Monday, March 23, 2026
20.4 C
Odisha

    ବାଘଛାଲର ଗଡ୍‌ଫାଦର୍ କୋଲକାତାର ରାହୁଲ: ଓଡ଼ିଶାରୁ ୬୦ ହଜାରରେ କିଣି ୫୦ ଲକ୍ଷରେ ବିକ୍ରି

    ଆଗକୁ ପଢନ୍ତୁ

    କଟକ: ଗଞ୍ଜାମ ଜିଲ୍ଲାରେ ବାଘ ଶିକାର ପରେ ଏହାର ଛାଲ ଭାୟା କଟକ ସହର ଦେଇ କୋଲକାତା ଯାଉଛି। କୋଲକାତାରୁ ଏହାକୁ ବାଂଲାଦେଶ ଚାଲାଣ ହେଉଛି। ତେବେ ଓଡ଼ିଶା ଓ ବାଂଲାଦେଶ ମଧ୍ୟରେ ବାଘ ଛାଲ କାରବାର ପଛର ଗଡ୍‌ଫାଦର୍ ହେଉଛି ରାହୁଲ ମିଶ୍ର। କୋଲକାତାରେ ରହୁଥିବା ରାହୁଲ୍ ଓଡ଼ିଶାରୁ ୫୦ରୁ ୬୦ ହଜାର ଟଙ୍କାରେ ବାଘ ଛାଲ କିଣି ଏହାକୁ ଅନ୍ତର୍ଜାତୀୟ ବଜାରରେ ୫୦ ଲକ୍ଷ ଯାଏ ମୂଲ୍ୟରେ ବିକ୍ରି କରୁଥିବା ଘଟଣା ଜଙ୍ଗଲ ବିଭାଗର ନିଦ ହଜାଇ ଦେଇଛି। କଟକରୁ ଧରାପଡ଼ିଥିବା କଲରାପତିଆ ବାଘ ଛାଲ ମାମଲାରେ ଶିକାରୀ ସମେତ ୫ ଜଣଙ୍କୁ ପୁଲିସ ଗଞ୍ଜାମ ଓ ଗଜପତି ଜିଲ୍ଲାରୁ ଗିରଫ କରିଥିବା ସୂଚନା ମିଳିଛି।
    ସୂଚନା ଅନୁଯାୟୀ, କଟକ ସହରରେ ଧରାପଡ଼ିଥିବା କଲରାପତିଆ ବାଘ ଛାଲ ଗଞ୍ଜାମ ଜିଲ୍ଲାରେ ଶିକାର ହୋଇଥିବା କୁହାଯାଉଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ବାଘ ଶିକାରୀ ବାରହା ଶିକାର ପାଇଁ ଫାସ ବସାଇଥିବା କୁହାଯାଉଛି। ଫାସରେ କଲରାପତିଆ ବାଘ ପଡ଼ିଥିବାରୁ ଏହି ବାଘକୁ ମାରି ଛାଲକୁ ବିକ୍ରି ପାଇଁ ଅନ୍ତର୍ଜାତୀୟ ବାଘ ଛାଲ ମାଫିଆଙ୍କ ଯୋଗାଯୋଗରେ ଆସିଥିଲେ। ଏହି ମାମଲାରେ ଧରାପଡ଼ିଥିବା ମାହାଙ୍ଗା ଥାନା କୁହୁଣ୍ଡା ଗାଁର କୁଆଁପାଳର ପ୍ରମୋଦ ଜେନା ତାମିଲନାଡ଼ୁରେ ଏକ କମ୍ପାନିରେ କାମ କରୁଥିଲା। ସେଠାରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ପୁଡ଼ିଆମାରି ଅଞ୍ଚଳର ଜିତେନ୍ଦ୍ର ପ୍ରଧାନ ବି କାମ କରୁଥିଲା। ସେଠି ଉଭୟଙ୍କ ମଧ୍ୟରେ ସମ୍ପର୍କ ଯୋଡ଼ି ହୋଇଥିଲା। ପରେ ଗତପତି ଜିଲ୍ଲା ପାରଳାଖେମୁଣ୍ଡିରୁ ଜିତେନ୍ଦ୍ର ବାଘ ଛାଲ ଆଣି କଟକରେ ପ୍ରମୋଦକୁ ବିକ୍ରି କରିଥିଲା। ପ୍ରମୋଦ ଏହି ବାଘ ଛାଲ କେନ୍ଦ୍ରାପଡ଼ା ଜିଲ୍ଲା ବଡ଼ଗାଁର ରବିନାରାୟଣ ବାରିକ ମାଧ୍ୟମରେ କୋଲକାତାରେ ରହୁଥିବା ରାହୁଲ ମିଶ୍ରକୁ ୬୦ ହଜାର ଟଙ୍କାରେ ବିକିବାକୁ ଯୋଜନା କରିଥିଲା। ରାହୁଲ ଜଣେ ଅନ୍ତର୍ଜାତୀୟ ବାଘ ଛାଲ ମାଫିଆ। ସେ ଏହି ବାଘ ଛାଲକୁ ବାଂଲାଦେଶ ବଜାରରେ ବିକ୍ରି କରିଥାଏ। କେନ୍ଦ୍ରାପଡ଼ାର ରବିନାରାୟଣ ସହିତ ରାହୁଲର ଘନିଷ୍ଠ ସମ୍ପର୍କ।
    ପ୍ରତିଷ୍ଠିତ ପରିବାରର ରବିନାରାୟଣ ଭୁବନେଶ୍ବର ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରୁ ୨୦୧୪ରେ ପଢ଼ା ଶେଷ କରିଥିଲା। ପଢ଼ା ଶେଷ ପରେ ୟୁପିଏସ୍‌ସି ପରୀକ୍ଷା ପାଇଁ ଭୁବନେଶ୍ବରରେ ରହି ନିଜକୁ ପ୍ରସ୍ତୁତ କରୁଥିଲା। ଏହି ସମୟରେ ସେ ହନୁମାନ ପଇସା କାରବାର ଆରମ୍ଭ କରିଦେଇଥିଲା। କିନ୍ତୁ ଏଥିରେ ବିଫଳ ହେବା ପରେ ବାଘ ଛାଲ କାରବାରେ ଯୋଡ଼ି ହୋଇଥିଲା। ସିଧାସଳଖ ସେ ମାହାଙ୍ଗାର ପ୍ରମୋଦ, କୋଲକାତାରେ ରହୁଥିଲା ରାହୁଲର ସମ୍ପର୍କରେ ଆସିଥିଲା। ପରେ ଯୋଜନା ମୁତାବକ, ଗଲା ୫ ତାରିଖରେ ଏହି ଛାଲ ଶିଶୁଭବନ ପଛପଟ ବେଲ୍‌ଭ୍ୟୁ ଛକରେ କାରବାର୍ ସମୟରେ ପୂରା କାରବାରର ପର୍ଦ୍ଦାଫାସ ହୋଇଥିଲା।

    ଏହି ମାମଲାରେ କଟକ ମହାନଦୀବିହାରସ୍ଥିତ ସିଟି ଡିଭିଜନ ପକ୍ଷରୁ ଦୁଇଟି ଟିମ୍ ରବିବାର ଭୋର ୪ଟା ଓ ସକାଳ ୧୦ଟା ୩୦ରେ ଗଜପତି ଓ ଗଞ୍ଜାମ ଜିଲ୍ଲା ଅଭିମୁଖେ ଯାଇଛି। ସେଠାରେ ଦିଲ୍ଲୀର ଵାଇଲ୍‌ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ଜଣେ ଅଧିକାରୀ ଏହି ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ବ୍ରହ୍ମପୁର ବନ ବିଭାଗର ଉପଖଣ୍ଡର ଅଧିକାରୀ ବି ସାମିଲ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଉକ୍ତ କଲରାପତିଆ ବାଘ ଶିକାରୀକୁ ଗିରଫ କରାଯାଇଛି। ଏହା ସହିତ ମୋଟ ୫ ଜଣଙ୍କୁ ଗିରଫ କରି କଟକ ଅଣାଯାଉଛି। ସୋମବାର ଏହି ଟିମ୍ କଟକରେ ପହଞ୍ଚିବା ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ଏହି ତାଲିକାରେ ଏଜେଣ୍ଟ ଗଞ୍ଜାମ ଜିଲ୍ଲା ପୁଡ଼ୁଆମାରି ଅଞ୍ଚଳର ଜିତେନ୍ଦ୍ର ପ୍ରଧାନ ଓ ଗୌତମ ମଲ୍ଲିକ ଅଛନ୍ତି। ଏହି ପାଞ୍ଚ ଜଣଙ୍କୁ ମିଶାଇଲେ ବାଘ ଛାଲ କାରବାରରେ ଗିରଫଦାରୀ ସଂଖ୍ୟା ୭କୁ ଛୁଇଁବାକୁ ଯାଉଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    39 %
    1.4kmh
    0 %
    Mon
    33 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ