Saturday, August 22, 2026
25.1 C
Odisha

    ଆଜି ସ୍ନାନଯାତ୍ରା: ଗଜବେଶରେ ଦର୍ଶନ ଦେବେ ମହାବାହୁ

    ଆଗକୁ ପଢନ୍ତୁ

    ପୁରୀ: ଶନିବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନ ସିଂହାସନରୁ ସ୍ନାନମଣ୍ଡପକୁ ବିରାଜିବେ ଚତୁର୍ଦ୍ଧାବିଗ୍ରହ। ସ୍ନାନମଣ୍ଡପରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ। ବର୍ଷକ ପରେ ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ସ୍ନାନବେଦିକୁ ରଙ୍ଗ ସହ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ସ୍ନାନବେଦି ଉପରେ ଚାନ୍ଦୁଆ ଲଗାଯାଇଛି। ପହଣ୍ଡି ପୂର୍ବରୁ ଗତକାଲି ଦଇତାପତିଙ୍କ ଦ୍ବାରା ବାହୁଟକଣ୍ଟ ନୀତି ଶେଷ ହୋଇଥିଲା। ଆଜି କୋଠ ସୁଆଁସିଆ ରତ୍ନସିଂହାସନରେ ଚାରମାଳ ବାନ୍ଧିବା ପରେ ଦଇତାପତିମାନେ ଶ୍ରୀବିଗ୍ରହଙ୍କ ସେନାପଟା ଲାଗି ନୀତିସଂପନ୍ନ କରିଛନ୍ତି।

    ନିର୍ଘଣ୍ଟ ନୀତି ଅନୁଯାୟୀ, ଶନିବାର ଭୋର୍‌ ସାଢ଼େ ୪ଟାରେ ମଙ୍ଗଳାର୍ପଣ ପରେ ୫ଟାରୁ ୭ଟା ଭିତରେ ଡୋର ଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ। ଧାଡ଼ି ପହଣ୍ଡିରେ ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦିକୁ ବିଜେ କରିବେ। ପହଣ୍ଡି ଶେଷ ପରେ ପୂର୍ବାହ୍ନ ୯ଟା ୧୦ରେ ମଙ୍ଗଳଆଳତି ହେବ। ମଧ୍ୟାହ୍ନ ୧୨ଟା ୨୦ରୁ ଅପରାହ୍ନ ୧ଟା ୪୫ ଭିତରେ ଜଳବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ। ଅପରାହ୍ନ ୩ଟାରେ ଗଜପତି ମହାରାଜା ଛେରା ପହଁରା କରିବାପରେ ଅପରାହ୍ନ ୩ଟା ୪୦ରେ ଗଜବେଶ ଆରମ୍ଭ ହେବ। ରାତି ସାଢ଼େ ୭ଟାରୁ ଭକ୍ତଙ୍କ ସାହାଣମେଲା ଦର୍ଶନ ଆରମ୍ଭ ହେବ। ରାତି ସାଢ଼େ ୧୦ଟାରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୧ଟାରେ ବେଶ ଓଲାଗି ଓ ସାଢ଼େ ୧୧ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ଅଣସର ପିଣ୍ଡିକୁ ବିଜେ କରିବେ। ବାହୁଡ଼ା ପହଣ୍ଡି ରାତି ୨ଟା ଭିତରେ ଶେଷ ହେବ। ପରେ ରାତି ସାଢ଼େ ୨ଟାରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ହେବ।

    ଏଣୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରିବେ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ବାର ଦେଇ ପ୍ରସ୍ଥାନ କରିବେ। ବଡ଼ଦାଣ୍ଡ ଓ ବିଭିନ୍ନ ଗଳିରୁ ଆସୁଥିବା ଭକ୍ତମାନେ ଦର୍ଶନ ପାଇଁ କେବଳ ମାର୍କେଟ୍ ଛକରୁ ଆରମ୍ଭ ହୋଇଥିବା ବ୍ୟାରିକେଡ୍‌ ଦେଇ ପ୍ରବେଶ କରିବେ। ବ୍ୟାରିକେଡ୍‌ ଭିତରେ ଶ୍ରୀମନ୍ଦିର ଅଭିମୁଖେ ଶ୍ରୀକୃଷ୍ଣ ସିନେମା ହଲ୍‌ ପର୍ଯ୍ୟନ୍ତ ଯିବାପରେ ସେଠାରୁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ରରେ ପହଞ୍ଚିବେ। ଏଠାରେ ଲାଗିଥିବା ମେଟାଲ୍‌ ଡିଟେକ୍ଟରରେ ଯାଞ୍ଚ୍‌ ପରେ ଭକ୍ତମାନେ ଦୋଳବେଦି କୋଣ ଷ୍ଟିଲ୍‌ ବ୍ୟାରିକେଡ୍‌ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ପହଣ୍ଡି ଟିକେଟ୍‌ଧାରୀ ଭକ୍ତମାନେ ଦକ୍ଷିଣଦ୍ବାର ବ୍ୟାରିକେଡ୍‌ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ପହଣ୍ଡି ଶେଷ ପରେ ଦକ୍ଷିଣଦ୍ବାର ପ୍ରବେଶ ବନ୍ଦ କରି ଦିଆଯିବ। ଏଣୁ ବଡ଼ଦାଣ୍ଡ ମାର୍କେଟ୍‌ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଛାୟାପ୍ରଦ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ମାର୍କେଟ୍‌ ଛକରୁ ଭକ୍ତମାନେ ବ୍ୟାରିକେଡ୍‌ରେ ଧାଡ଼ିରେ ଯାଇ ସ୍ନାନବେଦି ତଳେ ଅସ୍ଥାୟୀ ରାମ୍ପ ଦେଇ ମହାପ୍ରଭୁଙ୍କ ଦର୍ଶନ କରି ଫେରିବେ। ବାଗେଡ଼ିଆ ଧର୍ମଶାଳା ସମ୍ମୁଖରେ ବାହାର ଭକ୍ତଙ୍କ ଦର୍ଶନ ପାଇଁ ସେଡ୍‌ ବ୍ୟବସ୍ଥା କରଯାଇଛି। ଭକ୍ତଙ୍କ ନିର୍ବିଘ୍ନ ଦର୍ଶନକୁ ଚଳିତବର୍ଷ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଅବରୋଧମୁକ୍ତ ପରବେଶରେ ଭକ୍ତମାନେ ଯେଭଳି ମହାପ୍ରଭୁଙ୍କ ସ୍ନାନନୀତି, ଗଜବେଶ ଦେଖିପାରିବେ, ସେ ଦିଗକୁ ଗୁରୁତ୍ବ ଦିଆଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ପାଇଁ ୬୮ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। ୪୪୭ ପୁଲିସ ଅଧିକାରୀ, ୫୯୪ ହୋମ୍‌ଗାର୍ଡ, ୪ଶହରୁ ଅଧିକ କନେଷ୍ଟବଳଙ୍କୁ ନିୟୋଜିତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    93 %
    1.4kmh
    100 %
    Sat
    25 °
    Sun
    28 °
    Mon
    28 °
    Tue
    28 °
    Wed
    29 °

    ସମ୍ବନ୍ଧିତ