Sunday, October 4, 2026
29.6 C
Odisha

    ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି ଆଉ ନାହାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି ଆଉ ନାହାନ୍ତି। ନେସନାଲ ସ୍କୁଲ୍ ଅଫ୍ ଡ୍ରାମାର କୃତୀ ଛାତ୍ର, ବିଖ୍ୟାତ ଚଳଚ୍ଚିତ୍ର, ମଞ୍ଚ ଓ ଟେଲିଭିଜନ ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ନାରାୟଣ ପତିଙ୍କର ଆଜି ମସ୍ତିଷ୍କାଘାତ କାରଣରୁ ହଠାତ୍ ଆଜି ଆକସ୍ମିକ ପରଲୋକ ଘଟିଛି। ସେ ପ୍ରଥମେ ସଙ୍ଗୀତ ଲାଗି ଚର୍ଚ୍ଚିତ ଓଡ଼ିଆ ଛବି ‘ସମର ସଲିମ୍ ସାଇମନ୍’ରେ ଅଭିନୟ କରିଥିଲେ। ତେବେ ପ୍ରଖ୍ୟାତ ପ୍ରଯୋଜକ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରସିଦ୍ଧ ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଲକ୍ଷେ ଶିବ ପୂଜି ପାଇଚି ପୁଅ’(୧୯୯୪)ରେ ବାପା ଭୂମିକରେ ପ୍ରଭାବଶାଳୀ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ।ସେ ଏକ ଓଡ଼ିଆ ସିନେମାର ବି ନିର୍ଦ୍ଦେଶନା ଦେଇଛନ୍ତି, ଯାହାର ଶୀର୍ଷକ ହେଲା ‘ବୋଉର ହାତବାକ୍ସ’। ସଂଜୟ ଦାସଙ୍କ ନିବେଦିତ ତଥା ଚାଇରୋସନା ଫିଲ୍ମସ୍ ପ୍ରଡକ୍ସନ୍ ବ୍ୟାନର୍ରେ ନିର୍ମିତ ଆରତୀ ପାଟ୍ଟଯୋଶୀ ଏହାର କାହାଣୀ ଲେଖିଥିବା ବେଳେ ନାରାୟଣ ପତି ନିଜେ ଚିତ୍ରନାଟ୍ୟ ରଚନା ସାଙ୍ଗକୁ, ନିର୍ଦ୍ଦେଶନା ଦେବା ସହ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ବି ଅଭିନୟ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଲୋପାମୁଦ୍ରା ମିଶ୍ର ଓ ରାଜେଶ ପଣ୍ଡା ପ୍ରମୁଖ ଅଭିନୟ କରିଥିଲେ। ଦେବଦାସ ଛୋଟରାୟ ଓ ମାନଗୋବିନ୍ଦ ବାରିକ ଏଇ ସିନେମାର ଗୀତ ରଚନା କରିଥିବା ବେଳେ କ୍ଷୀତିପ୍ରକାଶ ମହାପାତ୍ର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ଓଡ଼ିଆ ଘରର କାହାଣୀ, ଚଳଣି ଓ ପରମ୍ପରାକୁ ନେଇ ପାରିବାରିକ ଚଳଚ୍ଚିତ୍ରଟିଏ ଥିଲା ‘ବୋଉର ହାତବାକ୍ସ।
    ନାରାୟଣ ପତି ବ୍ୟାସକବି ଫକୀରମୋହନ ସେନାପତିଙ୍କ କାଳଜୟୀ ସାହିତ୍ୟକୃତି ‘ଡାକମୁନସୀ’ ଉପରେ ଏକ ଓଡ଼ିଆ ସିନେମା ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଥିଲେ। ସେ ନିର୍ଦ୍ଦେଶନା ଦାୟିତ୍ବ ବହନ କରିଥିଲେ। ବିକାଶ ଦାସ ଏହାର ସଙ୍ଗୀତକାର। ‘ଡାକମୁନସୀ’ ଶୀର୍ଷକରେ ନିର୍ମାଣାଧୀନ ଏହି ସିନେମାର କଳାକାର ଚୟନ ଚାଲିଥିବା ବେଳେ ନାରାୟଣ ପତିଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ