Monday, February 9, 2026
20.6 C
Odisha

    ସିଗାରେଟ୍ ଧୂଆଁ ଛାଡ଼ିବାକୁ ନେଇ ହାତାହାତି! ଏସ୍‌ଆର୍‌’ଙ୍କ ମାଡ଼ରେ ପିଜି ଛାତ୍ରଙ୍କ ନାକ ଫାଟିଲା!

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ପୁଣିଥରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି । ଏଥର ରାଗିଂକୁ ନେଇ ନୁହେଁ ବରଂ ଜଣେ ଡାକ୍ତରୀ ଛାତ୍ରୀଙ୍କ ସିଗାରେଟ ଧୂଆଁ ଛାଡ଼ିବା ଘଟଣାକୁ କେନ୍ଦ୍ର କରି ସିନିଅର ରେସିଡେଣ୍ଟ ଓ ପିଜି ଛାତ୍ରଙ୍କ ମଧ୍ୟରେ ହୋଇଛି ହାତାହାତି ଭଳି ଘଟଣା । ଘଟଣାରେ ପିଜି ଛାତ୍ରଙ୍କ ନାକରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହେବାରୁ ସେ ଡାକ୍ତରଖାନାର ଆଶୁଚିକିତ୍ସା ବିଭାଗରେ ଚିକିତ୍ସିତ ହୋଇଥିଲେ । ଯାହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଆକ୍ରମଣର ଶିକାର ପିଜି ଛାତ୍ର ଜଣକ ବିଳମ୍ବିତ ରାତିରେ ହଷ୍ଟେଲ ଛାତ ଉପରକୁ ଯାଇ ଆତ୍ମହତ୍ୟା କରିବାକୁ ଯାଉଥିବା ନେଇ ହ୍ୱାଟ୍ସଅପ ଗ୍ରୁପରେ ପୋଷ୍ଟିଂ କରିଥିଲେ । ପରେ ଖବର ପାଇ ବିଭାଗୀୟ ବରିଷ୍ଠ ଡାକ୍ତର ଓ ଅନ୍ୟମାନେ ତାଙ୍କୁ ଏଥିରୁ ବାରଣ କରିଥିଲେ । ଘଟଣା ସମ୍ପର୍କରେ ଶିଶୁବିଭାଗର ଜଣେ ବରିଷ୍ଠ ଡାକ୍ତର ଆକ୍ରମଣକାରୀ ଡାକ୍ତର ଓ ତାଙ୍କ ସହପାଠୀ ଛାତ୍ରଙ୍କୁ ପଚାରିବାରୁ ସେମାନେ ବରିଷ୍ଠ ଡାକ୍ତରଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପରେ ଆକ୍ରମଣର ଶୀକାର ପିଜି ଡ଼ାକ୍ତର ଜଣକ ବୈଦ୍ୟନାଥପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହି ଘଟଣାକୁ ନେଇ ବୈଦ୍ୟନାଥ ଥାନା ପୁଲିସ ୫ଜଣଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକ ସୁଚିତ୍ରା ପରିଡ଼ା କହିଛନ୍ତି ।
    ଅନ୍ୟପକ୍ଷରେ ଘଟଣାକୁ ନେଇ ବ୍ରହ୍ମପୁର ଏସ୍‌ପିଙ୍କ ଉପସ୍ଥିତିରେ ଏକ ସମନ୍ୱୟ ବୈଠକ ଖୁବ୍‌ଶୀଘ୍ର ଡକାଯିବ ବୋଲି ଏମ୍‌କେସିଜି ମେଡିକାଲ କଲେଜର ଡିନ୍ ପ୍ରଫେସର ଡ଼ା. ସୁଚିତ୍ରା ଦାଶ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବେ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ସିନିଅର ରେସିଡାଣ୍ଟ(ଏସ୍‌ଆର୍‌) ଡାକ୍ତର ଓ ତାଙ୍କ ବାନ୍ଧବୀ ପିଜି ହଷ୍ଟେଲ କ୍ୟାଣ୍ଟିନରେ ବସି ସିଗାରେଟ ଟାଣୁଥିଲେ । ଏହି ସମୟରେ ଆକ୍ରମଣର ଶିକାର ହୋଇଥିବା ପିଜି ଡାକ୍ତରୀ ଛାତ୍ରଙ୍କ ମୁହଁରେ ସିଗାରେଟ ଧୂଆଁ ବାଜିଥିଲା । ଯାହାର ସେ ପ୍ରତିବାଦ କରିଥିଲେ । ଫଳରେ ଉଭୟ ଏସଆର ଓ ପିଜି ଛାତ୍ରଙ୍କ ମଧ୍ୟରେ ବଚସା ହୋଇଥିଲେ ହେଁ ପରେ ଉଭୟଙ୍କ ମଧ୍ୟରେ ଆପୋସ ସମାଧାନ ହୋଇଥିଲା । ତେବେ ଶନିବାର ବିଳମ୍ବିତ ରାତିରେ ଏମ୍‌କେସିଜି ମେଡିକାଲର ଅସ୍ଥିଶଲ୍ୟ ବିଭାରର ୩ଜଣ ଏସ୍‌ଆର୍‌, ଜଣେ ଆସିଷ୍ଟାଣ୍ଟ ପ୍ରଫେସର(ଏପି) ଏବଂ ଜଣେ ପିଜି ଡାକ୍ତରୀ ଛାତ୍ର ପିଜି ହଷ୍ଟେଲ-୩ରେ ଏକାଠି ହୋଇଥିଲେ । ପରେ ଜଣେ ଏସ୍‌ଆର୍‌ଙ୍କ ଜରିଆରେ ଆକ୍ରମଣର ଶିକାର ହୋଇଥିବା ଶିଶୁବିଭାଗ ପିଜି ଛାତ୍ରଙ୍କୁ ସେଠାକୁ ଡକାଇ ଥିଲେ । ସେଠାରେ ଉପସ୍ଥିତ ଥିବା ଅସ୍ଥିଶଲ୍ୟ ବିଭାଗର ଡାକ୍ତରଙ୍କ ସହ ପୂର୍ବ ଘଟଣାକୁ ନେଇ ପିଜି ଛାତ୍ରଙ୍କ ସହ ସେମାନଙ୍କର ପୁଣି ପାଟିତୁଣ୍ଡ ହୋଇଥିଲା । ପରେ ଶିଶୁବିଭାଗର ପିଜି ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ପିଜି ଛାତ୍ରଙ୍କ ନାକରେ ଗଭୀର ଆଘାତ ଲାଗିଥିଲା ଏବଂ ତାଙ୍କୁ କିଛି ସହଯୋଗୀ ମେଡିକାଲର ଆଶୁଚିକିତ୍ସା ବିଭାଗକୁ ନେଇ ଚିକିତ୍ସା କରିଥିଲେ । କ୍ୟାମ୍ପସରେ ଏଭଳି ମାରପିଟ ଘଟଣା ବାରମ୍ୱାର ଘଟୁଥିଲେ ହେଁ ଏମ୍‌କେସିଜି ମେଡିକାଲ କଲେଜ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । ତେବେ ଯେ କୌଣସି ପରିସ୍ଥିତିରେ ବିଭିନ୍ନ ଗୋଷ୍ଠୀର ଡାକ୍ତରୀ ଛାତ୍ରଙ୍କ ମଧ୍ୟରେ କୁହୁଳୁଥିବା ପୁଞ୍ଜିଭୂତ ଅସନ୍ତୋଷ ଯେ ଉଗ୍ର ରୂପ ଧାରଣ ନକରିବ ତାହା କହି ବେହନି ।ତେଣୁ ବେଳ ଥାଉଥାଉ ଏଭଳି ଘଟଣାରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.6 ° C
    20.6 °
    20.6 °
    23 %
    1.3kmh
    0 %
    Mon
    22 °
    Tue
    31 °
    Wed
    32 °
    Thu
    33 °
    Fri
    34 °

    ସମ୍ବନ୍ଧିତ