Thursday, November 12, 2026
25.8 C
Odisha

    କରୀନାଙ୍କ ପେଣ୍ଡେଣ୍ଟକୁ ନେଇ ବିବାଦ, ଲିଗାଲ୍ ନୋଟିସ୍ ପଠାଇଲେ କଂଗ୍ରେସ ନେତା

    ଆଗକୁ ପଢନ୍ତୁ

    ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନଙ୍କ ଦୀପାବଳି ଲୁକ୍‌କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି  । ହେଲେ ତାଙ୍କ ଫ୍ୟାଶନ୍ ଷ୍ଟାଇଲ୍ ନୁହେଁ, ବରଂ ସେ ପିନ୍ଧିଥିବା ୨୦୦ ବର୍ଷ ପୁରୁଣା  ପେଣ୍ଡେଣ୍ଟକୁ ନେଇ ସୃଷ୍ଟି ହୋଇଛି ବିବାଦ । ଏହି ପେଣ୍ଡେଣ୍ଟରେ ପବିତ୍ର କୋରାନର ଆୟତୁଲ କୁର୍ସି ଲେଖାଥିବା ଦାବି କରାଯାଉଛି । ଏହାକୁ ଫ୍ୟାଶନ୍ ଆସେସୋରି ଭାବେ ପିନ୍ଧିବାକୁ ନେଇ ଆପତ୍ତି ଉଠାଇଛନ୍ତି କଂଗ୍ରେସ ନେତା ଆବାସ ହାଫିଜ୍ । ଏପରିକି ସେ କରୀନାଙ୍କୁ ଆଇନଗତ ନୋଟିସ୍ ମଧ୍ୟ ପଠାଇଛନ୍ତି ।

    ଆବାସ ହାଫିଜଙ୍କ ଅଭିଯୋଗ ଅନୁଯାୟୀ, କରୀନା ପିନ୍ଧିଥିବା ଏହି ପେଣ୍ଡେଣ୍ଟରେ ପବିତ୍ର କୋରାନର ଏକ ଗୁରୁତ୍ୱପୂର୍ଣ୍ଣ ଆୟତ୍ ଆୟାତୁଲ କୁର୍ସି ଖୋଦିତ ହୋଇଛି । ଏହି ଅଳଙ୍କାର ଭୋପାଳର ବେଗମଙ୍କ ଧାର୍ମିକ ପ୍ରାର୍ଥନା ସହ ଜଡ଼ିତ ଥିବା ସେ ଦାବି କରିଛନ୍ତି  । ତେଣୁ ଏଭଳି ଧାର୍ମିକ ମହତ୍ତ୍ୱ ଥିବା ଅଳଙ୍କାରକୁ କେବଳ ଫ୍ୟାଶନ୍ ସାମଗ୍ରୀ ଭାବେ ବ୍ୟବହାର କରିବା ଉଚିତ୍ ନୁହେଁ ବୋଲି କଂଗ୍ରେସ ନେତା ମତ ରଖିଛନ୍ତି । ଏଥିସହ କରୀନା ମୁସଲିମ୍ ସମ୍ପ୍ରଦାୟକୁ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି  । ତାଙ୍କ କହିବା ଅନୁଯାୟୀ, କୋରାନର ଆୟତଗୁଡ଼ିକ ମୁସଲିମ୍ ସମ୍ପ୍ରଦାୟ ପାଇଁ ଅତ୍ୟନ୍ତ ପବିତ୍ର ଏବଂ ଏହାକୁ ସର୍ବଦା ସମ୍ମାନର ସହ ଦେଖାଯାଏ । ତେବେ ଏହି ନୋଟିସ୍ ସେ ଜଣେ କଂଗ୍ରେସ ନେତା ଭାବେ ନୁହେଁ, ବରଂ ମୁସଲିମ୍ ସମ୍ପ୍ରଦାୟର ଜଣେ ସଦସ୍ୟ ଭାବେ ପଠାଇଥିବା କହିଛନ୍ତି ।ଦୀପାବଳି ଅବସରର କରୀନାଙ୍କ କିଛି ଷ୍ଟାଇଲିଷ୍ଟ ଫଟୋ ରିଆ କପୁର ଇନଷ୍ଟାଗ୍ରାମରେ ସେୟାର କରିବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା । ଫଟୋରେ କରୀନାଙ୍କୁ ଏକ ସୁନ୍ଦର ରୂପାର କଫତାନ୍ ସହ ପଗଡ଼ି ଏବଂ ଏହି ପୁରୁଣା ପେଣ୍ଡେଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।

    ରିଆ କପୁରଙ୍କ ପୋଷ୍ଟ ଅନୁଯାୟୀ, ଏହି ପେଣ୍ଡେଣ୍ଟଟି ପ୍ରାୟ ୨୦୦ ବର୍ଷ ପୁରୁଣା ଏବଂ ଭୋପାଳର ନବାବ ପରିବାରର ଏକ ଐତିହାସିକ ଅଳଙ୍କାର । ଏଥିରେ ୩୦ କ୍ୟାରେଟ୍‌ର ଏକ ମରକତ ପଥର ରହିଛି, ଯାହା ଉପରେ ଆୟାତୁଲ କୁର୍ସି ଖୋଦିତ ହୋଇଛି । ରିଆ ଏହାକୁ ଭୋପାଳର ରାଜପରିବାରର ଏକ ଅମୂଲ୍ୟ ଉତ୍ତରାଧିକାରୀ ଅଳଙ୍କାର ବୋଲି କହିଛନ୍ତି । ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ଅଳଙ୍କାରଗୁଡ଼ିକ କରୀନାଙ୍କ ପରିବାରର ଉତ୍ତରାଧିକାରୀ ସମ୍ପତ୍ତି । ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ପରିବାରରୁ ଏହା ମିଳିଛି । କରୀନାଙ୍କ ଜେଜେମା ସାଜିଦା ସୁଲତାନ ଭୋପାଳର ଶେଷ ନବାବଙ୍କ ଝିଅ ଥିଲେ । ତେଣୁ ଏହି ଅଳଙ୍କାର ସହ ତାଙ୍କ ପରିବାରର ଐତିହାସିକ ସମ୍ପର୍କ ରହିଛି । ତେବେ ଏହି ବିବାଦ ଉପରେ କରୀନା କପୁର ଖାନଙ୍କ ପକ୍ଷରୁ ଏଯାଏଁ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ । ଆଇନଗତ ନୋଟିସ୍‌ର ମଧ୍ୟ ସେ ଉତ୍ତର ଦେଇନାହାନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.8 ° C
    25.8 °
    25.8 °
    66 %
    1.4kmh
    0 %
    Thu
    26 °
    Fri
    27 °
    Sat
    27 °
    Sun
    26 °
    Mon
    26 °

    ସମ୍ବନ୍ଧିତ