Monday, September 28, 2026
27.5 C
Odisha

    OMSA ଡାକ୍ତରଙ୍କ ଦାବି ପୂରଣ ଦିଗରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, ଗଠନ ହେଲା ଉଚ୍ଚସ୍ତରୀୟ ଆନ୍ତଃ-ବିଭାଗୀୟ କମିଟି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : OMSA ଡାକ୍ତରଙ୍କ ଦାବି ପୂରଣ ଦିଗରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଗଠନ ହେଲା ଉଚ୍ଚସ୍ତରୀୟ ଆନ୍ତଃ-ବିଭାଗୀୟ କମିଟି । ସରକାରୀ ଡାକ୍ତରମାନଙ୍କ ଦୀର୍ଘଦିନର ସମସ୍ୟା ଓ ଅସନ୍ତୋଷର ସମାଧାନ ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ବା OMSA ପକ୍ଷରୁ କରାଯାଇଥିବା ବିଭିନ୍ନ ଦାବିଗୁଡ଼ିକର ଯାଞ୍ଚ ଓ ଅନୁଧ୍ୟାନ ପାଇଁ ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ଆନ୍ତଃ-ବିଭାଗୀୟ କମିଟି ଗଠନ କରାଯାଇଛି।

    ଏହି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଥ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଓମସାର ୧୦ ଦଫା ଦାବିପତ୍ର ଉପରେ ବିଚାର ବିମର୍ଶ କରି ନିଜର ପରାମର୍ଶ ଦେବେ। କମିଟିରେ ପ୍ରମୁଖ ସଚିବ, ଅର୍ଥ ବିଭାଗ ଅଧ୍ୟକ୍ଷ ଥିବାବେଳେ ପ୍ରମୁଖ ସଚିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପ୍ରମୁଖ ସଚିବ, ଆଇନ ବିଭାଗ, କମିଶନର-ତଥା-ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଦସ୍ୟ ରହିବେ । ଗତ ଜୁଲାଇ ୪ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ସଫଳ ଆଲୋଚନା ଓ ପ୍ରତିଶ୍ରୁତି ପରେ ଓମସା ନିଜର ଅନିର୍ଦ୍ଦିଷ୍ଟ କାଳୀନ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା।

    ଏହାର ତିନି ଦିନ ମଧ୍ୟରେ ସରକାର ଏହି କମିଟି ଗଠନ କରିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନହେବାରୁ ଜୁଲାଇ ୧ରୁ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥିଲେ। ରାଜ୍ୟର ପ୍ରାୟ ୬,୦୦୦ରୁ ଅଧିକ ସରକାରୀ ଡାକ୍ତରଙ୍କ ପ୍ରତିନିଧିତ୍ୱ କରୁଥିବା ‘ଓମସା’ ଦୀର୍ଘ ଦିନ ହେବ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କେତେକ ବ୍ୟବସ୍ଥାଗତ ସୁଧାର ପାଇଁ ଦାବି କରିଆସୁଛି। କ୍ୟାରିୟର ପ୍ରଗତି କେନ୍ଦ୍ରୀୟ ଦରମା କାଠାମୋ ଅନୁଯାୟୀ ଯୋଗ୍ୟତା ତାରିଖରୁ ଡାଇନାମିକ ଆସୁର୍ଡ କ୍ୟାରିୟର ପ୍ରଗତି ଲାଗୁ କରିବା ଏବଂ ପେ-ମ୍ୟାଟ୍ରିକ୍ସରୁ ଲେଭଲ-୧୫କୁ ଉଚ୍ଛେଦ କରି ଡାକ୍ତରମାନଙ୍କୁ ଅନ୍ୟ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ସମକକ୍ଷ କରିବା ଭଲି ଦାବି ରହିଥିଲା ।

    ସୁପର-ସ୍ପେଶାଲିଷ୍ଟ, ସ୍ପେଶାଲିଷ୍ଟ, ଡିପ୍ଲୋମାଧାରୀ, ମେଡିକାଲ ପ୍ରଶାସକଙ୍କ ପାଇଁ ଅତିରିକ୍ତ ପ୍ରୋତ୍ସାହନ ଏବଂ ପୋଷ୍ଟମର୍ଟମ ଭତ୍ତା ପ୍ରଦାନ, ଅନଗ୍ରସର ଓ ଆଦିବାସୀ ବହୁଳ କେବିକେ ଏବଂ TSP ଅଞ୍ଚଳରେ ସେବା ଯୋଗାଉଥିବା ଡାକ୍ତରଙ୍କ ପାଇଁ ୩ ବର୍ଷିଆ ଏକ୍ଜିଟ୍ ପଲିସି ଲାଗି ପାଇଁ ଦାବି ହୋଇଥିଲା । ମେଡିକାଲରେ ସଶସ୍ତ୍ର ସୁରକ୍ଷା କର୍ମୀ ଓ ପୋଲିସ ଆଉଟପୋଷ୍ଟ ସ୍ଥାପନ, ସ୍ୱାସ୍ଥ୍ୟ ବୀମା, ସ୍ୱଚ୍ଛ ବଦଳି ନୀତି ଏବଂ ଆଡହକ ଡାକ୍ତରଙ୍କ ନିୟମିତକରଣ ମଧ୍ୟ ଦାବି ରହିଥିଲା । ସେହିପରି ଦନ୍ତ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସେବା ସମ୍ବନ୍ଧୀୟ ସୁଧାର ପାଇଁ ଦାବି ରହିଥିଲା।

    ଏହି ଆନ୍ଦୋଳନ ପୂର୍ବରୁ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ, ଓପିଡି ବର୍ଜନ ଭଳି ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରି ଶେଷରେ ଜୁଲାଇ ୧ରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦରେ ପରିଣତ ହୋଇଥିଲା। ଏହାଦ୍ୱାରା ବାହ୍ୟ ଚିକିତ୍ସା ସେବା ଗମ୍ଭୀର ଭାବେ ପ୍ରଭାବିତ ହୋଇଥିଲେ ସୁଦ୍ଧା ଜରୁରୀକାଳୀନ ଓ ଇନଡୋର ସେବା ଜାରି ରହିଥିଲା। ପୂର୍ବରୁ ସରକାର ଏଥିପାଇଁ ‘ଏସମା’ ମଧ୍ୟ ଲାଗୁ କରିଥିଲେ। ଓମସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ଏବଂ ସାଧାରଣ ସମ୍ପାଦକ ଡାକ୍ତର ସଞ୍ଜୀବ କୁମାର ପ୍ରଧାନ ସରକାରଙ୍କ ସହ ସଫଳ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ଏହି ଉଚ୍ଚସ୍ତରୀୟ କମିଟି ଗଠନ ସରକାରଙ୍କ ସକାରାତ୍ମକ ଆଭିମୁଖ୍ୟକୁ ଦର୍ଶାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ