗରାଜ: କୁଳୁକୁଳୁ ନାଦରେ ବହିଯାଉଛି ଗଙ୍ଗାର ଧାରା। ସାଙ୍ଗରେ ମିଶିଛି ଯମୁନା ନୀର। ମାତ୍ର ଦେଖିବାକୁ ମିଳୁନି ସରସ୍ୱତୀର ସୁଅ। ଏହି ତିନି ନଦୀର ମିଳନସ୍ଥଳ ‘ତ୍ରିବେଣୀ ସଙ୍ଗମ’ ପାଲଟିଛି ଦେଶବାସୀଙ୍କ ବିଶ୍ୱାସର ସଙ୍ଗମ। କେବଳ ଭାରତ କାହିଁକି, ବିଦେଶରୁ ମଧ୍ୟ ଲକ୍ଷାଧିକ ଶ୍ରଦ୍ଧାଳୁ ତ୍ରିବେଣୀରେ ବୁଡ଼ ପକାଇବାକୁ ଧାଇଁ ଆସୁଛନ୍ତି। ଆଉ ଏଥର ୧୨ ବର୍ଷରେ ଥରେ ପଡ଼ୁଥିବା ମହାକୁମ୍ଭରେ ମହାସ୍ନାନ କରିବାକୁ ଗହଳି ଚହଳି ଦେଖିବାକୁ ମିଳିଲାଣି। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରୟାଗରାଜରେ ଡେରା ପକାଇଛନ୍ତି। ସମସ୍ତଙ୍କ ମନରେ ଭରି ରହିଛି ଭକ୍ତି ଓ ବିଶ୍ୱାସ।

    ସ୍ୱାମୀ ଶଶାଙ୍କ ଶେଖରଙ୍କ କହିବାନୁଯାୟୀ ହିନ୍ଦୁଧର୍ମର ବିଶ୍ୱାସ ଅନୁଯାୟୀ ମହାକୁମ୍ଭ ସ୍ନାନ ଦ୍ୱାରା ପାପ କ୍ଷୟ ହୁଏ। ଏହା ମୋକ୍ଷ ପ୍ରାପ୍ତିର ମାର୍ଗ। ଜ୍ୟୋତିଷ ଶାସ୍ତ୍ର ମତରେ ମକର ସଂକ୍ରାନ୍ତିଠାରୁ ମହାଶିବରାତ୍ରି ପର୍ଯ୍ୟନ୍ତ ମହାକୁମ୍ଭ ସ୍ନାନ ଆଧ୍ୟାତ୍ମିକ, ଶାରୀରିକ ଓ ମାନସିକ ଶକ୍ତିର ବିକାଶ କରିଥାଏ। ଶ୍ରଦ୍ଧାଳୁମାନେ ଗଙ୍ଗାଜଳରେ ସ୍ନାନ କରିବା ଦ୍ୱାରା ଜଳ, ବାୟୁମଣ୍ଡଳ ତଥା ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଶକ୍ତିର ସତ୍ତା ଅନୁଭବ କରନ୍ତି। କୁମ୍ଭମେଳାରେ ଯୋଗଦେଲେ ସ୍ୱତଃ ମାନସିକ, ଶାରୀରିକ ଓ ବୌଦ୍ଧ କ ଅଭିବୃଦ୍ଧି ହୋଇଥାଏ। ଏହା ହିଁ ମୋକ୍ଷର ମାର୍ଗ। କୁମ୍ଭସ୍ନାନର ଶ୍ରେଷ୍ଠ ଦିବସ ଭାବେ ପରିଗଣିତ ହେଉଥିବା ମୌନୀ ଅମାବାସ୍ୟାରେ ସ୍ନାନ କଲେ ଅମାପ ଆଧ୍ୟାତ୍ମିକ ଶକ୍ତି ମିଳିଥାଏ। ଗଙ୍ଗାର ପବିତ୍ର ଜଳ ମକର ସଂକ୍ରାନ୍ତି ସମୟରେ ଆଧ୍ୟତ୍ମିକ ଶକ୍ତି ଦ୍ୱାରା ଶକ୍ତିଶାଳୀ ହୋଇଥାଏ। ଏହି ସମୟରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ଅମୃତର ସ୍ୱାଦ ଅର୍ଥାତ ଐଶ୍ୱରିକ ସତ୍ତାର ଉପଲବ୍ଧି ମିଳେ ବୋଲି ଲୋକଙ୍କର ବିଶ୍ୱାସ ରହିଛି। କୁମ୍ଭସ୍ନାନ ଦ୍ୱାରା ଧର୍ମ, ଅର୍ଥ, କାମ ଓ ମୋକ୍ଷ ମିଳିଥାଏ। କୁମ୍ଭପର୍ବରେ ବିଧିବିଧାନ ପୂର୍ବକ ସ୍ନାନ ଓ ଦାନ ଆଦି କଲେ ଶତ ଅଶ୍ୱମେଧ ଯଜ୍ଞର ଫଳପ୍ରାପ୍ତି ହୁଏ। ତେଣୁ ପ୍ରତିବର୍ଷ ପ୍ରାୟ ୨୦ରୁ ୨୨ କୋଟି ଲୋକ ଏଠାକୁ ଆସିଥାନ୍ତି। ଏ ବର୍ଷ ମହାକୁମ୍ଭ ମେଳା ଅନୁଷ୍ଠିତ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୪୦ କୋଟି ଟପିଯିବାର ସମ୍ଭାବନା ରହିଛି।

    ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସଙ୍ଗମସ୍ଥଳରେ ରାଜକୀୟ ସ୍ନାନ ଓ ଦର୍ଶନ ନିମନ୍ତେ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ସାଧୁ, ସନ୍ଥ, ବାବାଜୀ, ମହନ୍ତ, ଧର୍ମଗୁରୁ ଓ ନାଗା ସାଧୁଗଣ ଆସିବାକୁ ଥିବାରୁ ଗଙ୍ଗା ନଦୀ ଭିତରେ ଯଜ୍ଞ ପାଇଁ ସ୍ଥାନ ଚିହ୍ନଟ କରାଯାଉଛି। କିଏ କେଉଁଠୁ ଆସିଲେ କେଉଁ ସ୍ଥାନରେ ଯଜ୍ଞ କରିବେ, ତାହାର ବ୍ୟବସ୍ଥା ହୋଇଛି। ଏଥର ପ୍ରାୟ ୨ଲକ୍ଷ ସାଧୁସନ୍ଥ ସାମିଲ ହେବାକୁ ଥିବାରୁ ୬ ହଜାର ଯଜ୍ଞସ୍ଥଳ କରାଯିବ। ଉତ୍ତର ପ୍ରଦେଶ ସାଧୁସନ୍ଥଙ୍କ ପାଇଁ ଅଲଗା ଯଜ୍ଞସ୍ଥଳ ହେଉଛି। ମହାକୁମ୍ଭ ମେଳାରେ ଏଥର ପ୍ରାୟ ୪୦ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି। ୨୦୨୩ରେ ପ୍ରାୟ ୨୩ କୋଟି ଶ୍ରଦ୍ଧାଳୁ ଆସିଥିବାରୁ ଏଥର ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି। ବିଶେଷକରି ସଙ୍ଗମସ୍ଥଳରେ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ଥିବାରୁ ସେଠାରେ ୬ହଜାର ନାବିକଙ୍କୁ ନିୟୋଜିତ କରାଯିବ।

    ୪୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହାଯଜ୍ଞକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତି ଚାଲିଛି। ଏକ ସମ୍ପୂର୍ଣ୍ଣ ନୂଆ ସହର ଛିଡ଼ା କରାଯାଉଛି। ସହରର ବିଭିନ୍ନ ପ୍ରକଳ୍ପ ପାଇଁ ୭ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପ୍ରସ୍ତୁତି ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଅଯୋଧ୍ୟା, ବାରାଣସୀ, ରାୟବରେଲି ଓ ଲକ୍ଷ୍ନୌ ଭଳି ସହରକୁ ପ୍ରୟାଗରାଜର ଯୋଗାଯୋଗରେ ଉନ୍ନତି ଆଣିବା ଉପରେ ଗୁରୁତ୍ବ ଦିଆଯାଉଛି। ପ୍ରୟାଗରାଜରେ ଅକ୍ଷୟ ବଟ କରିଡର୍‌, ହନୁମାନ ମନ୍ଦିର କରିଡର୍‌ ଓ ଭରଦ୍ୱାଜ ଋଷି ଆଶ୍ରମ କରିଡର୍‌ ହେଉଛି, ଯାହାକି ଶ୍ରଦ୍ଧାଳୁଙ୍କୁ ଭିନ୍ନ ଅନୁଭୂତି ଦେବ। ଏଥିସହ ତୀର୍ଥଯାତ୍ରୀଙ୍କ ପାଇଁ ସରସ୍ୱତୀ କୂପ, ପାତାଳପୁରୀ, ନାଗବାସୁକି ଓ ଦ୍ୱାଦଶ ମାଧବ ମନ୍ଦିର ଭଳି ସ୍ଥାନର ଉନ୍ନତୀକରଣ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    70 %
    3.7kmh
    100 %
    Thu
    28 °
    Fri
    43 °
    Sat
    41 °
    Sun
    43 °
    Mon
    46 °

    ସମ୍ବନ୍ଧିତ