Wednesday, October 14, 2026
28.3 C
Odisha

    ସୁପ୍ରିମକୋର୍ଟରେ ଓଡ଼ିଶା ପ୍ରସଙ୍ଗ : ୨୦୨୩ରେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିଥିଲେ ସର୍ବୋଚ୍ଚ ଅଦାଲତ

    ଆଗକୁ ପଢନ୍ତୁ

    ଚଳିତବର୍ଷ-୨୦୨୩ରେ ସୁପ୍ରିମକୋର୍ଟରେ ଓଡ଼ିଶା ସଂପର୍କିତ ଏକାଧିକ ମାମଲା ଚର୍ଚ୍ଚାରେ ରହିଥିଲା। ଏଥିରୁ ଅନେକ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଣୁଣାଣି କରିଥିଲେ ତଥା କିଛି ପ୍ରମୁଖ ମାମଲାରେ ଶୀର୍ଷ ନ୍ୟାୟାଳୟ ରାୟ ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟଙ୍କ ପ୍ରକାଶିତ ଓଡିଶା ସଂପର୍କିତ ରାୟରେ ୬ଟି ରାୟ ବେଶ ଚର୍ଚ୍ଚାରେ ରହିଥିଲା ଏବଂ ଜାତୀୟସ୍ତରର ସମ୍ବାଦପତ୍ରର ଶିରୋନାମା ପାଲଟିଥିଲା।ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍ସ ପ୍ରାଥମିକ ତଦନ୍ତ କରିବା ଲାଗି ଓଡିଶା ଲୋକାୟୁକ୍ତଙ୍କ ପକ୍ଷରୁ ଦିଆଯାଇଥିବା ଆଦେଶକୁ ସୁପ୍ରିମକୋର୍ଟ କାଏମ ରଖିଥିଲେ। ଲୋକାୟୁକ୍ତଙ୍କ ଆଦେଶକୁ ହାଇକୋର୍ଟ ରଦ୍ଦ କରି ଦେଇଥିବା ବେଳେ ଏହାକୁ ଚ୍ୟାଲେଂଜ କରି ଓଡିଶା ଲୋକାୟୁକ୍ତ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ପ୍ରାଥମିକ ତଦନ୍ତ ଭିଜିଲାନ୍ସ କରିପାରିବ ବୋଲି ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଥିଲେ।

    ଅନ୍ୟ ଏକ ଗୁରତ୍ବପୂର୍ଣ୍ଣ ରାୟ ରହିଥିଲା ଓଡ଼ିଶାର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥରାଶି ଫେରସ୍ତକୁ ନେଇ କେନ୍ଦ୍ର ସମବାୟ ମନ୍ତ୍ରାଳୟ ପକ୍ଷରୁ ଦାଖଲ ମଧ୍ୟବର୍ତ୍ତୀକାଳୀନ ଆବେଦନର ରାୟ। ସାହାରା–ସେବି ରିଫଣ୍ଡ ଖାତାରେ ଥିବା ୨୩ ହଜାର ୯୩୭ କୋଟିଟଙ୍କାରୁ ୫ ହଜାର କୋଟି ଟଙ୍କା ସାହାରା ଗ୍ରୁପ୍ ଅଫ୍ କୋଅପରେଟିଭ୍ ସୋସାଇଟି ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରସ୍ତ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ୯ ମାସ ମଧ୍ୟରେ ଫେରସ୍ତ ପ୍ରକ୍ରିୟା ଶେଷ କରିବା ପାଇଁ କୋର୍ଟ ସମୟସୀମା ଧାର୍ଯ୍ୟ କରିଥିଲେ। ଅନ୍ୟପକ୍ଷେ, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥଫେରସ୍ତ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ଏବେ ବି ସୁପ୍ରିମକୋର୍ଟର ଜାରି ରହିଛି।

    ସେହିଭଳି ରାଜ୍ୟ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ (ସ୍ୟାଟ) ଉଚ୍ଛେଦ ନେଇ କେନ୍ଦ୍ର ସରକାର ୨୦୧୯ ଅଗଷ୍ଟରେ ଜାରି କରିଥିବା ନୋଟିଫିକେସନକୁ ସୁପ୍ରିମକୋର୍ଟ ସାମ୍ବିଧାନିକ ଭାବେ ବୈଧ ଦର୍ଶାଇ ବଳବତ୍ତର ରଖିଥିଲେ। ସ୍ୟାଟ ଉଚ୍ଛେଦ ଲାଗି ଓଡିଶା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୟାଟ ବାର ଆସୋସିଏସନ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରାଯାଇଥିଲା ସୁପ୍ରିମକୋର୍ଟ ରାୟରେ କହିଥିଲେ ସ୍ୟାଟର ଉଚ୍ଛେଦ ନ୍ୟାୟ ପାଇବାର ମୌଳିକ ଅଧିକାରକୁ ଉଲଂଘନ କରୁନାହିଁ। ସ୍ୟାଟ ଉଚ୍ଛେଦ ନେଇ ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତି, କେନ୍ଦ୍ରସରକାରଙ୍କ ନୋଟିଫିକେସନ ଯଥାର୍ଥ ବୋଲି ସୁପ୍ରିମକୋର୍ଟରାୟରେ କହିଥିଲେ।ହୋମଗାର୍ଡଙ୍କୁ ପ୍ରତିଦିନ ୫୩୩ ଟଙ୍କା ପ୍ରଦାନ କରିବା ସପକ୍ଷରେ ଓଡିଶା ହାଇକୋର୍ଟଙ୍କ ଜଣିକିଆ ବିଚାରପତିଙ୍କ ଖଣ୍ଡପୀଠ ପ୍ରଦାନ କରିଥିବା ରାୟକୁ ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପିଠ କାଏମ ରଖିଥିଲେ। ୨୦୧୮,ଜୁନ ୧ରୁ ହୋମଗାର୍ଡଙ୍କୁ ବର୍ଦ୍ଦିତ ପ୍ରାପ୍ୟ ପ୍ରଦାନ କରାଯିବ ବ‌ୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

    ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟର ଜମିଅଧିଗ୍ରହଣ ସଂପର୍କରେ ସୁପ୍ରିମକୋର୍ଟଙ୍କ ରାୟ ବେଶ୍ ଗୁରତ୍ବପୂର୍ଣ୍ଣ ରହିଥିଲା। ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ କରାଯାଇଥିବା ସଂପୂର୍ଣ୍ଣ ଜମି ଅଧିଗ୍ରହଣକୁ ଓଡିଶା ହାଇକୋର୍ଟ ବୈଧନୁହେଁ ବୋଲି ଦର୍ଶାଇଥିବା ରାୟକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଥିଲେ। ରାୟରେସୁପ୍ରିମ‌କୋର୍ଟ ଅନିଲ ଅଗ୍ରୱାଲ୍ ଅଗ୍ରୱାଲଫାଉଣ୍ଡେସନକୁ ୫ ଲକ୍ଷ ଟଙ୍କାର ଜରିମାନା କରିଥିଲେ। ଏଥିସହିତ ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ପାଇଁ ଅହେତୁକ ଅନୁକମ୍ପା ଦେଖାଇଥିବା ସର୍ବୋଚ୍ଚ ନ୍ୟାୟାଳୟ ରାୟରେ କହିଥିଲେ।

    ବହୁଚର୍ଚ୍ଚିତ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ମାମଲାର ଚଳିତବ ର୍ଷ ଅନ୍ତ ଘଟାଇଥିଲେ ସୁପ୍ରିମକୋର୍ଟ। ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ଦର୍ଶ ନକରିବାରେ ଅସୁବିଧା ହେଉଥିବା ଦର୍ଶାଯାଇ ରୁଜୁ କରାଯାଇଥିବା ଜନସ୍ବାର୍ଥ ମାମଲାର ୫ ବର୍ଷ ମଧ୍ୟରେ ୨୬ ଥର ଶୁଣାଣି କରାଯିବା ପରେ ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନଭେମ୍ବର ୪,୨୦୧୯ର ୨୨ଟି ନିର୍ଦ୍ଦେଶନାମାର ପାଳନରେ ଅବମାନନା ହେଲେ ଯେକୌଣସି ବ୍ୟକ୍ତି ଏ ସଂପର୍କରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବେ ବୋଲି ରାୟରେ ସୁପ୍ରିମକୋର୍ଟ କହିଥିଲେ। ସର୍ବୋଚ୍ଚନ୍ୟାୟଳୟ ମାମଲାର ଅନ୍ତ ଘଟାଇବା ବେଳେ ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ମତ ରଖିବା ପାଇଁ ଅନିଚ୍ଛା ପ୍ରକାଶକ କରିଥିଲେ।

    ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରି ଆନ୍ଦୋଳନରେ ସାମିଲ ଥିବା ସମସ୍ତ ଆଇନଜୀବୀଙ୍କ ଦ୍ବାରା ନିସର୍ତ୍ତ କ୍ଷମା ପ୍ରାର୍ଥନା ସତ୍ୟପାଠ ଦାଖଲ କରାଯିବା ଚଳିତ ବର୍ଷ ଅନ୍ୟ ଏକ ପ୍ରମୁଖ ଘଟଣା ରହିଥିଲା।କ୍ଷମା ସତ୍ୟପାଠ ଦାଖଲ କରାଯିବା ସତ୍ବେ ସୁପ୍ରିମକୋର୍ଟ ମାମଲାର ଅନ୍ତ ନ ଘଟାଇ ଏବେ ବି ଝୁଲାଇ ରଖିଛନ୍ତି। ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ତ୍ବରିତ ବିଚାର କରିବା ପାଇଁ ଓଡ଼ିଶା ସମେତ ଦେଶର ସମସ୍ତ ହାଇକୋର୍ଟକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମ କୋର୍ଟଙ୍କ ରାୟରେ ଆମିକସକ୍ୟୁରିଙ୍କ ରିପୋର୍ଟକୁ ଅବତାରଣା କରାଯାଇ ଓଡ଼ିଶାରେ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ଡିସେମ୍ବର ୨୦୧୮ ସୁଦ୍ଧା ୩୩୧, ଡିସେମ୍ବର ୨୦୨୧ ସୁଦ୍ଧା ୩୬୦ ଓ ନଭେମ୍ବର ୨୦୨୨ ସୁଦ୍ଧା ୪୫୪ଟି ଅପରାଧିକ ମାମଲା ବିଚାରଧୀନ ରହିଥିବାର ତଥ୍ୟ ସାମ୍ନାକୁ ଆସିଥିଲା।

    ଏତଦବ୍ୟତୀତ ବିସିଆଇ ଦ୍ବାରା ମାନ୍ୟତା ପାଇ ନଥିବା କଲେଜରୁ ଡିଗ୍ରି ହାସଲ କରିଥିବା ପ୍ରାର୍ଥୀଙ୍କୁ ଆଡଭୋକେଟ ଭାବେ ଏନରୋଲମେଣ୍ଟ ପାଇଁ ଓଡିଶା ହାଇକୋର୍ଟ ଦ୍ବାରା ଦିଆଯାଇଥିବା ରାୟ ଯୁକ୍ତିଯୁକ୍ତ ନୁହେଁ ବୋଲି ସୁପ୍ରିମକୋର୍ଟ ଓଡିଶା ହାଇକୋର୍ଟଙ୍କ ରାୟକୁ ଖାରଜ କରି ଦେଇଥିଲେ। ସେହିଭଳି ସମଲେଶ୍ବରୀ ମନ୍ଦିର ପାରିପାର୍ଶ୍ବିକ ବିକାଶ ଯୋଜନା ଅର୍ନ୍ତଗତ ସ୍ଥାନୀୟ ଅଂଚଳର ବାସିନ୍ଦାଙ୍କ ପୁର୍ନବାସ ଓ ଥଇଥାନ ପ୍ରସଙ୍ଗରେ ଚଳିତବର୍ଷ ଜାନୁଆରି ୩୧ରେ ହାଇକୋର୍ଟଙ୍କ ଦ୍ବାରା ପ୍ରଦତ୍ତ ରାୟକୁ ବିରୋଧ କରି ରାକେଶ ସୁନା ଓ ଅନ୍ୟମାନଙ୍କ ଦ୍ବାରା ଦାଖଲ କରାଯାଇଥିବା ସ୍ବତନ୍ତ୍ର ଲିଭପିଟିସନକୁ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ବାରା ଖାରଜ କରି ଦିଆଯାଇଥିଲା। ଓଡିଶା ସରକାର ଓ ଅନ୍ୟ ବନାମ ଲକ୍ଷ୍ମୀନାରାୟଣ ଦାସ(ମୃତ)-ଏଲଆର ଓ ଅନ୍ୟ ମାମଲାର ରାୟ ପ୍ରକାଶ କରି ସିଭିଲ ସୁଟ ପ୍ରତ୍ୟାହାର ହୋଇଥିବାରୁ ରିଟ୍ ପିଟିସନ ଗ୍ରହଣଯୋଗ୍ୟ ନୁହେଁ ବୋଲି ସୁପ୍ରିମକୋର୍ଟ କହିଥିଲେ। ସେହିଭଳି ସୁପ୍ରିମକୋର୍ଟ ରଂଜିତ ଦିଗାଲ ବନାମ ଓଡିଶା ସରକାର ମାମଲାରେ ଜାମିନକୁ ଏକ ନିର୍ଦ୍ଦିଷ୍ଟ ଅବଧି ତିନି ମାସ ପର୍ଯ୍ୟନ୍ତ ସୀମିତ କରିବା ସଂପର୍କିତ ଓଡିଶା ହାଇକୋର୍ଟଙ୍କ ଆଦେଶକୁ ଖାରଜ କରିଦେଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.3 ° C
    28.3 °
    28.3 °
    70 %
    2.5kmh
    41 %
    Wed
    28 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ