ନୂଆଦିଲ୍ଲୀ : NEET-UG 2026 ପରୀକ୍ଷା ଠିକ୍ ୩ ଦିନ ପୂର୍ବରୁ ଏନଟିଏ ସମଗ୍ର ଦେଶର ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଜାରି କରିଛି । ସୋସିଆଲ ମିଡିଆରେ ପରୀକ୍ଷା ବାତିଲ ହେବା ନେଇ ଗୁଜବ ବ୍ୟାପିବାକୁ ନେଇ ଏନଟିଏ ସ୍ପଷ୍ଟୋକ୍ତି ଦେଇଛି ।
ଏନଟିଏ କହିଛି କି, ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସିଡ୍ୟୁଲ ଅନୁସାରେ ଆୟୋଜିତ ହେବ । ଏହାସହିତ ଏଜେନ୍ସୀ ପରୀକ୍ଷା ପାଇଁ ସୂଚୀ, ସୁରକ୍ଷା ଏବଂ ଛାତ୍ରଙ୍କ ମାନସିକ ସ୍ବାସ୍ଥ୍ୟକୁ ନେଇ ଆଶ୍ବାସନା ଦେଇଛି । ଏନଟିଏ ଛାତ୍ରଙ୍କ ଚିନ୍ତାକୁ କମ୍ କରିବା ପାଇଁ ହେଲ୍ପଲାଇନ ନମ୍ବର ଜାରି କରିଛି ।
ଏନଟିଏ କହିଛି, NEET-UG 2026 ପରୀକ୍ଷା ଆଉ ମାତ୍ର ୩ ଦିନ ରହିଛି । ଆପଣ କଠିନ ପରିଶ୍ରମ କରିଛନ୍ତି, ପ୍ରସ୍ତୁତି ମଧ୍ୟ କରିଛନ୍ତି । ଏବେ ନିଜ ପରିଶ୍ରମ ଉପରେ ଭରସା କରିବାର ସମୟ, ଶାନ୍ତ ରୁହନ୍ତୁ, ଭଲ ଭାବରେ ନିଦକୁ ପୂରଣ କରି ନିଜର ସର୍ବଶ୍ରେଷ୍ଠ ଦେବା ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କ ମାନଙ୍କ ଠାରୁ ବାସ୍ ଏମିତି ଆଶା ।
ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆୟୋଜିତ ହେବ । ଦୟାକରି ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ । କୋଳାହଳ ଭିତରେ ନିଜକୁ ଭ୍ରମିତ କରନ୍ତୁ ନାହିଁ । କେବଳ ଏନଟିଏର ଅଫିସିଆଲ ସାଇଟରେ ଜାରି ହେଉଥିବା ଖବର ଉପରେ ଭରସା କରନ୍ତୁ ।
ଯଦି ଆପଣ କୌଣସି ପ୍ରକାରର ଚାପ ଅନୁଭବ କରୁଛନ୍ତି, ତେବେ ଆପଣ ଏକୁଟିଆ ନାହାନ୍ତି,। ମାନସିକ-ସ୍ବାସ୍ଥ୍ୟ ହେଲ୍ପଲାଇନ ନଂ ୧୪୪୧୬ ଉପଲବ୍ଧ ରହିଛି । ଯଦି ଆପଣଙ୍କର ଆବଶ୍ୟକ ରହିଛି, ତେବେ ନିଶ୍ଚିତ କଲ୍ କରିପାରିବେ । ସେହିପରି ସମସ୍ତ ଅଭିଭାବକ, ଶିକ୍ଷକଙ୍କୁ ବିନମ୍ର ଅନୁରୋଧ କି ଆମ ଛାତ୍ରଛାତ୍ରୀମାନଙ୍କୁ ଶାନ୍ତ ରଖିବାରେ ସହାୟତା କରନ୍ତୁ । ଛାତ୍ରଛାତ୍ରୀମାନେ ନିଜ ଉପରେ ବିଶ୍ବାସ ରଖନ୍ତୁ, ଆଉ ନିଜର ସର୍ବଶ୍ରେଷ୍ଠ ଦିଅନ୍ତୁ । ଆମେ ଆପଣଙ୍କ ସହିତ ଅଛୁ ।
୨୧ ଜୁନରେ ହେବାକୁ ଥିବା ନିଟ୍-ୟୁଜି ପୁନଃ ପରୀକ୍ଷା ଅପରାହ୍ନ ୨ଟା ରୁ ୫.୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମୋଟ ୧୯୫ ମିନିଟ୍ ଅବଧି ରହିବ । ୧୫ ମିନିଟ୍ ଅତିରିକ୍ତ ସମୟ ଦିଆଯାଇଛି । ସେହିପରି ରଫ୍ ଓ୍ୱର୍କ ପାଇଁ ମଧ୍ୟ ସୁବିଧା ଯୋଗାଇ ଦିଆଯାଇଛି । ପ୍ରଶ୍ନ ପୁସ୍ତିକାରେ ରଫ୍ କାମ ପାଇଁ ପୃଷ୍ଠା ସଂଖ୍ୟା ଦ୍ୱିଗୁଣିତ କରାଯାଇଛି । ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ କେବଳ ଦୁଇଟି ପୃଷ୍ଠା ଯୋଗାଇ ଦିଆଯାଉଥିଲା, କିନ୍ତୁ ଏବେ ସେମାନଙ୍କର ଚାରିଟି ରହିବ । ପ୍ରଥମରେ ୨ଟି ପୃଷ୍ଠା ଏବଂ ଶେଷରେ ଆଉ ୨ ପୃଷ୍ଠା ରହିବ । ଯାହାଦ୍ବାରା ଛାତ୍ରଙ୍କୁ ଅଧିକ ସୁବିଧା ମିଳିବ ।
