Friday, September 20, 2024
24.1 C
Odisha

    ୩୦୦ରୁ ଅଧିକ ମହିଳାଙ୍କ ଇଜ୍ଜତ ଲୁଟ୍: ମୋବାଇଲ୍‌ରେ ଶହ ଶହ ମହିଳାଙ୍କ ନଗ୍ନ ଭିଡିଓ

    ଆଗକୁ ପଢନ୍ତୁ

    କଟକ: ୧୧ ବର୍ଷ ହେବ ଅନୁଗୁଳ ଛେଣ୍ଡିପଦାର ଲମ୍ପଟ ବିରଞ୍ଚି ନାରାୟଣ ନାଥ ଦେଶରେ ପାଖାପାଖି ୩୦୦ରୁ ଉର୍ଦ୍ଧ୍ବ ମହିଳାଙ୍କ ଇଜ୍ଜତ ଲୁଟିଛି। ସ୍ବାମୀ ପରିତ୍ୟକ୍ତା, ବିଧବାଙ୍କୁ ବିବାହ ଓ ଚାକିରିର ଲୋଭ ଦେଖାଇ ଶାରୀରିକ ସମ୍ପର୍କ ରଖିଆସିଥିଲା ବିରଞ୍ଚି। କ୍ରାଇମବ୍ରାଞ୍ଚ ବିରଞ୍ଚିକୁ ଗିରଫ କରିବା ପରେ ତା’ ମୋବାଇଲରୁ ଶହଶହ ଉଚ୍ଚଶିକ୍ଷିତା ମହିଳାଙ୍କ ଅଶ୍ଲୀଳ ଫଟୋ ଓ ଭିଡିଓ ଜବତ ହୋଇଛି। ବିରଞ୍ଚିର ଏଭଳି କାଣ୍ଡ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ହୋସ୍ ଉଡ଼ାଇ ଦେଇଛି।

    ସୂଚନା ଅନୁଯାୟୀ, ୨୦୧୩-୧୪ରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ବିରଞ୍ଚି ନାରାୟଣ ନାଥ ମାଟ୍ରିମୋନି ୱେବ୍‌ସାଇଟ୍‌ରେ ନିଜର ଏକ ଆକାଉଣ୍ଟ ଖୋଲିଥିଲା। ସେଥିରେ ସେ ନିଜକୁ ରେଳବାଇ କର୍ମଚାରୀ, ଆୟକର ଇନ୍‌ସ୍ପେକ୍ଟର୍‌, କଷ୍ଟମ୍ ଏବଂ ସେଣ୍ଟ୍ରାଲ୍ ଏକ୍ସାଇଜ୍‌ ବିଭାଗର ଅଧିକାରୀ ଇତ୍ୟାଦି ପରିଚୟ ଦେଉଥିଲା। ନିଜକୁ ମାନସ ରଥ, ପ୍ରଭାକର ଶ୍ରୀବାସ୍ତବ, ବିରଞ୍ଚି ନାରାୟଣ ନାଥ ଇତ୍ୟାଦି ନାଁରେ ପରିଚୟ ଦେଇ ବିବାହ ପାଇଁ ଇଚ୍ଛୁକ ଥିବା କହୁଥିଲା। ଅନୁଗୁଳରେ ବିରଞ୍ଚିର ଦୁଇଟି ପତ୍ନୀ ଥିବା ସତ୍ତ୍ବେ ସେ ଏଭଳି କେଳେଙ୍କାରୀ କରୁଥିଲା। ସେ ମଧ୍ୟ ବୟସ୍କ ମହିଳାଙ୍କୁ ଟାର୍ଗେଟ୍ କରୁଥିଲା। ଯେଉଁମାନେ ଅବିବାହିତ, ବିବାହ ବିଚ୍ଛେଦ ହୋଇଥାଏ, ଅବା ବିଧବାଙ୍କୁ ମୁଖ୍ୟତଃ ଟାର୍ଗେଟ୍ କରିଥିଲା। ସେ ପୀଡ଼ିତାଙ୍କୁ ଏହି ୱେବସାଇଟ୍ ମାଧ୍ୟମରେ ବିବାହ ଅନୁରୋଧ ପଠାଇଥାଏ। ପରେ ସେ ଫୋନ୍‌ରେ କଥାବାର୍ତ୍ତା ହୋଇ ସମ୍ପର୍କ ବଢ଼ାଇଥାଏ। ସମ୍ପର୍କ ଘନିଷ୍ଠ ହେବା ପରେ ସମ୍ପୃକ୍ତ ମହିଳାଙ୍କ ଘରକୁ ଯାଇଥାଏ। ସେ ମହିଳାଙ୍କ ସହିତ ତାଙ୍କ ଛୁଆଙ୍କ ଭବିଷ୍ୟତ ସୁରକ୍ଷା ପ୍ରତିଶ୍ରୁତି ଦେଇ ଭାବନା ସହିତ ଖେଳୁଥିଲା। ବିରଞ୍ଚିର ଏଭଳି ଜାଲରେ ଏକାଧିକ ମହିଳା ଫସିଥିଲେ। ଅନେକ ମହିଳାଙ୍କୁ ବିବାହ ପରେ ଚାକିରି ଦେବାକୁ ବି ଲୋଭ ଦେଖାଇଥିଲା। ସେ ମହିଳାଙ୍କୁ ମନ୍ଦିର ବିବାହ କରିଥିଲା। ବିବାହ ପରେ ମହିଳାଙ୍କ ଘରେ ବିରଞ୍ଚି ଆଡ୍ଡା ଜମାଇ ରହିଥିଲା। କିନ୍ତୁ କେବେ ନିଜ ଘରକୁ ଆଣି ନଥିଲା। ସେ ଅନେକ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ବେଳେ ଏହାର ଫଟୋ ଓ ଭିଡିଓ ମୋବାଇଲ୍‌ରେ ଲୁଚାଇ ରେକର୍ଡ କରୁଥିଲା। ଏହା ସହିତ ଭିଡିଓ କଲ୍ କରୁଥିବା ବେଳେ ସେମାନଙ୍କୁ ଉଲଗ୍ନ ହେବାକୁ କହୁଥିଲା। ଏହି ସମୟର ମଧ୍ୟ ଭିଡିଓ ନିଜ ମୋବାଇଲରେ ରେକର୍ଡ କରି ରଖୁଥିଲା ବିରଞ୍ଚି। ପରବର୍ତ୍ତୀ ସମୟରେ ଏହି ଫଟୋ ଓ ଭିଡିଓ ଦେଖାଇ ମହିଳାଙ୍କୁ ବ୍ଲାକ୍‌ମେଲ୍ କରୁଥିଲା। ଟଙ୍କା, ସୁନା ଓ ମୂଲ୍ୟବାନ ସାମଗ୍ରୀ ଦାବି କରୁଥିଲା। ନଦେଲେ ଏସବୁ ଅଶ୍ଲୀଳ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଦେବାକୁ ଧମକ ଦେଉଥିଲା। ଯୁବକମାନଙ୍କୁ ରେଳବାଇରେ ଚାକିରି ଦେବାକୁ କହି ସେ ମଧ୍ୟ ଅନେକ ବେକାର ଯୁବକଙ୍କ ନିକଟରୁ ଟଙ୍କା ଠକିଆସୁଥିଲା।

    ମୋବାଇଲ୍‌ରେ ଶହ ଶହ ମହିଳାଙ୍କ ନଗ୍ନ ଭିଡିଓ
    କ୍ରାଇମବ୍ରାଞ୍ଚ ହାବୁଡ଼ରେ ଲମ୍ପଟ ବିରଞ୍ଚି ନାରାୟଣ
    ମାଟ୍ରିମୋନିରେ ସାରା ଦେଶରୁ ମହିଳାଙ୍କୁ ଟାର୍ଗେଟ୍

    କଟକର ଜଣେ ପୀଡ଼ିତା ଏହି ଠକକୁ ଧରାପକାଇ ଦେଇଥିଲେ। ସମ୍ପୃକ୍ତ ମହିଳାଙ୍କ ସ୍ବାମୀଙ୍କର ୨୦୨୨ରେ ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଥିଲା। ସେ ତାଙ୍କ ଦୁଇ ଝିଅ ସହିତ ରହୁଥିଲେ। ସେ ନିଜର ଓ ଝିଅଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଦ୍ବିତୀୟ ବିବାହ କରିବାକୁ ଯୋଜନା କରିଥିଲେ। ୨୦୨୩ ଅକ୍ଟୋବରେ ଦ୍ବିତୀୟ ବିବାହ ପାଇଁ ମାଟ୍ରିମୋନି ୱେବସାଇଟ୍‌ରେ ନାଁ ପଞ୍ଜୀକରଣ କରିଥିଲେ। ସେ ମାଟ୍ରିମୋନି ୱେବସାଇଟ୍‌ରେ ଏହି ଠକର ରିକ୍ବେଷ୍ଟ ପାଇଥିଲେ। ତାଳଚେର ଖମାରର ପ୍ରଭାକର ଶ୍ରୀବାସ୍ତବ(୪୩) ନାଁରେ ରିକ୍ବେଷ୍ଟ ପାଇଥିଲେ। ସେ ନିଜକୁ ବିଶାଖାପାଟଣାରେ ରେଳବାଇ ଟିଟିଆଇ ପରିଚୟ ଦେଇଥିଲା। ସେ ନିଜ ମା’ ଓ ପତ୍ନୀଙ୍କୁ ହରାଇଥିବାରୁ ବାପାଙ୍କ ସହିତ ରହୁଥିବା କାହାଣୀ ଶୁଣାଇଥିଲା। ପୂର୍ବରୁ ସେ ରାଉରକେଲା ଏସ୍‌ବିଆଇ ଶାଖାର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା କହିଥିଲା। ୨୦୨୩ ଅକ୍ଟୋବର୍‌ ୭ରେ ପ୍ରଭାକର ପରିଚୟ ଦେଉଥିବା ବିରଞ୍ଚି କଟକର ମହିଳାଙ୍କ ଘରକୁ ଆସିଥିଲା ଏବଂ ବିବାହ ପାଇଁ ଇଚ୍ଛା ପ୍ରକାଶ କରିଥିଲା। ପୀଡ଼ିତା ମହିଳାଙ୍କ ପରିବାର ଏଥିପାଇଁ ସମୟ ମାଗିଥିଲେ। ବିରଞ୍ଚି ସେହି ମହିଳାଙ୍କୁ ବାରମ୍ବାର ଡାକିବା ସହିତ ବାହାଘରକୁ ନେଇ ଭାବପ୍ରବଣ ହୋଇଯାଇଥିଲା। ବିରଞ୍ଚି ତାଙ୍କ ସହିତ ଭିଡିଓ କଲରେ କଥା ହେଉଥିଲା। ନଗ୍ନ ହେବାକୁ କହି ବିରଞ୍ଚି ତାର ଭିଡିଓକୁ ରେକର୍ଡ କରିଦେଇଥିଲା। ମହିଳାଙ୍କୁ ଓଡ଼ିଶା ବାହାରକୁ ବୁଲାଇ ନେଇଥିଲା। ପୂର୍ବର ନଗ୍ନ ଭିଡିଓ ଦେଖାଇ ଓଡ଼ିଶା ବାହାରେ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା ବିରଞ୍ଚି। ୫ ମାସ କାଳ ମହିଳାଙ୍କ ସହିତ ରହି ଶାରୀରିକ ଶୋଷଣ ସହିତ ଆର୍ଥିକ ଶୋଷଣ କରିଆସୁଥିଲା। ମହିଳାଙ୍କୁ ବି ତାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲା। ସେହି ମହିଳାଙ୍କୁ ବ୍ଲାକମେଲ୍ କରି ୫ ଲକ୍ଷ ନଗଦ ଟଙ୍କା ଓ ୩୨ ଗ୍ରାମ ସୁନା ଅଳଙ୍କାର ଲୁଟିନେଇଥିଲା। ଏହି ମହିଳାଜଣକ ଶେଷରେ ଚଳିତ ସେପ୍ଟେମ୍ବର ୧୨ ତାରିଖରେ ବିରଞ୍ଚି ବିରୋଧରେ କ୍ରାଇମବ୍ରାଞ୍ଚ ସାଇବର୍ ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

    ଏହି ତଦନ୍ତ ସମୟରେ କ୍ରାଇମ୍‌ବ୍ରାଞ୍ଚ ବିରଞ୍ଚି ବିରୋଧରେ ପ୍ରମାଣ ପାଇବା ପରେ ତାକୁ ଗିରଫ କରିଥିଲା। ତା’ ବିରୋଧରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା, ଅନୁଗୁଳ ଟାଉନ୍ ଥାନା ଓ ଝାରପଡ଼ା ଥାନାରେ ଦୁଇଟି ମାମଲା, ବାଲେଶ୍ବର ସଦର ଥାନା, ରାଉରକେଲା ଛେଣ୍ଡ୍‌ ଥାନା, ଢେଙ୍କାନାଳ ଟାଉନ୍‌ ଥାନା, ଭୁବନେଶ୍ବର କମିସନରେଟ୍ ପୁଲିସରେ ନୟାପଲ୍ଲୀ ଓ ବାଲିପାଟଣା ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି। ସେ ଓଡ଼ିଶା ସମେତ ରାଜସ୍ଥାନ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ହରିୟାନା, ଦିଲ୍ଲୀ ମଧ୍ୟ ସମାନ ଧରଣର କାଣ୍ଡ ଘଟାଇଥିଲା। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ତା’ ବିରୋଧରେ ୧୦ଟି ମାମଲା ରୁଜୁ ହୋଇଥିବା ବେଳେ ଆହୁରି ମାମଲା ଖୁବ ଶୀଘ୍ର ରୁଜୁ ହେବାକୁ ଯାଉଛି। ତେବେ କ୍ରାଇମବ୍ରାଞ୍ଚ ଅବଶିଷ୍ଟ ମାମଲାଗୁଡ଼ିକରେ ତଦନ୍ତ ଆରମ୍ଭ କରିଛି। ତା’ ବ୍ୟାଙ୍କ ଆକାଉଣ୍ଟ ଜବତ ହୋଇଥିବା ବେଳେ ଗଲା ୧୧ ବର୍ଷ ଭିତରେ ତା’ ଆକାଉଣ୍ଟରେ କୋଟି କୋଟି ଟଙ୍କାର ଆର୍ଥିକ କାରବାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏଗୁଡ଼ିକର ମଧ୍ୟ ତଦନ୍ତ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ରେକର୍ଡ ମଗାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ