Wednesday, April 1, 2026
35.5 C
Odisha

    ମାତୃଭାଷାର ବିକଳ୍ପ ହୋଇପାରିବନି ଇଂରାଜୀ: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜିକାଲିର ପିଲାମାନେ ଇଂରାଜୀ ଭାଷାକୁ ଯୋଗାଯୋଗର ଏକ ମାଧ୍ୟମ ଭାବେ ବ୍ୟବହାର ନ କରି, ଇଂରାଜୀ କହିବାକୁ ଏକ ଫେସନ୍ ଭାବେ ଗ୍ରହଣ କରୁଛନ୍ତି। ଇଂରାଜୀ ମାଧ୍ୟମରେ ପଢ଼ୁଥିବା ଅନେକ ଛାତ୍ରଛାତ୍ରୀ ଓଡ଼ିଆ ଭାଷା ପଢ଼ିବାରେ ଅକ୍ଷମ। ଏହା ଅତ୍ୟନ୍ତ ଦୁଃଖର ବିଷୟ। ଇଂରାଜୀ ଓ ହିନ୍ଦୀ ଆମ ପାଇଁ ଏକ ଲିଙ୍କ୍‌ ଲାଙ୍ଗୁଏଜ୍ ହୋଇପାରେ। କିନ୍ତୁ, ଏହା କେବେ ମାତୃଭାଷାର ବିକଳ୍ପ ହୋଇପାରିବ ନାହିଁ। ତେଣୁ ରାଜ୍ୟ ସରକାର ଓଡ଼ିଆ ଭାଷାର ବ୍ୟବହାର ଉପରେ ଗୁରୁତ୍ବ ଦେଇ କାମ ଆରମ୍ଭ କରିଛନ୍ତି। ସରକାରୀ ଫାଇଲ୍‌କୁ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ ବିଭାଗରେ ଓଡ଼ିଆ ଭାଷାରେ ଫାଇଲ୍‌ କାମ ଆରମ୍ଭ ହୋଇଛି। ତାମିଲ୍‌ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଜୟନ୍ତୀ ଅବସରରେ ଅନୁଷ୍ଠିତ ଭାରତୀୟ ଭାଷା ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

    ରାଜ୍ୟସ୍ତରୀୟ ‘ଭାରତୀୟ ଭାଷା ଉତ୍ସବ’

    ମୁଖ୍ୟମନ୍ତ୍ରୀ କହିଲେ, ଏହା କେବଳ ଏକ ଉତ୍ସବ ନୁହେଁ, ଆମ ସଂସ୍କୃତି ଓ ଗୌରବର ପ୍ରତୀକ। ଭାଷାଭିତ୍ତିକ ବିବିଧତା ହେଉଛି ଆମର ସର୍ବଶ୍ରେଷ୍ଠ ଶକ୍ତି। ଏହାକୁ କାୟ ମନୋବାକ୍ୟରେ ଅନୁସରଣ କରି ଆମେ ଆଗକୁ ଯିବାର ସ୍ବପ୍ନ ଦେଖିବା ହିଁ ଆଜିର ଆବଶ୍ୟକତା। ସ୍ବର୍ଗତ ଭାରତୀ ଯଦିଓ ତାମିଲ ସାହିତ୍ୟକୁ ନିଜ ପ୍ରତିଭା ବଳରେ ସାରସ୍ୱତ ସାଧନାରେ ଉଦ୍‌ବୁଦ୍ଧ କରିଛନ୍ତି, ସେ ଅନ୍ୟାନ୍ୟ ଭାରତୀୟ ଭାଷାକୁ ମଧ୍ୟ ଋଦ୍ଧିମନ୍ତ କରିଛନ୍ତି। ନିଜର ସାହିତ୍ୟ ମାଧ୍ୟମରେ ସମାଜ ସଂସ୍କାର ଉପରେ ଗୁରୁତ୍ୱାରୋପ କରୁଥିଲେ। ସମାନତା, ମହିଳା ସଶକ୍ତିକରଣ ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଜରିଆରେ ଏକ ପ୍ରଗତିଶୀଳ ଭାରତ ଗଠନ ପାଇଁ ଉଦ୍ୟମ କରୁଥିଲେ। ନିଜର ବଳିଷ୍ଠ ଲେଖା ମାଧ୍ୟମରେ ସେ ଯୁବ ସମାଜ ମଧ୍ୟରେ ଜାତୀୟତାର ଭାବ ଉଦ୍ରେକ କରି ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରେରଣା ଦେଉଥିଲେ। ତାଙ୍କ ଚିନ୍ତାଧାରା ତତ୍‌କାଳୀନ ସମୟଠାରୁ ଯଥେଷ୍ଟ ଆଗରେ ଥିଲା। ଆମ ଯୁବ ସମାଜ ପାଖରେ ସୁବ୍ରମଣ୍ୟ ଭାରତୀଙ୍କ ଜୀବନୀରୁ ଯଥେଷ୍ଟ କିଛି ଶିଖିବାର ସୁଯୋଗ ରହିଛି ବୋଲି ସେ କହିଥିଲେ।

    ବରପୁତ୍ରଙ୍କୁ ସମ୍ମାନ ପ୍ରଦାନ ସମ୍ପର୍କରେ ସେ କହିଲେ, ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଏକ ବର୍ଷବ୍ୟାପୀ ଜୟନ୍ତୀ ପାଳନ, ଗୋଦାବରୀଶ ମିଶ୍ରଙ୍କ ନାମରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ପରି ଅନେକ କାର୍ଯ୍ୟକ୍ରମ ହାତକୁ ଏବେ ନିଆଯାଇଛି। ଭାଷା ସର୍ବଦା ଆମ ସଂସ୍କୃତି, ଇତିହାସ ଓ ପରମ୍ପରାର ସଂରକ୍ଷଣ କରି ଆସୁଛି। ଓଡ଼ିଆ, ଷଷ୍ଠ ଭାରତୀୟ ଭାଷା ଭାବେ ଏକ ସ୍ବତନ୍ତ୍ର ଓ ଅନ୍ୟଭାଷା ଦ୍ବାରା ପ୍ରଭାବିତ ହୋଇ ନ ଥିବା ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ପାଇଛି। ଜାତୀୟ ଶିକ୍ଷା ନୀତି ୨୦୨୦ରେ ମାତୃଭାଷାକୁ ପାଠ୍ୟକ୍ରମରେ ସାମିଲ କରିବାକୁ କୁହାଯାଇଛି। ଏଥିରେ ମାତୃଭାଷା ଓ ଆଞ୍ଚଳିକ ଭାଷାକୁ ଶିକ୍ଷା ମାଧ୍ୟମରେ ପ୍ରୋତ୍ସାହିତ କରିବାର ବ୍ୟବସ୍ଥା ରହିଛି। ବିଦ୍ୟାର୍ଥୀଙ୍କୁ ଡାକ୍ତରୀ ଓ ବୈଷୟିକ ଶିକ୍ଷା ଭଳି କଠିନ ପାଠ୍ୟକ୍ରମକୁ ଆଞ୍ଚଳିକ ଭାଷାରେ ପଢ଼ିବାର ସୁଯୋଗ ପ୍ରଦାନ କରୁଛନ୍ତି। ମାତୃଭାଷା ଓ ଆଞ୍ଚଳିକ ଭାଷା ସଂରକ୍ଷଣ ପାଇଁ ଆମେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଭାଷା ଆମ ସଂସ୍କୃତି, ଐତିହ୍ୟ ଓ ଚିନ୍ତାଧାରାକୁ ପ୍ରତିଫଳିତ କରେ ବୋଲି ମତବ୍ୟକ୍ତ କରିଥିଲେ। ଉନ୍ନୟନ କମିସନର ଅନୁ ଗର୍ଗ ସ୍ୱାଗତ ଭାଷଣରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ୨୦୩୬ର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ପାଇଁ ନିଜର ଚିନ୍ତାଧାରା ପ୍ରଦାନ କରିବାକୁ ଆହ୍ୱାନ ଦେଇଥିଲେ। ବିଭାଗୀୟ ଅତିରିକ୍ତ ଶାସନ ସଚିବ ସଂଗ୍ରାମ କେଶରୀ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.5 ° C
    35.5 °
    35.5 °
    20 %
    1.2kmh
    4 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ