Thursday, June 18, 2026
26.1 C
Odisha

    ରାଜ୍ୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି: ପୁଣି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇବ ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ପୁଣି କେନ୍ଦ୍ର ବିରୋଧୀ ନାରା ଦେବାକୁ ନିଷ୍ପତ୍ତି ନେଇଛି ବିଜେଡି। ପୁଣି ପୁରୁଣା ପ୍ରସଙ୍ଗ ସବୁ ଉଠାଇବାକୁ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଉଦ୍ୟମ ଜାରି ରଖିବାକୁ ବି ନିଷ୍ପତ୍ତି ହୋଇଛି। ଏହାଛଡ଼ା ମହାନଦୀ, ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରର ନିରବତା ନେଇ ଦୁଃଖପ୍ରକାଶ, କୋଇଲା ରୟାଲିଟି, ସେସ୍ ରେ ଦାବି ପୂରଣ ପାଇଁ ବିଜେଡି ଉଦ୍ୟମ କରିବାକୁ ନିଷ୍ପତ୍ତି ନେଇଛି।
    ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା ଯେପରି ତାର ନ୍ୟାଯ୍ୟ ଦାବି ହାସଲ କରିବ, ସେଥିନେଇ ନିଷ୍ପତ୍ତି ନେଇଛି ବିଜେଡି। ଦଳ ଜାତୀୟ ରାଜପଥ ଓ ରେଳବାଇ କ୍ଷେତ୍ରରେ ବିକାଶ କାର୍ଯ୍ୟ ତ୍ୱରାନିତ କରିବା ଏବଂ ଗରିବ କେନ୍ଦୁପତ୍ର ତୋଳାଳିଙ୍କ ଉପରୁ ଜିଏସଟି ବୋଝ ଦୂର କରିବା, ଖାଉଟି ଦର ବୃଦ୍ଧି ଓ ଏହା ଯୋଗୁଁ ଘର ଚଳାଇବାରେ ମହିଳାମାନେ ସମ୍ମୁଖୀନ ହେଉଥିବା କଷ୍ଟକର ପରିସ୍ଥିତି ବିଷୟରେ ଆଲୋଚନା କରାଯାଇ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ।
    ରାଜ୍ୟ ବିଜୁ ଜନତା ଦଳର ପରିବର୍ଦ୍ଦିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଫଟୋଚିତ୍ରରେ ପ୍ରଥମରେ ଶ୍ରଦ୍ଧା ସୁମନ ଅର୍ପଣ ଓ ବନ୍ଦେ ଉତ୍କଳ ଜନନୀ ଗାନ ପରେ ବୈଠକ ଆରମ୍ଭ ହୋଇଥିଲା।ଏହାପରେ କାର୍ଯ୍ୟକାରିଣୀରେ ବିଭିନ୍ନ ଏଜେଣ୍ଡା ଉପରେ ଦଳର ବରିଷ୍ଠ ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଭିଭାଷଣ ରଖିଥିଲେ।

    ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସଂଚାଳନାରେ ପ୍ରଥମେ ସାଂଗଠନିକ ପ୍ରସ୍ତାବ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଆଗତ କରିଥିଲେ । ବିଧାୟିକା ଲତିକା ପ୍ରଧାନଙ୍କର ସମର୍ଥନ ପରେ ଏହା ସର୍ବସମ୍ମତ କ୍ରମେ ପାରିତ ହୋଇଥିଲା । ଏହାପରେ ୧୧ଟି ରାଜନୈତିକ ପ୍ରସ୍ତାବ ଓ ୧୬ଟି ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇ ପାରିତ ହୋଇଥିଲା ।

    ୨୦୦୦ ମସିହାରୁ ବିଭିନ୍ନ ବିଧାନସଭା, ଲୋକସଭା, ନିର୍ବାଚନ, ଉପ ନିର୍ବାଚନ, ସମବାୟ ନିର୍ବାଚନ ବିଶେଷ କରି ପଂଚାୟତ ଓ ପୈାର ନିର୍ବାଚନରେ ବିଜୁ ଜନତା ଦଳର ଲଗାତାର ବିଜୟ ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଦଳ ପକ୍ଷରୁ କୃତଜ୍ଞତା ଅର୍ପଣ କରାଯାଇଥିଲା। କୋଟି ଓଡ଼ିଆଙ୍କର ହୃଦୟର ନେତା ବିଜେଡିର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନେତୃତ୍ୱ ଲଗାତର ଭାବେ ଆମର ଆଞ୍ଚଳିକ ଦଳକୁ ବିପୁଳ ସଫଳତା ଆଣି ଦେଇଥିବାରୁ କାର୍ଯ୍ୟକାରିଣୀ ଶ୍ରୀ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଥିଲା ।
    ଜଗନ୍ନାଥ ସଂସ୍କୃତି ଓ ଚେତନାର ପ୍ରଚାର ପ୍ରସାର ତଥା ଅଭିନବ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ରୂପାୟନ ପାଇଁ ତଥା ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଯଥା ଶ୍ରୀ ଲିଙ୍ଗରାଜ, ମା ସମଲେଇ, ତାରାତାରିଣୀ ସହିତ ବିଭିନ୍ନ ଉପାସନା ପୀଠ ଓ ଐତିହ୍ୟର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ନେଇଥିବା ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

    ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ଆଜି ସଂଜୀବନୀ ହୋଇଛି, ଯାହାକି ଭାରତବର୍ଷରେ ଅଭିନବ ଓ ଅନନ୍ୟ । ଓଡ଼ିଶାରେ ସାମାଜିକ ସୁରକ୍ଷା ଓ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ ତଥା ସ୍ୱାସ୍ଥ୍ୟ ଭିତ୍ତିଭୂମିର ଦ୍ରୁତ ରୂପାନ୍ତରୀକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଥିଲା ।

    ମହିଳା ଓ ଯୁବ ବର୍ଗଙ୍କୁ ସଶକ୍ତ କରିବା ପାଇଁ ତଥା ରାଜ୍ୟର ଦ୍ରୁତ ଶିଳ୍ପାୟନ ସହିତ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗର ର ସଂପ୍ରସାରଣ କରାଯାଇଥିବାରୁ ଏବଂ ପୁଂଜିନିବେଶରେ ଓଡିଶା ଲଗାତର ଭାବେ ଭାରତର ଶୀର୍ଷ ୩ଟି ରାଜ୍ୟ ଭିତରେ ରହିଥିବାରୁ ନବୀନ ସରକାରଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଥିଲା ।

    କ୍ରୀଡା ଭିତ୍ତିଭୂମିର ବିକାଶ ଏବଂ ଆଇଟି କ୍ଷେତ୍ରରେ ଦ୍ରୁତ ବିକାଶ କରି ଯୁବଶକ୍ତିର ଆକଂକ୍ଷାକୁ ପୂରଣ କରିବା ପାଇଁ ନବୀନ ସରକାର ନେଇଥିବା ବଳିଷ୍ଠ ପଦକ୍ଷେପକୁ କାର୍ଯ୍ୟକାରିଣୀରେ ପ୍ରଶଂସା କରାଯାଇଥିଲା । ଚାଷୀ ଓ ଚାଷର ଉନ୍ନତି ତଥା ଜଳସେଚନର ଅଭିବୃଦ୍ଧି ନବୀନ ସରକାରଙ୍କ ପ୍ରାଥମିକତା ଥିବାରୁ ନବୀନ ସରକାରଙ୍କୁ ଧନ୍ୟବାଦ ଦିଆଯାଇଥିଲା ।

    ଅନୁସୁଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ, ସଂଖ୍ୟାଲଘୁଙ୍କ ପାଇଁ ନବୀନ ସରକାର ନେଇଥିବା ପଦକ୍ଷେପ ଓ କାର୍ଯ୍ୟକ୍ରମକୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଥିଲା ।
    ଟେକ୍ନୋଲୋଜିକୁ ଉପଯୋଗ କରି ୫-ଟି ରୂପାନ୍ତରଣରେ ଲୋକାଭିମୁଖୀ ପ୍ରଶାସନ ସହିତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ରୂପାନ୍ତରୀକରଣ ପାଇଁ ପର୍ଯ୍ୟାପ୍ତ ଅର୍ଥ ମଂଜୁରୀ କରାଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।

    ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ୱରେ ରାଜ୍ୟର ଅଭିବୃଦ୍ଧିର ହାର ବଢ଼ିବା, ମୁଣ୍ଡପିଛା ଆୟରେ ବୃଦ୍ଧି ତଥା ଋଣ ଭାର କମିବା ସହିତ ଆର୍ଥିକ ପରିଚାଳନାରେ ସଫଳତା ପାଇଥିବାରୁ ଧନ୍ୟବାଦ ଦିଆଯାଇଥିଲା ।

    ୫-ଟି ଉପକ୍ରମରେ ଭିତ୍ତିଭୂମି ବିିକାଶ ଠାରୁ ଆରମ୍ଭ କରି ଆମ ସମ୍ବଳକୁ ମୁଲ୍ୟଯୁକ୍ତ କରିବା ପାଇଁ ବିକାଶର ଧାରାରେ ଆଗରେ ଥିବା ଓଡ଼ିଶାକୁ ପୂର୍ଣ୍ଣ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ହେଉଥିବା ପ୍ରୟାସକୁ ରାଜ୍ୟ କାର୍ଯ୍ୟକାରିଣୀ ସ୍ୱାଗତ କରିଥିଲା ।

    ସାଂଗଠନିକ ପ୍ରସ୍ତାବରେ ଶଙ୍ଖ ଭବନରେ ପ୍ରତି ନିର୍ବାଚନ ମଣ୍ଡଳୀ ୱାରୀ ପ୍ରଶିକ୍ଷଣ ଓ ତାପରେ ଜୋନାଲ ପ୍ରଶିକ୍ଷଣ ପରବର୍ତୀ ପର୍ଯ୍ୟାୟରେ ଅନ୍ୟ କାର୍ଯ୍ୟକ୍ରମ କରାଯିବାକୁ ପ୍ରସ୍ତାବ ପାରିତ ହୋଇଥିଲା । ପ୍ରତିଷ୍ଠା ଦିବସ ପରେ ଗୋଟିଏ ପକ୍ଷରେ ପଂଚାୟତସ୍ତରୀୟ ସମ୍ମିଳନୀ ଏବଂ ଜାନୁଆରୀ ୨୩ ନେତାଜୀ ଜୟନ୍ତୀ ଠାରୁ ବିଜୁ ଜୟନ୍ତୀ ମାର୍ଚ୍ଚ ୫ ଯାଏଁ ନବୀନ ସରକାରର ସଫଳତା ତଥା ବିକାଶର ଆଭିମୁଖ୍ୟ ତୃଣମୁଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଅଭିଯାନ ଆରମ୍ଭ କରାଯିବ ବୋଲି କାର୍ଯ୍ୟକାରିଣୀ ପ୍ରସ୍ତାବରେ କୁହାଯାଇଛି।

    ଏଥିରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ନିଷ୍ପତ୍ତି ପାରିତ ହୋଇଥିଲା। ଦଳର ସାଂଗଠନିକ ପ୍ରସ୍ତାବରେ ଦଳର କେନ୍ଦ୍ରୀୟ ନିଜସ୍ୱ କାର୍ଯ୍ୟାଳୟ ଶଙ୍ଖ ଭବନର ଠିକଣା ପରିବର୍ତ୍ତନ ସଂପର୍କରେ ଏବଂ ସାଂଗଠନିକ ନିର୍ବାଚନକୁ ଗୋଟିଏ ବର୍ଷ ଘୁଞ୍ଚାଇବା ପାଇଁ ତଥା ଆଗାମୀ ଦିନର ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ସର୍ବସମ୍ମତକ୍ରମେ ଆଗତ ପ୍ରସ୍ତାବ ଆଲୋଚନା କରାଯାଇ ଗୃହୀତ ହୋଇଥିଲା।

    କାର୍ଯ୍ୟକାରିଣୀକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରି କହିଥିଲେ ଯେ ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ। ଓଡ଼ିଶାର ରୂପାନ୍ତରଣ ସେମାନଙ୍କ ପାଇଁ ବଡ଼ ଝଟକା ଦେଇଛି। ତେଣୁ ସେମାନେ ମିଛ କହିବେ, ଅପପ୍ରଚାର କରିବେ। ତୃଣମୂଳସ୍ତରରୁ ଆମକୁ ଏହାର ଦୃଢ଼ ମୁକାବିଲା କରିବାକୁ ହେବ। ସାମାଜିକ ଗଣମାଧ୍ୟମରେ ଏହାକୁ ବିରୋଧ କରିବାକୁ ହେବ ତା ସହିତ ବିକାଶର ବାର୍ତ୍ତାକୁ ଓଡ଼ିଶାର ଘରେ ଘରେ ପହଞ୍ଚାଇବାକୁ ହେବ। ଓଡ଼ିଶାବାସୀ ଜାଣନ୍ତି ହଜାରେ ମିଛ କେବେ ସତ ହେବନାହିଁ। ସତ୍ୟର ଜୟ ହେବ ବିକାଶର ଜୟ ହେବ। ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ହେବ।

    କାର୍ଯ୍ୟକାରିଣୀରେ ମୋଟ୍ ୩୨ଟି ପ୍ରସ୍ତାବ ଦଳର ବରିଷ୍ଠ ନେତା ଆଗତ କରିଥିଲେ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଏହାକୁ ସମର୍ଥନ କରିଥିଲେ।

    ଆମେ ଗଢ଼ିବା ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଶପଥ ସହ ବୈଠକ ଶେଷ ହୋଇଥିଲା। ଶେଷରେ ଦଳର ବରିଷ୍ଠ ଉପ ସଭାପତି ଅନଙ୍ଗ ଉଦୟ ସିଂଦେଓ ଧନ୍ୟବାଦ ଅର୍ପଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    75 %
    2.9kmh
    77 %
    Wed
    26 °
    Thu
    38 °
    Fri
    38 °
    Sat
    35 °
    Sun
    37 °

    ସମ୍ବନ୍ଧିତ