Wednesday, September 9, 2026
24.4 C
Odisha

    ଓଡ଼ିଶାକୁ ମାଓ ହିଂସା ରୂପକ ଭାଇରସରୁ ପୁଲିସ ମୁକ୍ତ କରିପାରିଛି: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡିଶା ପୁଲିସ ଏକ ଶୃଙ୍ଖଳିତ, ଲୋକାଭିମୁଖୀ ଏବଂ ଦକ୍ଷ ପୁଲିସ ବଳ। ଯେପରି ଭାବେ ପ୍ରତ୍ୟେକ କ୍ଷେତ୍ରରେ କିଛି ବ୍ୟତିକ୍ରମ ଥାଏ ସେମିତି କିଛି ବ୍ୟତିକ୍ରମ ପୁଲିସ ସେବାରେ ଥାଇପାରେ। ତାକୁ ବ୍ୟତିକ୍ରମ ଭାବେ ବିବେଚନା କରାଯାଇପାରେ। କିନ୍ତୁ, ଏ କଥା ଅନସ୍ବୀକାର୍ଯ୍ୟ ଯେ ରାଜ୍ୟ ପୁଲିସର ଅକ୍ଲାନ୍ତ ପରିଶ୍ରମ ଫଳରେ ଓଡିଶା ନିରନ୍ତର ଭାବେ ଏକ ଶାନ୍ତିପ୍ରିୟ ରାଜ୍ୟର ମାନ୍ୟତା ପାଇଛି। ଏକ ବିକଶିତ ରାଷ୍ଟ୍ର ଓ ବିକଶିତ ରାଜ୍ୟର ସଂରଚନାର ସଂକଳ୍ପକୁ ସାକାର କରିବାରେ ସ୍ଵରାଷ୍ଟ୍ର ବିଭାଗର ଭୂମିକା ଗୁରୁତ୍ଵପୂର୍ଣ୍ଣ ଏବଂ ଆପଣମାନେ ଏହି ବିଭାଗର ମେରୁଦଣ୍ଡ ସଦୃଶ ନିଜର ଦାୟିତ୍ୱ ତୁଲାଉଥିବାରୁ ମୁଁ ଆପଣ ସମସ୍ତଙ୍କୁ ସାଧୁବାଦ ଜଣାଉଛି ।

    ଆପଣମାନେ ସମସ୍ତେ ଜାଣିଥିବେ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ଅପରାଧ ନିୟନ୍ତ୍ରଣ କରିବା ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ପୋଲିସ ଗୁରୁତ୍ଵପୂର୍ଣ୍ଣ  ଭୂମିକା ଗ୍ରହଣ କରିଥାଏ। ବିଗତ ଦିନରେ ପୁଲିସର ପ୍ରଭାବଶାଳୀ  ଓ ସକ୍ରିୟ  ଭୂମିକାଯୋଗୁଁ ଚଳିତ ବର୍ଷ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଏକକାଳୀନ ଲୋକସଭା ଓ ବିଧାନସଭା ସାଧାରଣ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ  ହୋଇଛି। ରାଜ୍ୟର ମାଓ ପ୍ରବଣ ଅଞ୍ଚଳରେ ଦୀର୍ଘ ବର୍ଷ ପରେ ନିର୍ବାଚନ ଅଘଟଣ-ମୁକ୍ତ  ଥିଲା।
    ଏହା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, ବାହୁଡା ଯାତ୍ରା ଏବଂ ସୁନାବେଶ ପୁଲିସର ସୁବନ୍ଦୋବସ୍ତ ଫଳରେ ଶାନ୍ତି ଶୃଙ୍ଖଳାର ସହିତ ସମାହିତ ହୋଇଥିଲା। ଏଥିପାଇଁ ମୁଁ ପୁଲିସ ବିଭାଗକୁ ଧନ୍ୟବାଦ ଜଣାଉଛି। ଦିନ ଥିଲା ଆମ ରାଜ୍ୟର ପ୍ରାୟ ଅର୍ଦ୍ଧାଧିକ ଭାଗ ମାଓବାଦୀ ଏବଂ ନକ୍ସଲବାଦୀ ହିଂସାର ଶିକାର ହୋଇଥିଲା। ଅନେକ ଜିଲ୍ଲାରେ ସନ୍ଧ୍ୟା ହେଲେ ତାଟି କବାଟ ପଡ଼ିଯାଉଥିଲା। କିନ୍ତୁ, ରାଜ୍ୟ ପୁଲିସ, କେନ୍ଦ୍ରୀୟ ସୁରକ୍ଷା ବଳର ସହାୟତାରେ ଓଡ଼ିଶାକୁ ଏହି ହିଂସା ରୂପକ ଭାଇରସରୁ ମୋଟା ମୋଟି ଭାବେ ମୁକ୍ତ କରିପାରିଛି।
    ଏଥିପାଇଁ ରାଜ୍ୟ ପୁଲିସକୁ ଅନେକ ତ୍ୟାଗ ଓ ବଳିଦାନ ମଧ୍ୟ ଦେବାକୁ ପଡ଼ିଛି। ସେଥିପାଇଁ ମୁଁ ରାଜ୍ୟବାସୀଙ୍କ ପକ୍ଷରୁ ଓଡ଼ିଶା ପୁଲିସର ସେହି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। କିନ୍ତୁ ଏହି ଲଢେଇ ସମାପ୍ତ ହୋଇନାହିଁ। ଯଦିଓ ମାଓବାଦୀଙ୍କ ବିସ୍ତାର ଏବଂ ପ୍ରଭାବ ହ୍ରାସ ପାଇଛି, ତଥାପି ଆଜି ବି ରାଜ୍ୟର କିଛି ଅଞ୍ଚଳରେ ପରିସ୍ଥିତି ଆହ୍ଵାନପୂର୍ଣ୍ଣ  ରହିଛି। ଗତ  ମାସ ୨୪ ତାରିଖ ଛତିଶଗଡ଼ର ରାୟପୁର ଠାରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କର ମୁଖ୍ୟ ସଚିବ ଓ ପୁଲିସ ମହାନିର୍ଦେଶକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
    ଉକ୍ତ ବୈଠକର ନିଷ୍ପତ୍ତି ଅନୁଯାୟୀ ଆମ ସରକାର  କେନ୍ଦ୍ର ସରକାରଙ୍କ ସହଭାଗିତାରେ ନକ୍ସଲବାଦକୁ ନିର୍ଧାରିତ ସମୟ ମଧ୍ୟରେ ଓଡିଶାରୁ ନିପାତ କରିବା ପାଇଁ ଦୃଢ ସଂକଳ୍ପବଦ୍ଧ। ଏହା ପାଇଁ ପୁଲିସ ବାହିନୀକୁ ସୁଦୃଢ କରିବାକୁ ଆବଶ୍ୟକୀୟ ସରଞ୍ଜାମ, ଅସ୍ତ୍ରଶସ୍ତ୍ର, ପ୍ରଶିକ୍ଷଣ, ଉପକରଣ, ଯାନବାହନ ଯଥା ଶୀଘ୍ର ଯୋଗାଇ ଦିଆଯିବ। ମାଓ ପ୍ରଭାବିତ ଜିଲ୍ଲା ଗୁଡିକରେ ଆରକ୍ଷୀ ଅଧିକ୍ଷକମାନେ ମାଓ ଦମନ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରି ମାଓବାଦୀ କାର୍ଯ୍ୟକଳାପର ସଫଳ ମୁକାବିଲା କରିବା ପାଇଁ ସଙ୍କଳ୍ପବଦ୍ଧ ହେବା ଆବଶ୍ୟକ।
    ପ୍ରାୟ ସପ୍ତାହେ ତଳେ କିଛି ମାଓ ହିଂସା ପୀଡିତଙ୍କୁ ଭେଟିବା ଅବସରରେ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ମାଓବାଦ ଜନିତ ହିଂସା ଅତି ବେଶୀରେ ୩୧ ମାର୍ଚ୍ଚ ୨୦୨୬ ଦିନ ସୁଦ୍ଧା ତା’ର ଶେଷ ନିଶ୍ଵାସ ତ୍ୟାଗ କରିବ। ତେଣୁ ମୁଁ ଏହି ମଞ୍ଚରୁ ମାଓବାଦୀଙ୍କୁ ପରାମର୍ଶ ଦେବି ସେମାନେ ହିଂସା ତ୍ୟାଗକରି ମୁଖ୍ୟ ସ୍ରୋତକୁ ଫେରିଆସନ୍ତୁ, ନ ହେଲେ ସେମାନଙ୍କ ପାଇଁ ପରିଣାମ କ’ଣ ହେବ ସେମାନେ ଠିକ ଭାବେ ଜାଣିଛନ୍ତି। ମାଓ ହିଂସାକୁ ଦମନ କରିବା ପାଇଁ ରାଜ୍ୟ ପୁଲିସ ଏବଂ ସୁରକ୍ଷା ବଳ ପାଇଁ ସରକାରଙ୍କ ତରଫରୁ ବ୍ଳାଙ୍କ ଚେକ ପ୍ରଦାନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    93 %
    1.5kmh
    100 %
    Wed
    31 °
    Thu
    30 °
    Fri
    28 °
    Sat
    27 °
    Sun
    28 °

    ସମ୍ବନ୍ଧିତ