Monday, October 5, 2026
23.5 C
Odisha

    କେଶର ଠକେଇ ଘଟଣା: ସନ୍ଦେହରେ ପୂର୍ବତନ ଆଇଏଏସ୍‌ଙ୍କ ଭୂମିକା

    ଆଗକୁ ପଢନ୍ତୁ

    କଟକ: ଭୁବନେଶ୍ବରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଅଜିତ କୁମାର ମିଶ୍ର କେଶର ଯୋଗାଣ କରି ପ୍ରାୟ ୩ କୋଟି ଟଙ୍କା ଠକେଇର ଶିକାର ଘଟଣାର ନୂଆ ଦିଗ ସାମନାକୁ ଆସିଛି। ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ ଅଫିସରଙ୍କ ଭୂମିକାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଵାସିଂଟନରେ ବିଶ୍ବ ବ୍ୟାଙ୍କ ଗ୍ରୁପର ଵାଟର୍ ଗ୍ଲୋବାଲ ପ୍ରାକ୍ଟିସର ଗ୍ଲୋବାଲ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିବା ଏହି ଆଇଏଏସ ଅଫିସରଙ୍କ ସମ୍ପୃକ୍ତି ନେଇ ଶ୍ରୀ ମିଶ୍ର ସନ୍ଦେହ କରୁଥିବା ବେଳେ ଏହାର ତଦନ୍ତର ଆବଶ୍ୟକତା ଥିବା ଦାବି କରିଛନ୍ତି। ଶ୍ରୀ ମିଶ୍ରଙ୍କର ଅଭିଯୋଗ ଅନୁଯାୟୀ, ଓଡ଼ିଶା କ୍ୟାଡରର ଜଣେ ଆଇଏଏସ ଅଫିସର ସରୋଜ କୁମାର ଝା’ଙ୍କ ସହିତ ଓଡ଼ିଶାରେ ଚାକିରି କରୁଥିବା ସମୟରେ ତାଙ୍କର ପରିଚୟ ହୋଇଥିଲା। ୨୦୨୩ ଡିସେମ୍ବର ୪ରେ ହ୍ବାଟସ୍‌ଆପ ଓ ଇମେଲରେ ପରସ୍ପର ମଧ୍ୟରେ ଯୋଗାଯୋଗ ହୋଇଥିଲା। ଏହି କଥାବାର୍ତ୍ତା ମଧ୍ୟରେ ଶ୍ରୀ ଝା ତାଙ୍କୁ ଏକ ଇ-ମେଲ୍ ପଠାଇ ବିଶ୍ବ ବ୍ୟାଙ୍କ ମୁଖ୍ୟାଳୟ ପାଇଁ ଇରାନୀ କେଶର ଯୋଗାଣ ପ୍ରକଳ୍ପରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ।
    ଏଥିପାଇଁ ବିଶ୍ବ ବ୍ୟାଙ୍କ ଜଳ ସଂଗଠନର ଏସବୁ କାର୍ଯ୍ୟ କରୁଥିବା ବିଭାଗର ଏକ ଇମେଲ୍ ଆଇଡି ଦେଇଥିଲେ। ସଂପୃକ୍ତ ବିଭାଗର ଡକ୍ଟର ମାର୍କ ଆର୍ଥରଙ୍କ ସହିତ ଇମେଲ୍ ମାଧ୍ୟମରେ ଯୋଗାଯୋଗ କରିବାକୁ କହିଥିଲେ। ଏହି ସମୟରେ ଶ୍ରୀ ଝା କେଶର ଯୋଗାଣ କରୁଥିବା ଜଣେ ବ୍ୟକ୍ତିଙ୍କ ସହିତ ମଧ୍ୟ ତାଙ୍କର ପରିଚୟ କରାଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ରାମିରେଜ୍ ଫର୍ଣ୍ଣାଣ୍ଡେଜ୍। ସେ ଭାରତରେ ଇରାନୀ କେଶର କାରବାର କରୁଥିବା ବିଭିନ୍ନ ଚାଷୀଙ୍କ ନୋଡାଲ୍ ଏଜେଣ୍ଟ୍‌ ଭାବେ କାମ କରୁଥିବା ଶ୍ରୀ ଝା ସୂଚନା ଦେଇଥିଲେ। ଶ୍ରୀ ଫର୍ଣ୍ଣାଣ୍ଡେଜ ଅର୍ଗାନିକ ମର୍ଚାଣ୍ଡାଇଜରେ ଆଞ୍ଚଳିକ ପରିଚାଳକ ଭାବେ କାମ କରନ୍ତି। ସେ ଭାରତୀୟ କୃଷକଙ୍କ ନିକଟରୁ ଇରାନୀ କେଶର କ୍ରୟ କରି ବିଶ୍ବ ବ୍ୟାଙ୍କକୁ ଯୋଗାଣ କରି ଭଲ ଲାଭ ପାଉଥିବା ସମ୍ପର୍କରେ ଶ୍ରୀ ଝା ତାଙ୍କୁ କହିଥିଲେ। ଶ୍ରୀ ଝା’ଙ୍କ ଏଭଳି ପ୍ରସ୍ତାବ ମିଳିବା ପରେ ସେ ଆଉ ଜଣେ ବନ୍ଧୁ ତଥା ଅବସରପ୍ରାପ୍ତ ଓଡ଼ିଶା କ୍ୟାଡରର ଆଇଏଏସ ଅଫିସରଙ୍କୁ ଉକ୍ତ ବ୍ୟବସାୟର ସତ୍ୟାସତ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ସମ୍ପୃକ୍ତ ଆଇଏଏସ୍ ଅଫିସର ଜଣକ ଏହି କାରବାର କରିବା ପାଇଁ ଶ୍ରୀ ଝା ତାଙ୍କୁ ମଧ୍ୟ ଫୋନ କରିଥିବା କହିଥିଲେ।
    ଶ୍ରୀ ମିଶ୍ର କହିଛନ୍ତି, ଏସବୁକୁ ବିଶ୍ବାସକୁ ନେଇ ସେ ଶ୍ରୀ ଝା’ଙ୍କ ପ୍ରସ୍ତାବରେ ରାଜି ହେବା ପରେ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ମୂଳକ ଭାବେ ୧୦ କେଜି ଓଜନର ଇରାନୀ କେଶର ଯୋଗାଣ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବିଶ୍ବ ବ୍ୟାଙ୍କର କ୍ରୟ ନିର୍ଦ୍ଦେଶାବଳୀ ବଳରେ ୧୧୦ କେଜି ଇରାନୀ କେଶର ପଠାଇଥିଲେ। ଶ୍ରୀ ଫର୍ଣ୍ଣାଣ୍ଡେଜଙ୍କ ପରାମର୍ଶ ଅନୁଯାୟୀ କେଶର ଯୋଗାଣ ବାବଦ ପ୍ରାୟ ୩ କୋଟି ଟଙ୍କା ଭାରତର ବିଭିନ୍ନ କେଶର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା। ୧୧ଟି ପର୍ଯ୍ୟାୟରେ ଏହି ଟଙ୍କା ଜମା କରାଯାଇଥିଲା। ବିଶ୍ବ ବ୍ୟାଙ୍କ ପରବର୍ତ୍ତୀ ସମୟରେ ୬ ହଜାର ୬୦୦ କେଜି ଓଜନର କେଶର ଯୋଗାଣ ପାଇଁ ଚୁକ୍ତି କରିଥିଲା। ପ୍ରତି ମାସରେ ୫୫୦ କେଜି କେଶର ଯୋଗାଣ ନେଇ ଚୁକ୍ତି ହୋଇଥିଲା। ପରେ ଅଧିକରୁ ଅଧିକ ଇରାନୀ କେଶର ଯୋଗାଣ ପାଇଁ ଶ୍ରୀ ଫର୍ଣ୍ଣାଣ୍ଡେଜ ଟଙ୍କା ମାଗିବାରୁ ଏଭଳି କାରବାରକୁ ନେଇ ଶ୍ରୀ ମିଶ୍ରଙ୍କର ସନ୍ଦେହ ବଢ଼ିଥିଲା। ପୂର୍ବତନ ଆଇଏଏସ ଅଫିସର ଶ୍ରୀ ଝା ଏବଂ ଶ୍ରୀ ଆର୍ଥର ତାଙ୍କୁ ଠକିଥିବା ସନ୍ଦେହ କରି ଫେବ୍ରୁଆରି ୨୬ ତାରିଖରେ କ୍ରାଇମବ୍ରାଞ୍ଚ ଏଡ଼ିଜିଙ୍କ ନିକଟରେ ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ଏହି ମାମଲାରେ ଦୁଇ ନାଇଜେରୀୟଙ୍କ ସମେତ ତିନି ଜଣଙ୍କୁ ଗିରଫ କରିସାରିଲାଣି।

    ଅନ୍ୟପଟେ ଭୁବନେଶ୍ବରର ଶ୍ରୀ ମିଶ୍ରଙ୍କ କହିବା ଅନୁଯାୟୀ, ଏଭଳି ଠକେଇର ଶିକାର ହେବା ପରେ ଶ୍ରୀ ଝା’ଙ୍କୁ ସେ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ। ବିଭିନ୍ନ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ଶ୍ରୀ ଝା’ଙ୍କ ତରଫରୁ ମିଳିନଥିଲା। ପୂର୍ବତନ ଆଇଏଏସ୍ ଅଫିସର ଶ୍ରୀ ଝା’ଙ୍କ ଭୂମିକାକୁ ନେଇ ସନ୍ଦେହ ବଢ଼ିଥିବା ବେଳେ ଏହି ଘଟଣାର ତଦନ୍ତ ହେଲେ ପ୍ରକୃତରେ ଶ୍ରୀ ଝା’ଙ୍କର ଏହି କେଶର ଠକେଇ କାରବାରରେ ସମ୍ପୃକ୍ତି ରହିଛି କି ନାହିଁ, ତାହା ସାମନାକୁ ଆସିପାରିବ ବୋଲି ଭୁବନେଶ୍ବରର ସମ୍ପୃକ୍ତ ବ୍ୟବସାୟୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    79 %
    1.5kmh
    0 %
    Mon
    23 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ