Sunday, March 8, 2026
20.3 C
Odisha

    ବସା ଖୋଜୁଛି ବାଇଚଢ଼େଇ: ସଂରକ୍ଷଣ ଉଦ୍ୟମ ନାହିଁ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ପରିବର୍ତ୍ତନଶୀଳ ପରିବେଶର କୁପ୍ରଭାବରେ ବହୁ ଜୀବଜନ୍ତୁ, ପକ୍ଷୀ ସତ୍ତା ହରାଇବାକୁ ବସିଲେଣି। ଏମାନଙ୍କ ମଧ୍ୟରେ ବାଇଚଢ଼େଇ ରହିଛନ୍ତି। ବଡ଼ବଡ଼ ଗଛ ଧରାଶାୟୀ ହୋଇ ଯାଉଥିବା ବେଳେ ପକ୍ଷୀଙ୍କ ବାସସ୍ଥାନ ମଧ୍ୟ ଉଜୁଡ଼ି ଯାଉଛି। ଏଭଳି ହଜି ଯାଉଥିବା ପଶୁ, ପକ୍ଷୀଙ୍କ ସଂରକ୍ଷଣ ପାଇଁ ସରକାରୀସ୍ତରରେ ସେଭଳି କୌଣସି ଖାସ୍‌ ଉଦ୍ୟମ ହେଉନାହିଁ। ତେବେ ଗଞ୍ଜାମ ବ୍ଲକ ପୁରୁଣାବନ୍ଧ ଗ୍ରାମର ପରିବେଶବିତ ରବୀନ୍ଦ୍ରନାଥ ସାହୁ ଗତ ୨୦୦୭ରୁ ବାଇଚଢ଼େଇଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କର ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ୪ହଜାରରୁ ଅଧିକ ବାଇଚଢ଼େଇ ବସା ରହିଥିଲା। ଏବେ ଏହି ସଂଖ୍ୟା କମିବାରେ ଲାଗିଛି। ବାଇଚଢ଼େଇଙ୍କ ସୁରକ୍ଷା ପାଇଁ ସରକାରୀସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ପରିବେଶବିତ୍‌ ମହଲରେ ମତ ପ୍ରକାଶ ପାଇଛି।

    ଆଧୁନିକତାର ନାଁ ନେଇ ଦିନକୁ ଦିନ କଳକାରଖାନା ଓ ଯାନବାହନ ବୃଦ୍ଧି ହେବା ସହିତ ଚାଷ କାର୍ଯ୍ୟରେ ବିଭିନ୍ନ ପ୍ରକାର ରସାୟନିକ ଔଷଧ ପ୍ରାୟୋଗ କରାଯାଉଛି। ଏହାର ପ୍ରଭାବରେ ଛୋଟଛୋଟ କୀଟପତଙ୍ଗ ମରି ଯାଉଛନ୍ତି। ଏଥିପାଇଁ ବାଇଚଢ଼େଇ ମଧ୍ୟ ପ୍ରଭାବିତ ହେଉଛନ୍ତି। ସେମାନଙ୍କୁ ପୂର୍ବଭଳି ଖାଦ୍ୟ ମିଳିପାରୁ ନାହିଁ। ସାଧାରଣତଃ ବାଇ ଚଢ଼େଇମାନେ ଗାଁ ଠାରୁ ଦୂରରେ ଥିବା ଜଳାଶୟ ନିକଟସ୍ଥ ତାଳ, ଖଜୁରୀ, ନଡ଼ିଆ, ବର ଏବଂ ଓସ୍ତ ଗଛରେ ବସା ବାନ୍ଧିଥାନ୍ତି। ଧାନ, ମାଣ୍ଡିଆ, ମଞ୍ଜି ଜାତୀୟ ଖାଦ୍ୟ, କୀଟପତଙ୍ଗ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି। ଏବେ ଚାଷରେ ମାତ୍ରାଧିକ ସାର ପ୍ରୟୋଗ ଯୋଗୁଁ ବାଇ ଚଢ଼େଇଙ୍କ ପାଇଁ ତାହା ବିଷ ପାଲଟି ଯାଉଛି। ପରିବେଶ ସନ୍ତୁଳନ ବିଗିଡ଼ିବାରୁ ଏମାନଙ୍କ ସଂଖ୍ୟା କମିବାରେ ଲାଗିଛି। ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ଯେତିକି ମାତ୍ରାରେ ତାଳ ଓ ଖଜୁରୀ ଗଛ ଥିଲା, ଏବେ ଢ଼େର ପରିମାଣରେ ସଂଖ୍ୟା ହ୍ରାସ ପାଇଛି। ଏଭଳି ଗଛ ରହିଲେ ବାଇଚଢ଼େଇ ବସା କରିବା ସହିତ ସେମାନଙ୍କ ବଂଶ ବୃଦ୍ଧି ହୋଇପାରିବ ବୋଲି ପରିବେଶବିତ ରବୀନ୍ଦ୍ରନାଥ କହିଛନ୍ତି।

    ସର୍ଭେ ଅନୁସାରେ ଗଞ୍ଜାମ, ଛତ୍ରପୁର, ପୁରୁଷୋତ୍ତମପୁର, ଖଲ୍ଲିକୋଟ, କବିସୂର୍ଯ୍ୟନଗର, ବେଗୁନିଆପଡ଼ା, ରଂଗେଇଲୁଣ୍ଡା ବ୍ଲକ ଅଞ୍ଚଳରେ ୪ହଜାରରୁ ଅଧିକ ବସା ରହିଥିଲା। ଗଞ୍ଜାମ ବ୍ଲକରେ ସର୍ବାଧିକ ବାଇଚଢ଼େଇ ବସା ଦେଖିବାକୁ ମିଳିଥିଲା। ଗଞ୍ଜାମ ବ୍ଲକ୍‌ର ପାଳିବନ୍ଧ ପଞ୍ଚାୟତର ଖଟିଆକୁଦା, କଣ୍ଟିଆଗଡ଼, ପାଲୁର କେନାଲ ନିକଟସ୍ଥ ଗଛଗୁଡ଼ିକରେ ବହୁ ବସା ରହିଥିଲା। ତାମ୍ପରା ସହିତ ବିଭିନ୍ନ ଜଳାଶୟ ନିକଟରେ ଥିବା ତାଳଗଛରେ ମଧ୍ୟରେ ବାଇଚଢ଼େଇ ବସା କରୁଥିବା ରବୀନ୍ଦ୍ରନାଥ କହିଛନ୍ତି। ସେହିପରି ସୁବଳୟା ପଞ୍ଚାୟତର ଚାଷ ଜମିରେ ଥିବା ତାଳଗଛରେ ମଧ୍ୟ ବସା ଚିହ୍ନଟ ହୋଇଛି। ମାନଙ୍କ ସଂରକ୍ଷଣ ପାଇଁ ସରକାରୀସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    93 %
    1.8kmh
    0 %
    Sun
    36 °
    Mon
    37 °
    Tue
    38 °
    Wed
    39 °
    Thu
    39 °

    ସମ୍ବନ୍ଧିତ