Friday, February 27, 2026
19.8 C
Odisha

    ପୁରନ୍ଦର ମିଶ୍ର ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ସୁସମ୍ପର୍କର ସର୍ବୋଚ୍ଚ ପ୍ରମାଣ: ବିଷ୍ଣୁଦେବ ସାୟ

    ଆଗକୁ ପଢନ୍ତୁ

    ରାୟପୁର: ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ସୁସମ୍ପର୍କର ସର୍ବୋଚ୍ଚ ପ୍ରମାଣ ହେଲେ ପୁରନ୍ଦର ମିଶ୍ର। ଉତ୍କଳ ଦିବ ପାଳନ ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ ଏହି ମତ ପ୍ରକାଶ କରିଛନ୍ତି। ଶ୍ରୀ ମିଶ୍ର ଛତିଶଗଡ଼ ବିଧାନସଭାକୁ ନିର୍ବାଚିତ ହେବା ଦ୍ଵାରା ଉଭୟ ରାଜ୍ୟବାସୀଙ୍କ ମଧ୍ୟରେ ରହିଥିବା ଆପୋଷ ମିତ୍ରତା ପ୍ରମାଣିତ ହୋଇଯାଇଛି ବୋଲି ଶ୍ରୀ ସାୟ କହିଛନ୍ତି। ଛତିଶଗଡ଼ ଓ ଓଡ଼ିଶାର ଅଧିବାସୀଙ୍କ ମଧ୍ୟରେ ରହିଥିବା ଉତ୍ତମ ଭାଇଚାରାର ଏହାଠାରୁ ଆଉ ବଡ଼ ଉଦାହରଣ କିଛି ହୋଇ ନପାରେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।ଏଠାରେ ପ୍ରକାଶଯୋଗ୍ୟ ଯେ ପୁରନ୍ଦର ମିଶ୍ର ଏବେ ରାୟପୁର (ନଗର ଉତ୍ତର)ର ବିଧାୟକ ରହିଥିବା ସାଙ୍ଗକୁ ଛତିଶଗଡ଼ରେ ବସବାସ କରୁଥିବା ୩୫ଲକ୍ଷ ଓଡ଼ିଆ ଭାଷାଭାଷୀ ଜନସାଧାରଣଙ୍କୁ ନେଇ ଗଠିତ ସମଗ୍ର ଓଡ଼ିଆ ସମାଜର ପ୍ରଦେଶ ଅଧ୍ୟକ୍ଷ ଅଛନ୍ତି।

    ରାୟପୁର ଠାରେ ଆୟୋଜିତ ଉତ୍କଳ ଦିବସ ସମାରୋହ-୨୦୨୪ରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ, ଉତ୍କଳ ଦିବସ କେବଳ ଛତିଶଗଡ଼ରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷୀଙ୍କର ଉତ୍ସବ ନୁହଁ ବରଂ ସମଗ୍ର ଛତିଶଗଡ଼ବାସୀଙ୍କ ପାଇଁ ଏହା ଏକ ମହାନ ମତ୍ସବ ବୋଲି ଦର୍ଶାଇଛନ୍ତି। ତାଙ୍କର ନିଜ ନିର୍ବାଚନ ମଣ୍ଡଳୀ ଯଶପୁରର ସହର ଓ ଗ୍ରାମାଞ୍ଚଳରେ ବହୁ ସଂଖ୍ୟାରେ ଓଡ଼ିଶାବାସୀଙ୍କର ଉପସ୍ଥିତି, ଏହି ଦୁଇ ପ୍ରଦେଶର ନିବିଡ ସୌହାର୍ଦ୍ଦ୍ୟତାର ସ୍ଵାକ୍ଷର ବହନ କରୁଥିବା ଶ୍ରୀ ସାୟ ସୁଚାଇଛନ୍ତି।
    ଛତିଶଗଡ଼ର ସମଗ୍ର ଓଡ଼ିଆ ସମାଜ ଏବଂ ରାୟପୁରସ୍ଥିତ ଉତ୍କଳ ସାଂସ୍କୃତିକ ପରିଷଦର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ମହୋତ୍ସବରେ ପ୍ରାୟ ପାଞ୍ଚ ହଜାର ଓଡ଼ିଆ ଓ ଅଣଓଡ଼ିଆ ଜନସାଧାରଣ ସାମିଲ ହୋଇଥିବା ଦେଖାଯାଇଥିଲା। ସଭା ପୂର୍ବରୁ ସମଗ୍ର ଓଡ଼ିଆ ସମାଜର ଅଧ୍ୟକ୍ଷ ପୁରନ୍ଦର ମିଶ୍ରଙ୍କର ନେତୃତ୍ୱରେ ପ୍ରବାସୀ ଓଡ଼ିଆ ମାନଙ୍କର ଏକ ବିଶାଳ ଶୋଭାଯାତ୍ରା ଉତ୍ସବ ସ୍ଥଳକୁ ଆସିଥିଲା। ପ୍ରାରମ୍ଭରେ ଆଗନ୍ତୁକ ଅତିଥିମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନନ୍ଦିଘୋଷ ରଥର ଚକା ଦର୍ଶନ ଏବଂ ଚତୁର୍ଦ୍ଧାମୂର୍ତ୍ତିଙ୍କର ପୂଜାର୍ଚ୍ଚନା କରିଥିଲେ। ଏହାପରେ ମହିଳା ଥାନା ସାମ୍ନା ସ୍ଥିତ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ର ନିର୍ମାତା ମଧୁସୂଦନ ଦାସଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

    ସମାବେଶକୁ ସଂବୋଧିତ କରି ମୁଖ୍ୟଅତିଥି ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶାର ଗୌରବମୟ ଇତିହାସ ଏବଂ ଗାରିମା ଗାଥା ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ବୋଲି କହିଥିଲେ। ରାଜ୍ୟର ଭାଷା, କଳା ଓ ସଂସ୍କୃତି ର ପ୍ରସାରଣ ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ ଓ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପରି ମହାପୁରୁଷମାନଙ୍କର ଯୋଗଦାନ ସଦା ସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ ହରିଚନ୍ଦନ ସୁଚାଇ ଥିଲେ।
    ସଭାରେ ଉଦବୋଧନ ଦେଇ ବିଧାୟକ ଶ୍ରୀ ମିଶ୍ର ଛତିଶଗଡ଼ରେ ବସବାସ କରୁଥିବା ଓଡିଶାବାସୀଙ୍କର ରାଜ୍ୟର ପ୍ରଗତି ନେଇ ବ୍ୟାପକ ଯୋଗଦାନ ରହିଥିବା ଉଲ୍ଲେଖ କରିଥିଲେ। ଛତିଶଗଡ଼ରେ ଥିବା ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ଶିକ୍ଷାକୁ ଏକ ବିଷୟ ଭାବରେ ପାଠ୍ୟକ୍ରମରେ ଅନ୍ତର୍ଭୂକ୍ତ କରିବା ପାଇଁ ଶ୍ରୀ ମିଶ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କର ସାମ୍ନାରେ ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ ବିଶିଷ୍ଟ ବୁଣାକାର ସାରିକା ମେହେରଙ୍କୁ ତାଙ୍କର ଉତ୍କୃଷ୍ଟ କାର୍ଯ୍ୟ କୁଶଳତା ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା।ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଉପ-ମୁଖ୍ୟମନ୍ତ୍ରୀ ଅରୁଣ ସାଓ, ସାଂସଦ ସୁନୀଲ ସୋନି, ବିଧାୟକ ମୋତିଲାଲ ସାହୁ, ମେୟର ଇଯାଜ ଦେବର, ଉତ୍କଳ ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ଡ଼ଃ କେ.କେ ଭୋଇ, ଘାସି ସମାଜର ଅଧ୍ୟକ୍ଷ ରାଜେନ୍ଦ୍ର ବେହେରା, ଗଣ୍ଡା ସମାଜର ଅଧ୍ୟକ୍ଷ ଓକିଲ ତାଣ୍ଡି, ଆଦିବାସୀ ସମାଜର ଅଧ୍ୟକ୍ଷ ନାରାୟଣ ପ୍ରସାଦ ନରୌଜି, ସମଗ୍ର ଓଡିଆ ସମାଜର ସଂଗଠନ ମହାସଚିବ ସତ୍ୟଦେବ ଶର୍ମା, ମୁଖପାତ୍ର ଗୁଣନିଧି ମିଶ୍ର ଓ ୱାର୍ଲଡ଼ ଓଡ଼ିଶା ସୋସାଇଟିର ଛତିଶଗଡ଼ ଶାଖାର ଉପ-ସଭାପତି ପୀୟୁଷ ମିଶ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.8 ° C
    19.8 °
    19.8 °
    26 %
    1.9kmh
    0 %
    Thu
    20 °
    Fri
    33 °
    Sat
    35 °
    Sun
    37 °
    Mon
    37 °

    ସମ୍ବନ୍ଧିତ