Friday, October 16, 2026
21.9 C
Odisha

    ଶାଶୁ, ଶ୍ୱଶୁରଙ୍କ ଉପରେ ଗରମ ପାଣି ପକାଇଲା ବୋହୂ

    ଆଗକୁ ପଢନ୍ତୁ

    ଅତ୍ୟନ୍ତ ଅମାନବୀୟ, ଅଭାବନୀୟ ଓ ହୃଦୟ ବିଦାରକ ଦୃଶ୍ୟ। ଏହି ଦୃଶ୍ୟ ଯେକୌଣସି ଲୋକଙ୍କୁ ବିଚଳିତ କରିଦେବ । କାରଣ ବୁଢ଼ା ବୟସରେ ମୁଣ୍ଡ ଗୁଞ୍ଜିବାକୁ ବୃଦ୍ଧଜଣକ ଘର ଖଣ୍ଡେ କରିଥିଲେ। ମାତ୍ର ଏବେ ବୟସ ଗଡ଼ିଯିବା ପରେ ମୁଣ୍ଡ ଗୁଞ୍ଜିବାକୁ ଜାଗା ପାଉ ନାହାନ୍ତି। କାରଣ ବଡ଼ ପୁଅ, ବୋହୂ ବୁଢ଼ା ବାପାମା’ଙ୍କୁ ଘରେ ପଶାଇ ଦେଉନାହାନ୍ତି। ଏପରିକି ବୃଦ୍ଧ ବାପାମା’ଙ୍କୁ ଘଉଡ଼ାଇବା ପାଇଁ ଛାତ ଉପରୁ ଗରମ ପାଣି ପକାଇବା ସହ ଟେକାପଥର ପକାଇବାକୁ ପଛାଉ ନାହାନ୍ତି। ଏପରି ଏକ କୁତ୍ସିତ ଓ ଅସାମାଜିକ ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସିରେ ଘଟିଛି।

    ଭୁବନ ଏନଏସିରେ ରହୁଥିବା ବୁଦ୍ଧିମନ୍ତ ସାହୁ ନାମକ ବୃଦ୍ଧଙ୍କର ୪ ପୁଅ ଅଛନ୍ତି। ବୁଦ୍ଧିମନ୍ତ ସାହୁ ଘର କରିଥିବା ବେଳେ ସେଥିରେ ସବୁ ପୁଅଙ୍କ ପାଇଁ ବଖରାଏ ଲେଖା କରିଛନ୍ତି। ମାତ୍ର ବଡ଼ ପୁଅ ରବି ସାହୁ ଓ ବୋହୁ ନନ୍ଦିନୀ ଏକାକୀ ଉକ୍ତ ଘରକୁ କବଜା କରିଥିବା ଅଭିଯୋଗ ହୋଇଛି ।

    ଏନେଇ ପ୍ରତିବାଦ କରିବା ସହ ନିଜ ଘରେ ପଶିବାକୁ ବୁଦ୍ଧିମନ୍ତ ପତ୍ନୀ ବାଜଙ୍କ ସହ ସେଠାକୁ ଗତ ୨୭ ତାରିଖରେ ଯାଇଥିଲେ। ମାତ୍ର ପୁଅବୋହୂ ବାପାମା’ଙ୍କୁ ଘରେ ପଶାଇଦେବା ଦୂରର କଥା ଭିତରୁ ତାଲା ପକାଇଦେଲେ। ଏହାପରେ ଆରମ୍ଭ ହୋଇଗଲା ହାଇଡ୍ରାମା ।ବାପାମା’ ଘର ଭିତରେ ଥିବା ବେଳେ ବୋହୂ ଛାତ ଉପରେ ଆରମ୍ଭ କରିଦେଲେ ନୃଶଂ କାଣ୍ଡ। ଘରେ ପୁଅ ରବି ଗରମ ପାଣି ପ୍ରସ୍ତୁତ କରୁଥିବା ବେଳେ ପତ୍ନୀ ନନ୍ଦିନୀ ଓ ତାଙ୍କ ପୁଅ ଛାତ ଉପରୁ ବୁଢ଼ାବୁଢ଼ୀଙ୍କ ଉପରକୁ ଗରମ ପାଣି ଢାଳିଥିଲେ। ଏତିକିରେ ମନ ଶାନ୍ତି ନ ହେବାରୁ ରବିଙ୍କ ପୁଅ ସେମାନଙ୍କ ଉପରକୁ ଟେକାପଥର ମାଡ଼ କରିବାକୁ ପଛାଇ ନ ଥିଲେ।

    ଗରମ ପାଣି ପଡ଼ିବା ଯୋଗୁ ଉଭୟ ବୁଦ୍ଧିମନ୍ତ ଓ ବାଜଙ୍କ ଶରୀରର ବହୁ ସ୍ଥାନରୁ ଚମଡ଼ା ଉଠି ଯାଇଛି। ଏହାପରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ଉଭୟ ଆଖିରୁ ଲୁହ ଗଡ଼ାଇବା ସହ ନିଜ ଭାଗ୍ୟକୁ ନିନ୍ଦୁଥିବା ବେଳେ ସେମାନଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି।

    ଏପରିକି ଏନେଇ ବୁଦ୍ଧିମନ୍ତ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ କରିଛନ୍ତି । ପୁଲିସ୍‌ ସେମାନଙ୍କୁ ଡକାଇ ପୁଣି ଛାଡ଼ିଦେଇଥିବାରୁ ସେମାନଙ୍କ ଉତ୍ପାତ ବଢ଼ି ଚାଲିଥିବା କହିଛନ୍ତି ବୁଦ୍ଧିମନ୍ତ । ଫଳରେ ସେମାନେ ଆମ ଉପରେ ଅସହ୍ୟ ନିର୍ଯାତନା କରୁଥିବା ବେଳେ ଆମେ କାହା ପାଖରେ ଗୁହାରୀ କରିବୁ ବୋଲି ସେ ପ୍ରଶ୍ନ କରିଛନ୍ତି।

    ଜଣେ ପୁଅର ନିଜ ବାପାମା’ଙ୍କ ପ୍ରତି ଏପରି ଆଚରଣକୁ ସଭ୍ୟ ସମାଜରେ ନାପସନ୍ଦ କରାଯାଇଛି। ଏଥିସହ ପୁଲିସ୍‌ କିପରି ଏହି ଘଟଣାରେ ତତ୍ପରତା ପ୍ରକାଶ କରୁ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    98 %
    1kmh
    72 %
    Fri
    28 °
    Sat
    28 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ