Saturday, September 19, 2026
25.4 C
Odisha

    ନନ୍ଦନକାନନର ୬୪ତମ ପ୍ରତିଷ୍ଠା ଦିବସ

    ଆଗକୁ ପଢନ୍ତୁ

    ବାରଙ୍ଗ/ ତ୍ରିଶୁଳିଆ: ଆଜି ନନ୍ଦନକାନନର ୬୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ୧୬ଟି ବନ୍ୟପ୍ରାଣୀ ଶାବକଙ୍କ ନାମକରଣ କରାଯାଇଛି। ୨ଟି ହାତୀ ଶାକବ, ୬ ବାଘ ଓ ୬ ସିଂହ ଛୁଆ ଆଜିଠୁ ସେମାନଙ୍କ ନୂଆ ନାଁରେ ପରିଚିତ ହେବେ। ସାଧାରଣ ନାଲି ରଙ୍ଗର ବାଘୁଣୀ ଅଙ୍କିତା ଓ ନନ୍ଦନ ମିଳନରୁ ଜନ୍ମିତ ୪ ଶାବକଙ୍କ ମଧ୍ୟରୁ ୩ ମାଈ ଛୁଆଙ୍କ ନାମ ଶ୍ରୀ, ତୃପ୍ତି ଓ ଜୟଶ୍ରୀ ଏବଂ ଅଣ୍ଡିରା ଛୁଆକୁ ଅମିତ୍‌ ବୋଲି ଘୋଷଣା କରାଯାଇଛି। ଧଳା ବାଘୁଣୀ ରୂପା ଓ ରାଜେଶ ମିଳନରୁ ଜନ୍ମିତ ଅଣ୍ଡିରା ଛୁଆର ନାଁ ଶିବ ଓ ମାଈ ଛୁଆର ନାଁ ଅମ୍ରିତା ରଖାଯାଇଛି। ସିଂହୀ ବିଜ୍‌ଲି ଜନ୍ମିତ ୪ ଶାବକ ମଧ୍ୟରୁ ୩ ମାଈ ଶାବକଙ୍କ ନାଁ ଶ୍ରଦ୍ଧା, ରୀମା ଓ ଅନାମିକା ରଖାଯାଇଛି ଏବଂ ଅଣ୍ଡିରା ଛୁଆକୁ ଯୁବରାଜ ବୋଲି ଡକାଯାଉଛି। ସେହିଭଳି ସିଂହୀ ରେବାର ଦୁଇ ଶାବକ ମଧ୍ୟରୁ ଅଣ୍ଡିରା ଛୁଆର ନାଁ ଶିବମ୍‌ ଓ ମାଈ ଛୁଆର ନାଁ ମାୟା ରଖାଯାଇଛି। ଜୁନ୍ ୨୫ରେ କେନ୍ଦୁଝରରୁ ଉଦ୍ଧାର ହୋଇଥିବା ମାଈ ହାତୀ ଶାବକର ନାଁ ଆଶା ଓ ନଭେମ୍ବର ୨୪ରେ ସେଇ କେନ୍ଦୁଝରରୁ ଆସିଥିବା ଅଣ୍ଡିରା ହାତୀ ଶାବକର ନାଁ ଅଭି ରଖାଯାଇଛି।

    ଏହି ଅବସରରେ ଅତିଥିମାନେ ନୂଆ ଖୁଆଡ଼ ଉଦ୍‌ଘାଟନ କରିଥିଲେ ଏବଂ ସେଥିରେ ରାଜ୍ୟ ବାହାରୁ ଅଣାଯାଇ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିବା ୱାଲାବି, କାସ୍ୱାରି ଓ ଓଟପକ୍ଷୀଙ୍କୁ ଛଡ଼ାଯାଇଥିଲା। ଆଜିଠୁ ପର୍ଯ୍ୟଟକମାନେ ଏହି ବିରଳ ୱାଲାବିକୁ ଖୁଆଡ଼ରେ ଦେଖିବାକୁ ପାଇବେ। ଏଥିସହିତ ନନ୍ଦନକାନନର ଆପ୍ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନର ନିମ୍‌ସ ଆପ୍ ଉନ୍ମୋଚନ କରାଯାଇଥିଲା। ଘଡ଼ିଆଳ ପ୍ରଜନନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଡ. ସୁଦର୍ଶନ ମହାରଣା ଓ ବଜ୍ରକାପ୍ତା ପ୍ରଜନନ ପାଇଁ କେନ୍ଦୁଝର ଉପନିର୍ଦ୍ଦେଶକ ଧନରାଜ ଏଚ୍‌ଡିଙ୍କୁ ସମ୍ପର୍ଦ୍ଧିତ କରାଯାଇଥିଲା। ସେହିଭଳି ଜନ୍ତୁରକ୍ଷକ ପ୍ରଫୁଲ୍ଲ ବାଗ, ସବିତା ସେଠୀ, ପ୍ରାଣୀ ଚିକିତ୍ସକ ପ୍ରଶାନ୍ତ କୁମାର ମଲ୍ଲିକ, ଗଙ୍ଗାଧର ହାଂସଦା, ଉଦ୍ଭିଦ ଉଦ୍ୟାନ କର୍ମଚାରୀ ମାନସ ଭୋଇ, ରାଜଶ୍ରୀ ରାଉତ, ଫରେଷ୍ଟଗାର୍ଡ ମିଳନବାଳା ପ୍ରଧାନ, ବିମ୍ବାଧର ରାଉତ, ଫରେଷ୍ଟର ସୁଦୀପ୍ତ ବେହେରା, ଅରୂପ ରାଉତ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିସରସ୍ଥ ୭୫ ପ୍ରଜାତିର ବାଉଁଶ ବୃକ୍ଷ ଥିବା ବାଉଁଶ ଉଦ୍ୟାନ ଓ ବିଭିନ୍ନ ପ୍ରଜାତିର ପଦ୍ମ ଓ କଇଁ ଥିବା ଜଳଜ ଉଦ୍ଭିଦ ଉଦ୍ୟାନକୁ ଲୋକାର୍ପଣ କରାଯାଇଥିଲା।

    ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି. ନାୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭା‌ବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ସତ୍ୟବ୍ରତ ସାହୁ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ତଥା ବନବାହିନୀ ମୁଖ୍ୟ ସୁଶାନ୍ତ ନନ୍ଦ ପ୍ରମୁଖ ଯୋଗଦେଇଥିଲେ। ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ ଦେଇଥିଲେ ସହଶିକ୍ଷା ଅଧିକାରୀ ରୁକ୍‌ସାନା ପ୍ରଧାନ ଏବଂ ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ ଯେ ମୁଖ୍ୟ ଅତିଥି ଶ୍ରୀ ଅମାତଙ୍କ ସହ ଅନ୍ୟ ଅତିଥିମାନେ ଶିମିଳିପାଳ ବ୍ୟାଘ୍ର ସୁରକ୍ଷା ସେବାରେ ଜପିଏସ୍‌ ଟ୍ରାକର ଲାଗିଥିବା ୧୬ ନୂଆ ଜିପ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    87 %
    1.2kmh
    100 %
    Fri
    25 °
    Sat
    31 °
    Sun
    31 °
    Mon
    29 °
    Tue
    30 °

    ସମ୍ବନ୍ଧିତ