Wednesday, April 1, 2026
27.7 C
Odisha

    ୨୭ହଜାର ହସ୍ପିଟାଲରେ ମିଳିବ ମାଗଣା ସ୍ବାସ୍ଥ୍ୟସେବା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ସ୍ବାସ୍ଥ୍ୟବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ ଏହି ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମିଳିତ ଭାବେ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ମିଳିବ। ସାରା ଦେଶରେ ୨୭ହଜାର ହସ୍ପିଟାଲରେ ଏହି ଦୁଇଟି ଯୋଜନାରେ ସାମିଲ ହେବାକୁ ଥିବା ଲୋକ ଚିକିତ୍ସା ସୁବିଧା ପାଇବେ। ପୂର୍ବରୁ ବିଏସ୍‌କେୱାଇ ଯୋଜନାରେ ରାଜ୍ୟ ଭିତରେ ଓ ବାହାରେ କେବଳ ୯୦୦ ହସ୍ପିଟାଲରେ ଏହି ସୁବିଧା ମିଳୁଥିଲା। କିନ୍ତୁ ଏବେ ଦେଶର ଯେକୌଣସି ରାଜ୍ୟରେ, ଯେକୌଣସି ସ୍ଥାନରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
    ଆଜି ଗୃହରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୩୦୫୬କୋଟି ଟଙ୍କାର ବଜେଟ୍ ଥିବାବେଳେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ୫୦୦କୋଟିର ବ୍ୟୟବରାଦ ଅଛି। ଏହି ଦୁଇଟି ଯୋଜନା ମିଳିତ ଭାବେ ଲାଗୁ ହେଲେ କେନ୍ଦ୍ର ସରକାର ୬୦%, ରାଜ୍ୟ ସରକାର ୪୦% ଅର୍ଥ ଦେବେ। ଫଳରେ ରାଜ୍ୟ ସରକାରଙ୍କର ବାର୍ଷିକ ୬୦୦କୋଟି ଟଙ୍କା ବଞ୍ଚିବ। ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଯୋଜନା କାର୍ଯ୍ୟକାରୀ କରି ନଥିଲେ। ଓଡ଼ିଶାରେ ମୋଦୀଙ୍କ ଲୋକପ୍ରିୟତା ବଢ଼ିଲେ ବିଜେଡିକୁ ଭୋଟ୍ ଦେବେନି ବୋଲି ଭାବି ପୂର୍ବ ସରକାର ଏହାକୁ ଲାଗୁ କରିନଥିଲେ। ଏହାଦ୍ବାରା ରାଜ୍ୟ ବାହାରକୁ କାମ କରିବାକୁ ଯାଉଥିବା ବହୁ ଲୋକ ଉପକୃତ ହେଉନଥିଲେ। ଲୋକଙ୍କ ସୁବିଧାକୁ ନଜରରେ ରଖି ଆମେ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛୁ। ମନ୍ତ୍ରୀ କହିଛନ୍ତି ଯେ ସ୍ବାସ୍ଥ୍ୟ ବିଭାଗର ଖର୍ଚ୍ଚ ଦାବିକୁ ବିରୋଧ କରିବାକୁ କଂଗ୍ରେସ କିଛି ପ୍ରତୀକ ଦେଇନି।

    ଅର୍ଥାତ୍ ସେମାନେ ଏହାକୁ ସମର୍ଥନ କରୁଛନ୍ତି। ସେହିପରି ବିଜେଡି ଯେଉଁ ପ୍ରତୀକ ଦେଇଛି ସେଥିରେ ଦର୍ଶାଇଛି ଯେ ବିଏସ୍‌କେୱାଇର ନାମ ପରିବର୍ତ୍ତନ ଯୋଗୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ବାସ୍ତବରେ ଏହା ମିଛ। କାରଣ ଗତବର୍ଷ ଜୁଲାଇରେ ୧,୧୬,୦୪୮ଜଣ ରୋଗୀ ଏହି ଯୋଜନାରେ ଉପକୃତ ହୋଇଥିବାବେଳେ ନାମ ପରିବର୍ତ୍ତନ ହେବା ପରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଜୁଲାଇ ମାସରେ ୧,୬୫,୧୧୪ଜଣ ରୋଗୀ ଉପକୃତ ହୋଇଛନ୍ତି। ପୂର୍ବ ସରକାରଙ୍କ ଅବହେଳା ଯୋଗୁ ଦୀର୍ଘ ୫୫ବର୍ଷ ପରେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ସ୍ଥାପନ ହେଲା। ଏଥିପାଇଁ ରାଜ୍ୟରେ ଡାକ୍ତରୀ ପଦବି ଅଭାବ ଦେଖାଦେଇଛି। ତେଣୁ ଖାଲି ପଡ଼ିଥିବା ୫୬୦୦ ଡାକ୍ତର ପଦବିରୁ ଆସନ୍ତା ଦୁଇରୁ ଅଢ଼େଇମାସ ମଧ୍ୟରେ ପ୍ରାୟ ୩ହଜାର ଡାକ୍ତର ପଦବି, ୫୦୦ ନର୍ସ ପଦବି, ୨୦୬ଟି ଫାର୍ମାସି ପଦବି ପୂରଣ କରାଯିବ। ଏହାସହ ନିଷ୍ପତ୍ତି ହୋଇଛି ଯେ ସମସ୍ତ ମେଡିକାଲ କଲେଜ ସହ ନର୍ସରୀ କଲେଜକୁ ସମନ୍ବିତ କରାଯିବ। ଏହାଦ୍ବାରା ଖାଲି ପଡ଼ୁଥିବା ଡାକ୍ତର, ନର୍ସ ପଦବି ପୂରଣ ହୋଇପାରିବ।

    ସେହିପରି ଏବେ ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ପହଞ୍ଚିବାକୁ ହାରାହାରି ୩୦ମିନିଟ ସମୟ ନେଉଥିବାବେଳେ ଆମେ ଏହାକୁ ୨୦ମିନିଟ୍‌କୁ କମାଇବୁ। ଏଥିପାଇଁ ବଜେଟ୍‌ରେ ୩୫୦କୋଟି ବ୍ୟୟବରାଦ ହୋଇଛି। ରାଜ୍ୟର ୬ଟି ସ୍ଥାନରେ ସ୍ତନ୍ୟପାନ ପରିଚାଳନା କେନ୍ଦ୍ର ଖୋଲି ୬ମାସ ପର୍ଯ୍ୟନ୍ତ ଶିଶୁଙ୍କୁ ମା’ କ୍ଷୀର ଦେବା ବ୍ୟବସ୍ଥା କରାଯିବ। ସମ୍ବଲପୁରରେ ଦ୍ବିତୀୟ ଏମ୍‌ସ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରାଯିବ। ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟକୁ କାର୍ଯ୍ୟକ୍ଷମ ସବୁ ମେଡିକାଲ କଲେଜ ପାଇଁ ସମାନ ପାଠ୍ୟକ୍ରମ କରାଯିବ। ୨୦୨୫ ସୁଦ୍ଧା ରାଜ୍ୟରେ ଯକ୍ଷ୍ମା ରୋଗକୁ ନିୟନ୍ତ୍ରଣ କରାଯିବ। ମନ୍ତ୍ରୀ କହିଛନ୍ତି ‌ଯେ ସ୍ବାସ୍ଥ୍ୟ ବିଭାଗ ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ୩୨ଟି ପ୍ରସ୍ତାବ ଦେଇଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ଆମେ ପଦକ୍ଷେପ ନେବୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.7 ° C
    27.7 °
    27.7 °
    49 %
    2.3kmh
    1 %
    Wed
    28 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ