ଢେଙ୍କାନାଳ: ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ସାଧୁ ସନ୍ୟାସୀମାନଙ୍କ ପାଇଁ ଯୋରନ୍ଦା ମହିମା ଗାଦୀ ଆଦିପୀଠ ଭାବେ ପରିଚିତ । ଦେଶରେ ମହିମା ଧର୍ମର ସ୍ୱତନ୍ତ୍ର ପରିଚୟ ଥିବା ବେଳେ ପୀଠର ସୌନ୍ଦର୍ଯ୍ୟକରଣ କରିବା ନିମନ୍ତେ ବିଭିନ୍ନ ସମୟରେ ଉଦ୍ୟମ କରାଯାଇଛି । ମାତ୍ର ଦୀର୍ଘ ୧୭ ବର୍ଷ ଧରି ଲଗାଯାଇଥିବା ୧୨ କ୍ୱିଣ୍ଟାଲ ଓଜନର ଏକ ବୃହତ ଘଣ୍ଟି ନବାଜିବାରୁ ତାହା ଅବ୍ୟବହୃତ ହୋଇ ପଡିରହିଥିବା ବେଳେ ସେଥିରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି ।
ଯୋରନ୍ଦାରେ ପ୍ରତିବର୍ଷ ମାଘ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମାଘ ମେଳା ଅନୁଷ୍ଠିତ ହୋଇଥାଏ । ମହିମା ଧର୍ମାବଲମ୍ବିମାନଙ୍କ ପାଇଁ ଗତ ୨୦୦୭ ମସିହା ଜାନୁଆରୀ ୩୧ ତାରିଖରେ ପ୍ରାୟ ୫ଲକ୍ଷ ଟଙ୍କା ବ୍ୟୟରେ ଏକ ଘଣ୍ଟି ନିର୍ମାଣ କରାଯାଇଥିଲା । ଘଣ୍ଟିର ଓଜନ ପ୍ରାୟ ୧୧ଶହ ୫୦ କିଲୋଗ୍ରାମ ହୋଇଥିବା ବେଳେ କଂସା ପିତ୍ତଳ ମିଶ୍ରିତ ଏହି ଘଣ୍ଟିଟି ୧୨ବର୍ଗ ମିଟର ହେବ ବୋଲି ଜଣାପଡ଼ିଛି । ବକ୍କଳଧାରୀ ମହିମା ସମାଜ ତରଫରୁ ଏହି ଘଣ୍ଟିକୁ ୨୦୦୬ ଡିସେମ୍ବର ୧୬ ତାରିଖରେ ନୟାଗଡ କଣ୍ଟିଲୋ ର ୧୭ଜଣ କାରିଗର ମହିମା ଧାମରେ ଢଳେଇ କରି ନିର୍ମାଣ କରିଥିଲେ । କିନ୍ତୁ ଘଣ୍ଟିଟି ଲଗାଯିବା ପରେ ତାହ ବାଜି ନଥିଲା । ଗାଦିମନ୍ଦିରର ତୃତୀୟ ବେଢାରେ ରହିଥିବା ଏହି ଘଣ୍ଟି ପ୍ରଭୁଙ୍କ ସମର୍ପଣ ପରେ ନବାଜିବାରୁ ଭକ୍ତମାନେ ନିରାଶ ହୋଇଥିଲେ । ଘଣ୍ଟି ନିର୍ମାଣରେ କୌଣସି ବୈଷୟୀକ ତୃଟି ଯୋଗୁ ବାଜିଲା ନାହିଁ ବୋଲି କୁହାଯାଉଥିବା ବେଳେ ଏହା ଅଶୁଭ ସମୟରେ ସମର୍ପଣ କରାଯାଇଥିବାରୁ ବାଜିଲା ନାହିଁ ବୋଲି ମଧ୍ୟ କୁହାଯାଉଛି । ବିଶ୍ୱର ଏହା ସବୁଠାରୁ ବୃହତ୍ତମ ଘଣ୍ଟି ବୋଲି କୁହାଯାଉଥିବା ବେଳେ ଏହା ବାଜିଥିଲେ ୨୫ କିଲୋମିଟର ପର୍ଯ୍ୟନ୍ତ ଏହାର ଧ୍ୱନୀ ଶୁଣାଯିବାର ଥିଲା । ଏଭଳି ଏକ ଘଣ୍ଟି ନିର୍ମାଣ ପରେ ଦିର୍ଘ ୧୭ ବର୍ଷ ଧରି ସେମିତି ପହିରହିଛି । ଏହାର କାରଣ ଏବଂ ଏଥିରୁ ଶବ୍ଦ ନବାହାରିବାର କାରଣ ଖୋଜିବାକୁ ମଧ୍ୟ କୌଣସି ତତ୍ପରତା ଦେଖାଯାଇନାହିଁ । ଏଭଳି ଘଣ୍ଟି କୁ ପୁଣି ଥରେ ପ୍ରସ୍ତୁତ କରି ସ୍ଥାପନ କରିବାକୁ ଦାବି ହୋଇଛି । ଆଗକୁ ମାଘ ମାସ ଏବଂ ଯୋରନ୍ଦା ମେଳା ଥିବାରୁ ଏହା ପୂର୍ବରୁ ପୁଣି ଥରେ ରାଜ୍ୟରେ ଥିବା ପ୍ରସିଦ୍ଧ ଧ୍ୱନୀବିଜ୍ଞାନୀଙ୍କ ସହାୟତାରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ମହିମା ଧର୍ମର ଉପାସକ ମାନେ ଦାବି କରିଛନ୍ତି ।