Saturday, September 19, 2026
28.3 C
Odisha

    ଚାଷୀଙ୍କୁ ଭୟଭୀତ କରାଉଛନ୍ତି ସରକାର: ବିରୋଧୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ବିରୋଧୀ ଦଳ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି। ଏ ସରକାର ଜୁମ୍‌ଲା ସରକାର ବୋଲି ଆକ୍ଷେପ କରିବା ସହ ଚାଷୀଙ୍କୁ ସଚେତନ ନକରାଇ ଭୟଭୀତ କରାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ବିରୋଧୀଙ୍କ ଏହି ଅଭିଯୋଗର ଜବାବ ରଖିଛନ୍ତି ଶାସକ ଦଳର ସଭ୍ୟ। ‘ଅବ୍ୟବସ୍ଥିତ ମଣ୍ଡିରେ ଚାଲୁଥିବା ଧାନ କିଣା ଯୋଗୁ ଚାଷୀ ଶୋ‌ଷଣର ଶିକାର। ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ’ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଆଲୋଚନା ଆରମ୍ଭ କରି ବିଜେଡି ସଭ୍ୟ ନିରଞ୍ଜନ ପୂଜାରୀ କହିଥିଲେ, କେବଳ ଯୋଗାଣ ମନ୍ତ୍ରୀ ଉତ୍ତର ଦେଲେ ଧାନ କିଣା ସମ୍ପର୍କରେ ଠିକ୍ ତଥ୍ୟ ମିଳିବନି। ତାଙ୍କ ସହ କୃଷି ଓ ସମବାୟ ମନ୍ତ୍ରୀ ମିଶିକି ଉତ୍ତର ଦେବା ଉଚିତ। ମିଲର୍‌ମା‌ନଙ୍କଠାରୁ ଏଯାଏଁ ଚାଉଳ ଅସୁଲ ହୋଇ ନାହିଁ। ଏବେ ଧାନ କିଣିଲେ ରଖିବେ କେଉଁଠି? ଡିଏଲ୍‌ପିସି ଏକ ପ୍ରାଇଭେଟ୍ ଫାର୍ମ ପରି କାମ କରୁଛି। ଏହାର ପ୍ରୋସିଡିଂ ମିଳୁନି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, ସରକାର ତାଙ୍କ ଦାୟିତ୍ବ ଠିକ୍ ଭାବେ ସମ୍ଭାଳିଥିଲେ ଆଜି ଏଠି ଆଲୋଚନା କରିବାକୁ ପଡ଼ି ନଥା’ନ୍ତା। ରାଜ୍ୟରେ ଏବେ ୫ଟି ଜିଲ୍ଲାରୁ ଧାନ ସଂଗ୍ରହ କରାଯାଉଛି। କିନ୍ତୁ ସେହି ଜିଲ୍ଲାଗୁଡ଼ିକରେ ସବୁ ସ୍ଥାନରୁ ଧାନ ଉଠୁନି। ଏ ସରକାର ଜୁମ୍‌ଲା ସରକାର। କେବଳ ଏଫ୍ଏକ୍ୟୁ ମାନର ଧାନ ନେଇ ୩୧୦୦ ଟଙ୍କା ଦିଆଯାଇଛି। ଏ ପର୍ଯ୍ୟନ୍ତ ଏଫ୍ଏକ୍ୟୁ ମାନ ନଥିବା ଯୋଗୁ କେତେ ଧାନ ଫେରାଇ ଦିଆଗଲାଣି? ଗ୍ରେନ୍ ଆନାଲାଇଜର୍ ନାଁରେ ସରକାର କଟ୍‌ନି ଛଟ୍‌ନି ଚଳାଇଛନ୍ତି। ଚାଷୀଙ୍କୁ ସଚେତନ କରାଇବା ବଦଳରେ ଭୟଭୀତ କରାଯାଉଛି। ସରକାର ମିଲରଙ୍କ ପକେଟ୍‌ରେ ଅଛନ୍ତି। ଅଧିରାଜ ମୋହନ ପାଣିଗ୍ରାହୀ କହିଲେ, ନୂଆଖାଇ ପୂର୍ବରୁ ଯେଉଁଠି ଧାନ ଅମଳ ହୋଇଥିଲା ତାହା ଛତିଶଗଡ଼କୁ ଚାଲିଗଲା। ୩୧୦୦ ଟଙ୍କା ଦିଆଯାଉଥିବାରୁ ଚାଷୀ ଖୁସି ଅଛନ୍ତି କୁହାଯାଉଛି। ତେବେ ଏଥର ଚାଷୀ ପଞ୍ଜୀକରଣ କମିଲା କାହିଁକି? କଟ୍‌ନି ଛଟ୍‌ନି ଓ ମିଲରଙ୍କ ଦାଦାଗିରି ବନ୍ଦ ହେବା ଦରକାର।

    କଂଗ୍ରେସ ବିଧାୟକ ଅଶୋକ ଦାସ କହିଲେ, ଧାନ କିଣା ବ୍ୟବସ୍ଥା ଅବ୍ୟବସ୍ଥିତ ଭାବେ ଚାଲିଛି। ଦଲାଲ ଏବେ ବି ପୂର୍ବ ଭଳି ସକ୍ରିୟ ଅଛନ୍ତି। ମଣ୍ଡି ପରିଚାଳନା ଠିକ୍ ଭାବେ ହେଉନି। ଚାଷୀଙ୍କୁ ଠିକ୍ ସମୟରେ ଟୋକନ୍ ମିଳୁନି। ଆନାଲାଇଜର୍ ମେସିନ୍ ନାଁରେ ଲୋକଙ୍କୁ ଡରାଯାଉଛି। ଆଜି ପର୍ଯ୍ୟନ୍ତ ସୋସାଇଟିକୁ ବ୍ୟାଗ ଦିଆଯାଇନି। ପବିତ୍ର ସାଉଁତା କହିଥିଲେ, ମଣ୍ଡିରେ ଆନାଲାଇଜର୍ ମେସିନ୍ କାମ କରୁନି। ଏଫ୍ଏକ୍ୟୁ ମାନ ଆଳରେ କଟ୍‌ନି ଛଟ୍‌ନି କରାଯାଉଛି। ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷତିକୁ ମଧ୍ୟ ଭରଣା କରାଯାଉ। ବିରୋଧୀଙ୍କ ଅଭିଯୋଗକୁ ଗ୍ରହଣ କରି ନଥିଲେ ଶାସକ ଦଳ ସଭ୍ୟ। ସେମାନଙ୍କ ଯୁକ୍ତି ଥିଲା, ଯେହେତୁ ଏବେ ଚାଷୀମାନେ ଖୁସି ଅଛନ୍ତି ତେଣୁ ବିଜେଡି ଦୁଃଖୀ ହୋଇଯାଇଛି। ମଣ୍ଡିରେ ଅବ୍ୟବସ୍ଥା ହେଲେ ସେମାନେ ନେତାଗିରି କରିବେ ବୋଲି ଭାବିଛନ୍ତି। କିନ୍ତୁ ଅବ୍ୟବସ୍ଥା ହେଉ ନାହିଁ। ସେମାନେ ୧୦୦ ଟଙ୍କା ବୋନସ୍ ଦେବେ ବୋଲି କହି ଦେଇପାରି ନଥିଲେ। କିନ୍ତୁ ବର୍ତ୍ତମାନର ସରକାର କଥା ରଖିଲେ ଏବଂ ୮୦୦ ଟଙ୍କା ବୋନସ୍ ଦେଲେ। ନିଜେ ମୁଖ୍ୟମନ୍ତ୍ରୀ ବରଗଡ଼ରେ ତିନି ଘଣ୍ଟା ଧରି ଚାଷୀଙ୍କ ସହ କଥା ହୋଇଥିଲେ। ଯୋଗାଣ ମନ୍ତ୍ରୀ ବିଭିନ୍ନ ଜାଗାକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ପୂର୍ବ ସରକାର ଅମଳରେ ତ କାହା ପାଖରେ ଚାଷୀଙ୍କ ସହିତ କଥା ହେବା ପାଇଁ ସମୟ ନଥିଲା। ବିଜେପି ସଭ୍ୟ ଅଶ୍ବିନୀ କୁମାର ଷଡ଼ଙ୍ଗୀ, ଅଶୋକ କୁମାର ମହାନ୍ତି, ନିହାର ରଞ୍ଜନ ମହାନନ୍ଦ ଓ ପୂର୍ଣ୍ଣ ଚନ୍ଦ୍ର ସେଠୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

    ପୂର୍ବ ସରକାରରେ ବହୁ ନକଲି ଚାଷୀ ପଞ୍ଜୀକରଣ କରିଥିଲେ: ଯୋଗାଣ ମନ୍ତ୍ରୀ

    ଭୁବନେଶ୍ବର: ଗତ ବର୍ଷ ଠାରୁ ଏ ବର୍ଷ ଚାଷୀ ପଞ୍ଜୀକରଣ କମିଛି ସତ। କିନ୍ତୁ ପୂର୍ବ ସରକାରରେ ବହୁ ନକଲି ଚାଷୀ ପଞ୍ଜୀକରଣ କରିଥିଲେ। ଦଲାଲମାନେ ସକ୍ରିୟ ଥିଲେ। ସେମାନେ ପଞ୍ଜୀକରଣ କରି ଟଙ୍କା ଲୁଟୁଥିଲେ। ଏଥର ସାଟେଲାଇଟ୍ ସର୍ଭେ କରାଯାଇ ପ୍ରକୃତ ତଥ୍ୟ ଜଣାପଡ଼ିଛି। ଧାନ ସଂଗ୍ରହ ପ୍ରକ୍ରିୟାରେ ଦଲାଲ ରାଜ୍ ଶେଷ କରିବାକୁ ସରକାର ବଦ୍ଧ ପରିକର। ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ଦେଲା ବେଳେ ବିରୋଧୀଙ୍କୁ ଏମିତି ଜବାବ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଥିଲେ, ମୋ ବିଭାଗରେ ଦୁର୍ନୀତି ଭର୍ତ୍ତି ହୋଇଥିଲା। ଯେତେବେଳେ କଟ୍‌ନି ଛଟ୍‌ନି ବନ୍ଦ କରିବାକୁ ମୁଁ କହିଲି ସେତେବେଳେ ତାହାକୁ ତ ବିଭାଗରେ କେହି ଗ୍ରହଣ କଲେନି। ସଚିବଙ୍କୁ ବଦଳାଇଦେଲା ପରେ ବିରୋଧୀ ବିଜେଡି ତାହା ଉପରେ ପ୍ରଶ୍ନ ଉଠାଇଥିଲା। ପୂର୍ବ ସରକାରରେ ମିଲରଙ୍କ ଠାରୁ ଟଙ୍କା ଆଦାୟ କରାଯାଉଥିଲା। କିନ୍ତୁ ଏବେ ସେସବୁ ପରିସମାପ୍ତି ଘଟିଛି। ମଣ୍ଡିର ସୁପରିଚାଳନା ପାଇଁ ସବୁ ସ୍ତରରେ ବ୍ୟବସ୍ଥା ହୋଇଛି। ନିଜୋ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କ ସହ ୫ ଥର ବୈଠକ କରିଛନ୍ତି। ପ୍ରତି ମଣ୍ଡି ପାଇଁ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ବ ବଣ୍ଟନ କରାଯାଇଛି।

    ଯୋଗାଣ ବିଭାଗରେ ଦୁର୍ନୀତି ଭର୍ତ୍ତି ହୋଇଥିଲା 
    ମିଲର୍‌ଙ୍କ ଠାରୁ ଟଙ୍କା ଆଦାୟ କରାଯାଉଥିଲା

    ଶ୍ରୀ ପାତ୍ର କହିଥିଲେ, ଆମ ରାଜ୍ୟରେ ବିକ୍ରି ପାଇଁ ପଡ଼ୋଶୀ ରାଜ୍ୟରୁ ଆସୁଥିବା ଧାନକୁ ରୋକିବା ନିମନ୍ତେ ରାଜ୍ୟ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକର ପ୍ରବେଶ ପଥରେ ଧାନ ପରିବହନକାରୀ ଯାନଗୁଡ଼ିକର ଗତିବିଧି ଉପରେ ନଜର ରଖିବା ପାଇଁ ସିସିଟିଭି ଓ କ୍ୟାମେରା ମାଉଣ୍ଟେଡ୍ ଗାଡ଼ି ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମ ଥର ପାଇଁ ଧାନ ସଂଗ୍ରହ ପ୍ରକ୍ରିୟାରେ କଟ୍‌ନି ଛଟ୍‌ନି ବନ୍ଦ କରିବା ସହ ଧାନର ମାନ ନିରୂପଣ କରିବାକୁ ୫ ହଜାର ଟନରୁ ଅଧିକ ଧାନ କ୍ରୟ କରୁଥିବା ସମସ୍ତ ପିପିସି ପାଇଁ ସଂପୃକ୍ତ ଆର୍‌ଏମ୍‌ସି ଦ୍ବାରା ଏଆଇ ଆଧାରିତ ଶସ୍ୟ ବିଶ୍ଳେଷଣକାରୀ ଯନ୍ତ୍ର ଉପଲବ୍ଧ କରାଯାଉଛି। ଧାନର ଟୋକନ ଅବଧିରେ ୭ ଦିନ ବୃଦ୍ଧି କରିବାକୁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି। ଖରିଫ ଧାନ ବିକ୍ରି ପାଇଁ ମୋଟ୍ ୧୭.୫୦ ଲକ୍ଷ ଚାଷୀ ପଞ୍ଜୀକରଣ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.3 ° C
    28.3 °
    28.3 °
    85 %
    1.6kmh
    99 %
    Sat
    29 °
    Sun
    30 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ