Monday, March 30, 2026
33.2 C
Odisha

    ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା: ଜେଲ୍‌ରୁ ମୁକୁଳିଲେ ଶିବଶଙ୍କର ଦାସ

    ଆଗକୁ ପଢନ୍ତୁ

    କଟକ/ବ୍ରହ୍ମପୁର: ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ୪୦ ହଜାର ଟଙ୍କାର ଦୁଇ ଜଣ ସ୍ଥାନୀୟ ଜାମିନଦାରଙ୍କ ବଦଳରେ ନିମ୍ନ ଅଦାଲତ ଶ୍ରୀ ଦାଶଙ୍କୁ ଜାମିନରେ ଛାଡ଼ିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାମିନରେ ଛାଡ଼ ପାଇବା ପରେ ସମାନ ଧରଣର କୌଣସି ଅପରାଧରେ ସେ ସଂପୃକ୍ତ ହେବେ ନାହିଁ, ତଦନ୍ତରେ ସହଯୋଗ କରିବେ, ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଆବଶ୍ୟକ ବେଳେ ହାଜର ହେବେ, ଟ୍ରାଏଲ ବେଳେ ସବୁ ତାରିଖରେ ନିମ୍ନ ଅଦାଲତରେ ଉପସ୍ଥିତ ରହିବେ, ଏତଲାକାରୀ ଓ ପୀଡ଼ିତଙ୍କୁ ଧମକ ବା ଭୟଭୀତ କରିବେ ନାହିଁ, ତିନି ମାସ ପର୍ଯ୍ୟନ୍ତ ପ୍ରତି ୧୫ ଦିନରେ ଥରେ ରବିବାର ଦିନ ୧୦ଟାରୁ ୧ଟା ଭିତରେ ସ୍ଥାନୀୟ ଥାନାରେ ହାଜର ହେବେ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି। ଯଦି ଆବେଦନକାରୀ ସର୍ତ୍ତ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ଜାମିନ ବାତିଲ ହେବ। ନିମ୍ନ ଅଦାଲତ ଚାହିଁଲେ ଅନ୍ୟ ସର୍ତ୍ତ ମଧ୍ୟ ଧାର୍ଯ୍ୟ କରି ପାରିବେ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଦାଶଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
    ମାମଲାର ବିବରଣୀରୁ ପ୍ରକାଶ ଯେ ସାଧାରଣ ନିର୍ବାଚନ ଦିନ ମେ ୧୩ରେ ଗୋଷାଣୀ ନୂ୍ଆଗାଁ ଥାନା ସମ୍ମୁଖରେ ଥିବା ୧୩୨ ନମ୍ବର ବୁଥ୍‌ରେ ଇଭିଏମ୍‌ ସିଲ ହୋଇ ନଥିବା ଖବର ମିଳିବା ପରେ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ନିଜ ସମର୍ଥକଙ୍କ ସହିତ ସେଠାକୁ ଯାଇଥିଲେ। ଶ୍ରୀ ପାଣିଗ୍ରାହୀ ବୁଥ୍‌ ନିକଟରେ ଛିଡ଼ା ହୋଇ କିଛି ଲୋକଙ୍କ ସହିତ ଆଲୋଚନା କରୁଥିବା ବେଳେ ସେଠାରେ ବ୍ରହ୍ମପୁର ବିଧାନସଭା ଆସନର ସ୍ବାଧୀନ ପ୍ରାର୍ଥୀ ଶ୍ରୀ ଦାଶ ପହଞ୍ଚିଥିଲେ। କୌଣସି କାରଣରୁ ଶ୍ରୀ ଦାଶ ଶ୍ରୀ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥି‌ବା ଅଭିଯୋଗ ହୋଇଥିଲା। ଶିବଶଙ୍କରଙ୍କ ଆକ୍ରମଣରେ ଶ୍ରୀ ପାଣିଗ୍ରାହୀ ତଳେ ପଡ଼ି ଯାଇଥିଲେ। ଶ୍ରୀ ପାଣିଗ୍ରାହୀଙ୍କୁ ପ୍ରଥମେ ଏମକେସିଜି ଓ ପରବର୍ତ୍ତୀ ସମୟରେ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଶ୍ରୀ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣକୁ ନେଇ ଗୋସାଇଁ ନୂ୍ଆଗାଁ ଥାନାରେ ରୁଜୁ ମାମଲାରେ ମେ ୧୪ରେ ଶ୍ରୀ ଦାଶଙ୍କୁ ଗିରଫ କରାଯାଇଥିଲା। ୨୦୨୪, ମେ ୨୦ରେ ଗଞ୍ଜାମ ଦୌରା ଜଜ୍ ଅଦାଲତ ଶ୍ରୀ ଦାଶଙ୍କ ଜାମିନ ଖାରଜ କରିବା ପରେ ସେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ