Tuesday, April 7, 2026
24.4 C
Odisha

    ଦାନା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ; ଉଗ୍ର ହେଉଛି ସାମୁଦ୍ରିକ ଜୁଆର, ପ୍ରବଳ ବର୍ଷା ଜାରି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରୁ ସୃଷ୍ଟ ବାତ୍ୟା ‘ଦାନା’ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହୋଇ ସ୍ଥଳଭାଗରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭିତରକନିକା ଓ ଧାମରା ମଝିରେ ଏହା ଲ୍ୟାଣ୍ଡଫଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା କିଛି ଘଣ୍ଟା ଧରି ଜାରି ରହିବ। ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ଥିବା ବେଳେ ସାମୁଦ୍ରିକ ଜୁଆର ଉଗ୍ରରୂପ ଧାରଣ କରିଛି। ସମୁଦ୍ର ଅଶାନ୍ତ ରହିଛି। ଜୁଆର ଅଧିକ ଉଚ୍ଚରେ ଉଠୁଛି। ପବନର ବେଗ ଘଣ୍ଟା ପିଛା ପ୍ରାୟ ୧୦୦କିମି ରହିଛି।

    ସରକାର ଓ ପ୍ରଶାସନ ଆଗୁଆ ପଦକ୍ଷେପ ନେଇଥିବାରୁ ଯଦିଓ ମାନବିକ କ୍ଷତି ହେବାର ଆଶଙ୍କା କମ୍‌ ରହିଛି। ପଶୁପକ୍ଷୀମାନେ ଅଧିକ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି। ଗୃହପାଳିତ ପଶୁମାନେ ଏକପ୍ରକାର ସୁରକ୍ଷିତ ଥିବା ବେଳେ ବନ୍ୟପ୍ରାଣୀମାନେ ବାତ୍ୟା ବିପର୍ଯ୍ୟୟର ମୁକାବିଲା କରିଛନ୍ତି। ଫସଲ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। ବ୍ୟାପକ ଧାନଚାଷ ନଷ୍ଟ ହୋଇପାରେ। ସେହିପରି ପନିପରିବା ଚାଷୀଙ୍କୁ ମଧ୍ୟ କ୍ଷତି ପହଞ୍ଚାଇପାରେ। ବାତ୍ୟା ସ୍ଥଳଭାଗରେ ପହଞ୍ଚିବା ପୂର୍ବରୁ ଗୁରୁବାର ଅନେକ ସ୍ଥାରେ ବୃକ୍ଷ ଉପୁଡ଼ି ପଡ଼ିଥିବା ବେଳେ ରାସ୍ତାକଡ଼ରେ ଅନେକ ଗଛ ଭାଙ୍ଗିପଡ଼ି ଥିବାରୁ କୃତ୍ରିମ ଅବରୋଧ ସୃଷ୍ଟି ହୋଇଛି। ପୂର୍ବ ଯୋଜନା ଅନୁସାରେ ମୁତୟନ ହୋଇଥିବା ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଓ ଏନ୍‌ଡିଆରଏଫ୍‌ର ଟିମ୍‌ ନିୟୋଜିତ ଅଛନ୍ତି। ବର୍ଷା ଶେଷ ହେଲା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିବ।

    ରିପୋର୍ଟ ଲେଖାଯିବା ବେଳକୁ ପବନ ସହିତ ବର୍ଷା ଜାରି ରହିଛି। ଉପକୂଳ ଓଡ଼ିଶାରେ ଆଜି ଦିନସାରା ବର୍ଷା ହେବାର ଆଶଙ୍କା ଉପୁଜିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଯଦି ପ୍ରବଳ ବର୍ଷା ଜାରି ରହିବ, ତା’ହେଲେ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିପାରେ। ରାଜ୍ୟର ୧୬ ଜିଲ୍ଲାରେ ମଧ୍ୟମଧରଣର ବନ୍ୟା ହୋଇପାରେ। ଅନୁଗୁଳ, ବାଲେଶ୍ବର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଂଜ, ନୟାଗଡ଼, ପୁରୀ ଜିଲ୍ଲାରେ ବନ୍ୟା ଆଶଙ୍କା ଉପୁଜିଛି।

    ବାତ୍ୟା ଓ ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ସ୍ବାଭାବିକ କରିବା ପାଇଁ ରାଜ୍ୟ ସରକାର ପୂର୍ବରୁ ପଦକ୍ଷେପ ନେଇଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ ୨୪ଘଣ୍ଟା କାର୍ଯ୍ୟ କରିବା ସହ ସ୍ଥିତି ଉପରେ ନଜର ରଖିଛନ୍ତି। ଏଥି ସହିତ ୧୪ଟି ଜିଲ୍ଲାରେ ହେଲ୍‌ପଲାଇନ୍‌ ନମ୍ବର ବ୍ୟବସ୍ଥା କରିଛନ୍ତି। ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରାୟ ୪ ଲକ୍ଷ ଲୋକଙ୍କୁ ରଖି ଖାଇବା-ପିଇବା ବ୍ୟବସ୍ଥା କରିଛନ୍ତି। ବାତ୍ୟା ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ, ବିଦ୍ୟୁତ ଯୋଗାଣ, ମେଡ଼ିକାଲ ସହାୟତା ପାଇଁ ସରକାର ଧ୍ୟାନ ଦେଉଛନ୍ତି। ବାତ୍ୟା ପରେ ଲୋକଙ୍କର ଜୀବନଶୈଳୀକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ପ୍ରଶାସନ ସହିତ ପ୍ରସ୍ତୁତି କରିଛନ୍ତି। ବର୍ଷା କମିବା ପରେ ବାତ୍ୟା ପରବର୍ତ୍ତୀ ପଦକ୍ଷେପ ପାଇଁ ପ୍ରସ୍ତୁତ ରହିବା ସହ ‘ଜିରୋ କାଜୁଆଲିଟି’କୁ ଆଧାର କରି ଲୋକଙ୍କ ସରକାର କାମ କରିବାକୁ ପୂର୍ବରୁ ପ୍ରତିଶ୍ରୁତି ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.4 ° C
    24.4 °
    24.4 °
    67 %
    0.7kmh
    25 %
    Tue
    36 °
    Wed
    38 °
    Thu
    38 °
    Fri
    38 °
    Sat
    37 °

    ସମ୍ବନ୍ଧିତ