Tuesday, April 14, 2026
28.8 C
Odisha

    ହାଇକୋର୍ଟରେ ଜେଲ ସଂସ୍କାର ମାମଲା: ଆଇଜିଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    କଟକ: ରାଜ୍ୟର କେତେକ ଜେଲରେ ଖାଦ୍ୟର ମାନ, ରୋଷଶାଳ, ସ୍ବଚ୍ଛତା, ପରିମଳ, ଶୌଚାଳୟର ସ୍ଥିତି ଭଲ ନଥିବା ଅଭିଯୋଗ ରହିଛି। ଏଥି ସହିତ ଜାମୁଝରିସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଗାର‌ରେ ଅନ୍ତେବାସୀଙ୍କ ପାଇଁ ରହିଥିବା ମୌଳିକ ସୁବିଧା ଓ ସେମାନଙ୍କ ପ୍ରତି ଜେଲ କର୍ମଚାରୀଙ୍କ ବ୍ୟବହାର ନେଇ ମଧ୍ୟ ଅଭିଯୋଗ ରହିଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କ ରିପୋର୍ଟରୁ ଏଭଳି କଥା ସ୍ପଷ୍ଟ ହୋଇଛି। ଜୁଲାଇ ମାସର ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସ୍ଥିତି ଓ ଅଗଷ୍ଟ ମାସର ରିପୋର୍ଟରେ ପ୍ରାୟତଃ ସ୍ଥିତି ସମାନ ରହିଛି। ଆମିକସ୍ କ୍ୟୁରି ହାଇକୋର୍ଟରେ ଦାଖଲ କରିଥିବା ଲିଖିତ ତଥ୍ୟ(ନୋଟ୍)ରେ ଏଭଳି କଥା ଉଲ୍ଲେଖ କରାଯାଇଛି।
    ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଜେଲ ସଂସ୍କାର ସଂପର୍କିତ ମାମଲାର ଶୁଣାଣି ସମୟରେ ଆମିକସ୍ କ୍ୟୁରି ଦର୍ଶାଇଥିଲେ ଯେ ଜିଲ୍ଲା ଆଇନସେବା ପ୍ରାଧିକରଣର ରିପୋର୍ଟ ମିଳିବା ପରେ କୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା ନ କରି ଜେଲ କର୍ତ୍ତୃପକ୍ଷ ସମସ୍ୟା ସମାଧାନ ପାଇଁ ଆପେ ନିଜ ଆଡ଼ୁ ତୁରନ୍ତ ପଦକ୍ଷେପ ନେବା ଉଚିତ। ଆମିକସ୍ କ୍ୟୁରିଙ୍କ ଅଗଷ୍ଟ ୧୩ର ନୋଟ୍‌ରେ ଉଲ୍ଲେଖ କରାଯାଇଥିବା ପ୍ରସଂଗ ଉପରେ ଜବାବ ରଖିବାକୁ ଜେଲ ଆଇଜିଙ୍କୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କୃଷ୍ଣପ୍ରସାଦ ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

    ରାଜ୍ୟର ଜେଲ ଗୁଡ଼ିକର ସ୍ଥିତି ସଂପର୍କିତ ତଥ୍ୟ ସର୍ବସାଧାରଣରେ ଉପଲବ୍ଧ କରିବା ପ୍ରସଂଗରେ ପ୍ରସ୍ତାବ ଦାଖଲ କରିବାକୁ ଆମିକସ୍ କ୍ୟୁରିଙ୍କୁ ହାଇକୋର୍ଟ କହିଛନ୍ତି। ଏ ନେଇ ଏକ ପୋର୍ଟାଲ ଜେଲ ନିର୍ଦ୍ଦେଶାଳ ପକ୍ଷରୁ ପରିଚାଳନା କରାଯିବ। କେଉଁ ସବୁ ପ୍ରସଂଗରେ ତଥ୍ୟ ପୋର୍ଟାଲରେ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରାଯିବ ସେ ନେଇ ଆମିକସ୍ କ୍ୟୁରି ପରାମର୍ଶ ଦେବେ। ଯାହା ଦ୍ବାରା ଜେଲ ଗୁଡ଼ିକର ସ୍ଥିତିର ଫଳପ୍ରଦ ତଦାରଖ କରାଯାଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି।

    ଅଦାଲତ ଜାମିନ ମଞ୍ଜୁର କରିବା ପରେ ମଧ୍ୟ ଜାମିନ ସର୍ତ୍ତ ପୂରଣ ନ କରି ପାରି ଜେଲରେ ଥିବା ବନ୍ଦୀଙ୍କ ସଂକ୍ରାନ୍ତରେ ଆମିକସ୍ କ୍ୟୁରି ତଥ୍ୟ ଉପସ୍ଥାପନ କରିଥିଲେ। ମସ୍ତିଷ୍କ ବିକୃତି ଥିବା ବନ୍ଦୀ ଜେଲରେ ରହିବା ପ୍ରସଂଗରେ ଆମିକସ କ୍ୟୁରି ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଏଭଳି ଘଟଣାକୁ ଜେଲ କର୍ତ୍ତୃପକ୍ଷ ଓ ନିମ୍ନ ଅଦାଲତ ନିଜ ଆଡ଼ୁ ଗ୍ରହଣ କରି ସଂପୃକ୍ତ ବନ୍ଦୀଙ୍କୁ ଜାମିନରେ ମୁକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଦର୍ଶାଯାଇଥିଲା। ଆମିକସ କ୍ୟୁରି ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    29 %
    2.1kmh
    0 %
    Mon
    29 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ