Sunday, October 4, 2026
24.3 C
Odisha

    ଅଗ୍ନିପଥ ଯୋଜନା: ଚୟନିତ ପ୍ରାର୍ଥୀଙ୍କ ପାଇଁ ପୁରୀରେ ଆୟୋଜିତ ହେବ ନିଯୁକ୍ତି ଶିବିର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଅଗ୍ନିପଥ ଯୋଜନାରେ ଚୟନ (ସର୍ଟଲିଷ୍ଟ) ହୋଇଥିବା ପ୍ରାର୍ଥୀଙ୍କ ପାଇଁ ଚଳିତ ମାସ ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ ପୁରୀ ତାଳବଣିଆସ୍ଥିତ ଜିଲ୍ଲା ସ୍ପୋର୍ଟସ୍ କମ୍ପ୍ଲେକ୍ସ ଏବଂ ଇନଡୋର ଷ୍ଟାଡିୟମ ଠାରେ ନିଯୁକ୍ତି ଶିବିର (ରାଲି) ଅନୁଷ୍ଠିତ ହେବ। ଏଥିରେ କଟକ, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଚୟନ ହୋଇଥିବା ପ୍ରାର୍ଥୀ ଏବଂ ନିୟମିତ ସୈନିକ (କେବଳ ଜେସିଓ ବର୍ଗର ସିପାହୀ ଫାର୍ମା, ସୈନିକ ଟେକ୍, ନର୍ସିଂ ସହାୟକ ଓ ଧାର୍ମିକ ଶିକ୍ଷକ) ଏବଂ ପଶ୍ଚିମବଙ୍ଗ, ଓଡ଼ିଶା ଓ ସିକ୍କିମର ମହିଳା ମିଲିଟାରୀ ପୁଲିସ ପାଇଁ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ।

    ଅନଲାଇନରେ ସାଧାରଣ ପ୍ରବେଶିକ ପରୀକ୍ଷା (ସିଇଇ)ରେ ଉତ୍ତୀର୍ଣ୍ଣ ହୋଇ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଶାରୀରିକ ପରୀକ୍ଷା ଏବଂ ମେଡ଼ିକାଲ ପରୀକ୍ଷା ପାଇଁ ଡକାଯାଇଛି। ପଞ୍ଜୀକୃତ ଇମେଲ୍ ଆଇଡିରେ ପ୍ରାର୍ଥୀମାନଙ୍କୁ ଆଡମିଟ୍ କାର୍ଡ ପଠାଇ ଦିଆଯାଇଛି। ପ୍ରାର୍ଥୀମାନେ ଭାରତୀୟ ସେନାର ୱେବସାଇଟ୍ www.joinindianarmy.nic.in ୱେବସାଇଟ୍‌ ଥିବା ସେମାନଙ୍କ ପ୍ରୋଫାଇଲରେ ଲଗଇନ କରି ନିଯୁକ୍ତି ଶିବିର ପାଇଁ ଆଡମିଟ୍ କାର୍ଡ ଡାଉନ ଲୋଡ୍ କରିପାରିବେ। ଏ ନେଇ କୌଣସି ସନ୍ଦେହ ଥିଲେ, ପ୍ରାର୍ଥୀମାନେ 0671-2305280 ଏବଂ 9437162280 ନମ୍ବରରେ କଟକ ଏଆରଓଙ୍କ ସହିତ ଯୋଗାଯୋଗ କରିପାରିବେ।
    ନିଯୁକ୍ତି ପ୍ରକ୍ରିୟା ସମୟରେ କୌଣସି ବ୍ୟକ୍ତିଙ୍କୁ ନିଜର ଅସଲି ପ୍ରମାଣପତ୍ର ନଦେବା ଏବଂ ଠକ/ଏଜେଣ୍ଟଙ୍କ ପ୍ରଲୋଭନର ବଶବର୍ତ୍ତୀ ନହେବା ଲାଗି ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଉଛି। ଏପରି କୌଣସି ଘଟଣା କ୍ଷେତ୍ରରେ ପ୍ରାଥୀମାନେ ତୁରନ୍ତ ସ୍ଥାନୀୟ ପୁଲିସ ଏବଂ କଟକସ୍ଥିତ ସେନା ନିଯୁକ୍ତି କାର୍ଯ୍ୟାଳୟରେ ତୁରନ୍ତ ଅଭିଯୋଗ କରାଯାଇପାରିବ। ଏଭଳି ଠକ/ଏଜେଣ୍ଟଙ୍କୁ ଗିରଫ କରିବା ଲାଗି ଏବଂ ନିଯୁକ୍ତି ଶିବିର ସମୟରେ ଠକାମି ନିମନ୍ତେ ସ୍ଥାନୀୟ ପୁଲିସ ଓ ନାଗରିକ ପ୍ରଶାସନ ଜରିଆରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ