ସୋର: ଦୁଇ ମାସର କଠିନ ପରିଶ୍ରମ ପରେ ଓଡିଶା ଯାନ୍ତ୍ରିକ ସେବା ପରୀକ୍ଷାରେ ସଫଳତା ପାଇଛନ୍ତି ଖଇରା ଅଞ୍ଚଳର ଜଣେ ଯୁବକ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ମହତିପୁର ପଞ୍ଚାୟତ କଲରାପାଳ ଗ୍ରାମର ଉମାକାନ୍ତ ବେହେରା ଓ ଶାନ୍ତିଲତା ବେହେରାଙ୍କ ସୁପୁତ୍ର କଳିଙ୍ଗ ପ୍ରସାଦ ବେହେରା । ଓଡିଶା ଯାନ୍ତ୍ରିକ ସେବା ପରୀକ୍ଷା ତଥା OESରେ ୧୯ ନମ୍ବର ରାଙ୍କ ରଖି ସଫଳତା ହାସଲ କରିଛନ୍ତି । କଳିଙ୍ଗ ପୂର୍ବରୁ ଏକ ଘରୋଇ କମ୍ପାନୀରେ ଚାକିରୀ କରିଥିଲେ । କିନ୍ତୁ ସେଠାରେ କାମ ଛାଡ଼ି କେବଳ ଦୁଇ ମାସ OES ପାଇଁ ପ୍ରସ୍ତୁତି କରିଥିଲେ । ଆଉ ଏହି ଦୁଇ ମାସର ପରିଶ୍ରମ ପରେ ସେ ଏଥିରେ ସଫଳତା ମଧ୍ୟ ପାଇଛନ୍ତି ।
କଳିଙ୍ଗଙ୍କ ବାପା ଭୁବନେଶ୍ୱରରେ କୃଷି ବିଭାଗରେ ଚାକିରୀ କରିଥିବା ବେଳେ ପିଲାଟି ବେଳୁ କଳିଙ୍ଗ କଟକରେ ରହିଛନ୍ତି । ପିଲାଟି ବେଳୁ ହିଁ ସେ ପାଠପଢାରେ ବହୁତ ଭଲ । ମ୍ୟାଟ୍ରିକରେ ୯୨% ରଖିଥିଲେ । ତାପରେ ଯୁକ୍ତ ଦୁଇ ବିଜ୍ଞାନ ପଢା ସରିବା ପରେ NIT ରାଉରକେଲାରେ ଇଞ୍ଜିନିୟରିଂ କରିଥିଲେ । ପରେ ତାଙ୍କୁ କ୍ୟାମ୍ପସ ସିଲେକ୍ସନରେ ଏକ ଘରୋଇ କମ୍ପାନୀରେ ଚାକିରୀ ମିଳିଥିଲା । ସେଠାରେ କିଛି ଦିନ କାର୍ଯ୍ୟ କରିଥିଲେ । କିନ୍ତୁ ସେଠାରେ ଭଲ ନ ଲାଗିଥିବାରୁ ଓଡିଶା ଯାନ୍ତ୍ରିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।
ବହୁତ ପରିଶ୍ରମ କରି ଆଜି ଓଡିଶା ଯାନ୍ତ୍ରିକ ସେବା ପରୀକ୍ଷାରେ ସଫଳତା ପାଇଛନ୍ତି କଳିଙ୍ଗ । ଆଗାମୀ ଦିନରେ ସେ ଜଣେ ଭଲ ଅଫିସର ହୋଇ ଗରିବ ଲୋକଙ୍କ ପାଇଁ କାମ କରିବେ । ଘରର ବାପା ଓ ଦାଦାମାନେ ଚାକିରୀ କରିଥିବା ବେଳେ ତାଙ୍କର ନାମ ରଖିବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି । ଏହା ସହ କଠିନ ପରିଶ୍ରମ ପାଇଁ ସେ କଥା ମନେ ପକାଇ କାନ୍ଦି ପକାଉଛନ୍ତି । ଏପଟେ ପରିବାରର ସମସ୍ତେ ବେଶ ଖୁସି ଅଛନ୍ତି ପୁଅର ଏଭଳି ସଫଳତା ପାଇଁ । ଏଥିପାଇଁ ଏବେ ତାଙ୍କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ସତରେ ଇଛାଶକ୍ତି ଏବଂ ଆତ୍ମବିଶ୍ଵାସ ଥିଲେ ମଣିଷ ଦ୍ୱାରା କିଛି ବି ସମ୍ଭବ ହୋଇପାରେ । ଯାହାକୁ ସତ କରି ଦେଖାଇଛନ୍ତି କଳିଙ୍ଗ ।