Thursday, February 5, 2026
26.6 C
Odisha

    ନବୀନ ସରକାରରେ ଗଣମାଧ୍ୟମର କଣ୍ଠରୋଧ ହେଉଥିଲା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସତ୍ୟକୁ ଲୋକଲୋଚନକୁ ଆଣିବା ଗଣମାଧ୍ୟମର ନୀତି ହେବା ଉଚିତ। ଏହାସହିତ ସମାଜର ପରିବର୍ତ୍ତନକୁ ଠିକ୍ ଭାବରେ ଚିତ୍ରଣ କରିବା ଗଣମାଧ୍ୟମର ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ଦୈନିକ ‘ନିର୍ଭୟ’ର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ, ଏହି ଦାୟିତ୍ୱକୁ ଯେଉଁ ଗଣମାଧ୍ୟମ ଠିକ୍‌ ଭାବେ ତୁଲାଏ, ସେ ହେଉଛି ବାସ୍ତବରେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। ଗଠନମୂଳକ ସମାଲୋଚନା ଓ ଏଜେଣ୍ଡା ଚଲାଇବା ଭିତରେ ଏକ ଲକ୍ଷ୍ମଣରେଖା ରହିଛି। ଏଜେଣ୍ଡା ଚଲାଇବା ପାଇଁ ମିଛ ଖବର କିମ୍ବା ଖବରକୁ ବିକୃତ କରି ପରିବେଷଣ କରାଯାଏ। ମିଛ ହୁଏତ କିଛି ସମୟ ମଧ୍ୟରେ ଜଙ୍ଗଲ ନିଆଁ ପରି ବ୍ୟାପିଯାଏ, କିନ୍ତୁ ଶେଷରେ ସତ୍ୟର ହିଁ ଜୟ ହୋଇଥାଏ।
    ସେ ଆହୁରି କହିଲେ, ‘‘ଗଣମାଧ୍ୟମ ହେଉଛନ୍ତି ସାଧାରଣ ଜନତାଙ୍କ ସ୍ୱର। ସେମାନଙ୍କ ସମସ୍ୟା ଓ ସ୍ୱର ସରକାରଙ୍କ ପାଖରେ ପହଞ୍ଚାଇବା ହେଉଛି ଗଣମାଧ୍ୟମର ଦାୟିତ୍ୱ। ଗତ କିଛିବର୍ଷ ମଧ୍ୟରେ ସମ୍ବାଦ ପରିବେଷଣ ହୋଇଯାଇଛି ବ୍ୟବସାୟ ଓ ସାମ୍ବାଦିକତା ହୋଇଛି ଏକ ବୃତ୍ତି। ଏହି ମଡେଲକୁ ସଫଳ କରିବା ପାଇଁ ସରକାରଙ୍କ ପୃଷ୍ଠପୋଷକତା, ଅର୍ଥାତ୍‌ ବିଜ୍ଞାପନ ଆବଶ୍ୟକ। ଯଦି ଗଣମାଧ୍ୟମ ମାତ୍ରାଧିକ ଭାବେ ବିଜ୍ଞାପନ କିମ୍ବା ଅନ୍ୟାନ୍ୟ ଅନୁଗ୍ରହ ନେବ, ତେବେ କଣ୍ଠରୋଧ ହେବା ସ୍ୱାଭାବିକ। ଯାହା ଗତ ସରକାର ଅମଳରେ ଦେଖାଦେଇଥିଲା। ମୁଁ ବ୍ୟକ୍ତିଗତ ଭାବେ ଜାଣିଛି, ସେ ସମୟରେ କିଛି ସମ୍ବାଦପତ୍ର ଓ ଗଣମାଧ୍ୟମକୁ କୌଣସି ସରକାରୀ ବିଜ୍ଞାପନ ନ ଦେବା ପାଇଁ ଏକ ଅଘୋଷିତ ଆଦେଶ ଜାରି ହୋଇଥିଲା। କାରଣ ସେମାନେ ସରକାରଙ୍କ ସ୍ୱର ହେବାକୁ ସ୍ପଷ୍ଟ ମନା କରିଦେଇଥିଲେ। ଯେତେବେଳେ ଉଭୟ ବିରୋଧୀ ଓ ଶାସକ ଦଳ ଆପଣଙ୍କୁ ସମାଲୋଚନା କରିବେ, ଆପଣ ଜାଣିବେ ଯେ ଆପଣ ଠିକ୍‌ ସାମ୍ବାଦିକତା କରୁଛନ୍ତି।’’ ସୋସିଆଲ ମିଡିଆକୁ ଗଣମାଧ୍ୟମ ବିକେନ୍ଦ୍ରୀକରଣର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ମଧ୍ୟ ମତ ଦେଇଥିଲେ।

    ଏହି କାର୍ଯ୍ୟକ୍ରମରେ ‘ଶିକ୍ଷା ସଂସ୍କୃତି ଉତ୍‌ଥାନ ନ୍ୟାସ’ର ଜାତୀୟ ସଂପାଦକ ଅତୁଲ କୋଠାରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ‘‘ଆମର ଦୁର୍ଭାଗ୍ୟ ଯେ ଏବେ ପର୍ଯ୍ୟନ୍ତ ଦେଶରେ ଏକକ ଶିକ୍ଷା ବ୍ୟବସ୍ଥା ଓ ଏକକ ନିର୍ବାଚନ ହୋଇ ପାରିନାହିଁ। ଯେଉଁ ସରକାର ଏହାକୁ ବିରୋଧ କରୁଛନ୍ତି, ସେମାନେ ପୂର୍ବରୁ ଏହାକୁ ସମର୍ଥନ କରୁଥିଲେ। ଏନେଇ ମୁଁ ଓଡ଼ିଶା ସରକାରଙ୍କ ସହ କଥା ହୋଇଛି।’’
    ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଭୟ ଦେଖାଇ ସାମ୍ବାଦିକତା କଲେ ବେଶି ବାଟ ଆଗେଇ ଯାଇ ହେବନାହିଁ। ବରଂ ପାଠକଙ୍କ ଶ୍ରଦ୍ଧା ଭାଜନ ହେବାକୁ ପଡ଼ିବ। ଭୟ ନୁହେଁ ଶ୍ରଦ୍ଧା ଆମ ସମସ୍ତଙ୍କର ଧ୍ୟେୟ ହେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।
    ଉତ୍ସବରେ ‘ନିର୍ଭୟ’ର ପ୍ରତିଷ୍ଠାତା ନବୀନ ଦାସ ଓ ସମ୍ପାଦକ ସମ୍ବିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆୟୋଜିତ ‘ଓଡ଼ିଶା ଅଛି କେଉଁଠି’ ପ୍ରସଙ୍ଗରେ ଆୟୋଜିତ ଏକ ବିଶେଷ ଆଲୋଚନାରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର, ଅର୍ଥନୀତିଜ୍ଞ ରାଜୀବ ସାହୁ, ଓଡ଼ିଶୀ ନୃତ୍ୟାଙ୍ଗନା ଅରୁଣା ମହାନ୍ତି ଅଂଶଗ୍ରହଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.6 ° C
    26.6 °
    26.6 °
    31 %
    1.2kmh
    0 %
    Thu
    31 °
    Fri
    31 °
    Sat
    31 °
    Sun
    32 °
    Mon
    32 °

    ସମ୍ବନ୍ଧିତ