କେହି କେବେ ବି ବିଶ୍ବାସ କରିପାରିବେନି ଯେ ମାତ୍ର ଗୋଟେ ୮ ବର୍ଷର ପିଲା ପାଇଁ ଗୋଟେ ଅତ୍ୟନ୍ତ ଶକ୍ତିଶାଳୀ ଦେଶ ଗୃହଯୁଦ୍ଧ ଆଡକୁ ଅଗ୍ରସର ହେଇଯିବ ଏବଂ ସିଏ ଦେଶର ସରକାର, ପ୍ରଧାନମନ୍ତ୍ରୀ ଏବଂ ଗୁଇନ୍ଦା ବିଭାଗ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ମଧ୍ୟ ପାଲଟି ଯିବ ।
ମାର୍ଚ୍ଚ ୧୬, ୧୯୬୨, ସମୟ ଦ୍ଵିପହର ୩ଟା, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନ ଗୁରିଅନ ଗୁଇନ୍ଦା ସଂସ୍ଥା ‘ମୋସାଦ’ର ମୁଖ୍ୟ ଇସର ହାରେଲଙ୍କୁ ଅଚାନକ ନିଜ ଅଫିସକୁ ଡକାଇ ପଠାନ୍ତି । କିଛି ଅଘଟଣର ଆଶଙ୍କାରେ ହାରେଲ ତରବରରେ ଯାଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଲା ପରେ ବେନ ଗୁରିଅନ ତାଙ୍କର ଭଲମନ୍ଦ ପଚାରି ବୁଝି ଗୁଡିଏ ଅନୌପଚାରିକ କଥାବାର୍ତା ଆରମ୍ଭ କରିଦିଅନ୍ତି ଗୁରିଆନଙ୍କ ଏପରି ଆଚରଣରେ ହାରେଲେ କିଛି ଗୋଟେ ବଡ ଗୁରୁତ୍ବପୂର୍ଣ ବିଷୟକୁ ମନେ ମନେ ଅନୁମାନ କରିନିଅନ୍ତି । ଏହିପରି କିଛି ସମୟ ଗଲାପରେ ପ୍ରଧାନମନ୍ତ୍ରୀ ଗୁରିଅନ ହଠାତ କୁହନ୍ତି …..
– ତୁମେ ସେ ପିଲାକୁ ଖୋଜି ଆଣିପାରିବ ?
ସବୁଜାଣି କିଛି ନ’ ଜାଣିବାର ଅଭିନୟ କରି ହାରେଲ ପଚାରନ୍ତି
– କୋଉ ପିଲା ??
ହାରେଲଙ୍କ ଅନୁମାନ ମୁତାବକ ଗୁରିଅନ କୁହନ୍ତି
– ୟୋସେଲ ସୁମାକର
“ୟୋସେଲ ସୁମାକର” ବୟସ ୮, ରଙ୍ଗ ଗୋରା, ଇସ୍ରାଇଲର ହୋଲୋନ ସହର ନିବାସୀ, ଯାହାକୁ ଗୋଟେ ଧର୍ମାନ୍ଧ ଇହୁଦୀ ଗୋଷ୍ଟୀ ଅପହରଣ କରିନେଇଥିଲେ । ଯାହାର ନେତୃତ୍ଵ ସ୍ଵୟଂ ୟୋସେଲର ଅଜା ନେଇଥିଲେ । ପ୍ରାୟ ଦୁଇ ବର୍ଷ ଧରି ଇସ୍ରାଏଲର ପ୍ରତ୍ଯେକଦିନ ଖବର କାଗଜରେ ସେଇ ଗୋଟିଏ ମୁଖ୍ୟଖବର ‘ୟୋସେଲ ସୁମାକର ଏବେ କୋଉଠି’ ?
୬୦ ଦଶକର ବିଶ୍ଵର ସର୍ବାଧିକ ଚର୍ଚିତ ଶିଶୁ ‘ୟୋସେଲ ସୁମାକର’ ।
ସେତେବେଳକୁ ସାଧାରଣ ଜନତା ମଧ୍ୟ ରାସ୍ତା ଉପରକୁ ଓଲହାଇ ଆସିଲେଣି , ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ‘ୟୋସେଲ ସୁମାକର’ ଏବେ କୋଉଠି ?
ରାସ୍ତା ଉପରେ ଧର୍ମାନ୍ଧ ମୋଲବାଦୀ ଏବଂ ଧର୍ମନିରପେକ୍ଷୀ ଲୋକ ମୁହଁIମୁହଁ ଅବସ୍ତାରେ ।
ଏହା ଏକ ସାଧାରଣ ପାରିବାରିକ ବିବାଦରୁ ଧାର୍ମିକ ବିବାଦ ଏବଂ ଶେଷରେ ଗୃହଯୁଦ୍ଧର ରୂପ ନେବାକୁ ବସିଥିଲା । ଗୃହଯୁଦ୍ଧର ପରିଣତି ସେତେବେଳେ ଇସ୍ରାଏଲକୁ ଖଣ୍ଡବିଖଣ୍ଡ କରିଦେବାକୁ ବସିଥିଲା ।
ସରକାରଙ୍କ ଉପରେ ପ୍ରବଳ ଚାପ ପଡୁଥାଏ ୟୋସେଲକୁ ଖୋଜି ଆଣିବା ପାଇଁ ।
ସେହି ସମୟର ପ୍ରଧାନମନ୍ତ୍ରୀ ବେନ ଗୁରିଅନ ମୋସାଦ ମୁଖ୍ୟଙ୍କୁ ଡକାଇ ସେ ୟୋସେଲକୁ ଠାବ କରି ଫେରାଇ ଆଣିବାର ଦାୟିତ୍ଵ ଦିଅନ୍ତି ।
ପୃଥିବୀର ଅନ୍ୟତମ ଇସ୍ରାଏଲର ଦୁର୍ଦ୍ଦଷ ଗୁଇନ୍ଦା ସଂସ୍ଥା ’ମୋସାଦ’, ଯିଏ ନିଜ ନାଗରିକ ଏବଂ ଦେଶର ସ୍ଵାର୍ଥ ପାଇଁ କିଛି ବି କରିପାରିବାର ଦକ୍ଷତା ରଖେ । କୁଖ୍ୟାତି, ପ୍ରତିଶୋଧର ଅନ୍ୟନାମ ‘ମୋସାଦ’ । ପ୍ରତିଶୋଧ ନେବାପାଇଁ ସେମାନେ ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ମହାଦେଶରୁ ମହାଦେଶ ପର୍ଯ୍ୟନ୍ତ ଅପରେସନ ଚାଲୁ ରଖିପାରନ୍ତି, ଶେଷ ଶତ୍ରୁକୁ ମୃତ୍ୟୁର ସ୍ଵାଦ ଚଖେଇଲା ପର୍ଯ୍ୟନ୍ତ । ଅସମ୍ବବ ଲାଗୁଥିବା କାର୍ଯ୍ୟକୁ ସମ୍ଭବ କରି ଦେଖାଇପାରନ୍ତି । ଅସାଧାରଣ ଅକଳ୍ପନୀୟ କାର୍ଯ୍ୟପ୍ରଣାଳୀ ଯୋଗୁ ଖୁବ ବିଖ୍ୟାତ ମୋସାଦ, ଯାହାର ନାଁ ଶୁଣିଲେ ଶତ୍ରୁ ଦେଶର ମୁଖ୍ୟ ମାନେ ମଧ୍ୟ ଭୟରେ ଥରି ଉଠନ୍ତି କିନ୍ତୁ ମାତ୍ର ୮ ବର୍ଷର ଏକ ବାଳକ ତାଙ୍କ ମୁଣ୍ଡବ୍ୟଥାର କାରଣ ପାଲଟି ଯାଇଥିଲା ସେବେ ।
ଇସର ହାରେଲ, ମୋସାଦର ମୁଖ୍ୟ ଯିଏ ପୃଥିବୀର କୋଣଅନୁକୋଣରେ ଲୁଚି ରହିଥିବା ନାଜି ଯୁଦ୍ଧ ଅପରାଧୀ ମାନଙ୍କୁ ଖୋଜିବାରେ ମାହିର ଥିଲେ ସିଏ କେବେ ବି କଲ୍ପନା କରିନଥିଲେ ଯେ ମାତ୍ର ୮ ବର୍ଷର ବାଳକ ତାଙ୍କ ପାଇଁ ଏତେ ଚିନ୍ତାର ବିଷୟ ହେଇଯିବ । ସେ ଯେଉଁକାମ ହାତକୁ ନିଅନ୍ତି ତାକୁ ସମ୍ପୂର୍ଣ ନ କଲା ପର୍ଯ୍ୟନ୍ତ ଶାନ୍ତିରେ ନିଶ୍ଵାସ ନିଅନ୍ତିନି । ତାଙ୍କ ନାଁ ଶୁଣିଲା ମାତ୍ରେ ବଡ ବଡ ନାଜୀ ନେତାଙ୍କର ପିଳେହି ପାଣି ହେଇଯାଏ ଆଜି ତାଙ୍କ ପାଇଁ ମାତ୍ର ୮ ବର୍ଷ ବଯସର କୁନିପିଲାଟିଏ ଚିନ୍ତାର କାରଣ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟIଳୟରୁ ତୁରନ୍ତ ନିଜ ଅଫିସକୁ ଫେରି ଜରୁରୀ ବୈଠକ ଡକାନ୍ତି ହାରେଲ । ବଛା ବଛା ଏଜେଣ୍ଟଙ୍କୁ ନେଇଗଠନ ହୁଏ ଟିମ, ରଣନୀତି ସ୍ଥିରହୁଏ । ଏକମାତ୍ର ଲକ୍ଷ୍ୟ ହେଲା ଯେମିତି ହେଉ ୟୋସେଲ ସୁମାକରକୁ ଖୋଜିବା । ମୋସାଦ ପ୍ରଥମେ ଯେତେବେଳେ ଅପହରଣର ଉଦ୍ଦେଶ୍ୟ ଖୋଜିବାକୁ ଲାଗିଲା ସେତେବେଳେ ଆଶ୍ଚର୍ଯ୍ୟ ହେଇଗଲା ଯେ କେବଳ ମାତ୍ର ଏକ ଧର୍ମାନ୍ଧ ଆଶଙ୍କା ଯୋଗୁ ୟୋସେଲର ଅଜା ନହମାନ ଷ୍ଟାର୍କେସ ଏ ଅପହରଣର ନାଟକ ରଚିଥିଲେ । ତାର ଆଶଙ୍କା ଥିଲା କି ୟୋସେଲର ପିତାମାତା ତାକୁ କାଳେ ଖ୍ରୀଷ୍ଟିୟାନ କରିଦେବେ । ନହମାନ ଷ୍ଟାର୍କେସ ଅତ୍ୟନ୍ତ ରୂଢିବାଦୀ ଧର୍ମାନ୍ଧ ଚିନ୍ତାଧାରାର ବ୍ୟକ୍ତି ଥିଲା, ସାଇବେରିଆର ଭୀଷଣ ସର୍ଦ୍ଦିରେ ଦ୍ଵିତୀୟ ବିଶ୍ବଯୁଦ୍ଧରେ ନିଜର ଗୋଟିଏ ଆଖି ଓ ଗୋଡର ତିନିଟା ଆଙ୍ଗୁଠି ହରେଇ ବସିଥିଲା ଏବଂ ସେବେଠାରୁ ରୁଷ ଲୋକମାନଙ୍କୁ ଅତ୍ୟନ୍ତ ଘୃଣା କରିବା ଆରମ୍ଭ କରି ଦେଇଥିଲା । ନହମାନର ଦ୍ଵିତୀୟ ସନ୍ତାନ ଝିଅ ଆଇଡା । ଆଲଟର ସୁମାକର ନାମ୍ନୀ ଜଣେ ଦର୍ଜୀକୁ ବିବାହ କରିଥିଲା ଆଇଡା । ୧୯୫୩ ମସିହାରେ ୟୋସେଲର ଜନ୍ମ ପରେ ଆଇଡା ନିଜ ସ୍ଵାମୀ ସହ ପୋଲାଣ୍ଡରୁ ଇସ୍ରାଏଲ ଚାଲିଆସି ବସବାସ କରିବାକୁ ଲାଗେ କିନ୍ତୁ ସେ ଜାଣେ ନାହି ଯେ ସେଠି ତା ପାଇଁ କେତେବଡ ବିପଦ ମୁଣ୍ଡଟେକି ଛିଡାହୋଇଛି । ଏଠି ଶତ୍ରୁ ଆଉ କେହି ନୁହେଁ ନିଜ ବାପା ନହମାନ ଷ୍ଟାର୍କେସ । ୧୯୬୦ ମସିହା ମେ’ ମାସରେ ସବୁଥର ପରି ନହମାନ ନିଜ ନାତି ୟୋସେଲକୁ ହୋଲୋନ ସହରରୁ ନିଜ ଘର ଜେରୁଜେଲମ ନେଇଯାଏ ବୁଲେଇବାକୁ କିନ୍ତୁ ଆଉ ଫେରେଇ ଆଣେ ନାହି । ନିଜ ପୁଅକୁ ଫେରେଇବାକୁ ଅନୁରୋଧ କରି କରି ଥକି ଯାଆନ୍ତି କିନ୍ତୁ ୭୬ ବର୍ଷୀୟ ବୁଢା ନହମାନ ଫେରେଇବାର ନାଁ ଆଉ ଧରେନି । ଶେଷରେ ଆଇଡା ଆଉ ତା ସ୍ଵାମୀ ବାଧ୍ୟ ହେଇ ପୋଲିସର ଆଶ୍ରୟ ନିଅନ୍ତି । କୋର୍ଟର ବାରମ୍ବାର ଡାକରାକୁ ବେଖାତିର କରିବା ଯୋଗୁ କୋର୍ଟ ନିର୍ଦେଶରେ ପୋଲିସ ଏ ଘଟଣା ହାତକୁ ନେଇ ପ୍ରାୟ ଦଶଦିନ ଧରି ୟୋସୋଲକୁ ସହରର ପ୍ରତିଗଳି କନ୍ଦିରେ ଖୋଜେ ,କୋଉଠି ଟିକେ ବି ସୁରାଗ ମିଳେଣି ଯୋସେଲର । ସତେ ଯେମିତି ଅଦୃଶ୍ୟ ହେଇଯାଇଛି । କୋର୍ଟ ନିର୍ଦେଶରେ ୧୨ ମେ ୧୯୬୦ରେ ପୋଲିସ ନହମାନକୁ ଘରୁ ଉଠେଇ ଆଣି ପଚରାଉଚରା କରେ କିନ୍ତୁ ସେ ନାତିକୁ କୋଉଠି ଲୁଚେଇ ରଖିଛି ଜମା କୁହେନାହି । ତା ପରେ ପୋଲିସ ଥାର୍ଡ ଡିଗ୍ରୀ ପ୍ରୟୋଗ କରେ ମାତ୍ର ନହମାନ ମୁହଁରୁ ପଦେ ବି କଥା ବାହାର କରି ପାରେନି କଥାଛଳରେ ନହମାନ କୁହେ ‘ୟୋସେଲ ଯେଉଁଠି ଅଛି ଠିକ ଜାଗାରେ ଅଛି, ତା ବାପା ମା ତାକୁ ସଠିକ ରାସ୍ତା ବୋଧେ ଦେଇ ପାରିନଥାନ୍ତ’ । ନହମାନ କଥା ଉପରେ ପୋଲିସର ସନ୍ଦେହ ହୁଏ । କାରଣ ଆଇଡା ଓ ତା ସ୍ଵାମୀ ଅତ୍ୟନ୍ତ ମୁକ୍ତ ବିଚାରରେ ବିଶ୍ବାସ କରୁଥିଲେ ଯାହା ନହମାନର ପସନ୍ଦ ନଥିଲା ଆଉ ସେ ସବୁବେଳେ ସେମାନକ ସନ୍ତାନ ମାନଙ୍କୁ ଧର୍ମଭୀରୁ କରି ରଖିବାକୁ ଚାହୁଁଥିଲା ବୋଲି ପୋଲିସ ଅନୁସନ୍ଧାନ କଲାବେଳେ ଏ କଥା ଆଇଡା ପୋଲିସକୁ କହି ଦେଇଥିଲା । ପୋଲିସ ନହମାନକୁ ପଚରାଉଚରା କରିବାକୁ ଯେତେପ୍ରକାର ପନ୍ଥା ଆପଣେଇଲେ ମଧ୍ୟ ତା ମୁହଁରୁ ପଦେ ବି କଥା ବାହାର କରି ପାରେନି । ଯେଉଁଠି ଋଷିଆର KGB ନହମାନ ମୁହଁରୁ କଥା ବାହାର କରିବାରେ ହାର ମାନିଥିଲା ସେଠି ସାଧାରଣ ପୋଲିସର ବୁଦ୍ଧି କେତେ !! ପୋଲିସ ଦଶଦିନ ଧରି ନହମାନ ଉପରେ ଯେତେ ପ୍ରକାର ଚାପ ପ୍ରୟୋଗ କଲେ ମଧ୍ୟ ୟୋସେଲ ବିଷୟରେ ପଦୁଟିଏ କଥା ବାହାର କରାଇପାରେନି । ବର୍ଷେ ଧରି ଜେଲରେ ରହିଲା ପରେ ମଧ୍ୟ ପୋଲିସକୁ ୟେସୋଲ ବିଷୟରେ କାଣିଚାଏ ବି ସୁରାଗ ମିଳେନି । ବହୁ ତଦନ୍ତ ପରେ ପୋଲିସ କେବଳ ଏତିକି ଜାଣିପାରେ ଯେ ଏ ଅପହରଣରେ ନହମାନ ଏକା ନାହିଁ , ତା ସହ ଇସ୍ରାଏଲର କଟ୍ଟରପନ୍ଥୀ ୟିହୁଦି ଗୋଷ୍ଠୀର ହାତ ଅଛି । ସେମାନଙ୍କ ମନରେ ନହମାନ ଏ ବିଶ୍ବାସ ଜନ୍ମେଇ ଦିଆଇ ପାରିଥିଲା କି ଆଇଡା ତା ପୁଅକୁ ରୁଷିଆ ନେଇ ଖ୍ରୀଷ୍ଟିୟାନ କରିଦେବ ତେଣୁ ସେମାନଙ୍କୁ ତାକୁ ରୋକିବାକୁ ପଡିବ ।
ଏ ଅପହରଣ ପରେ ସମଗ୍ର ଇସ୍ରାଏଲ ପୋଲିସ ତଦନ୍ତ ଉପରକୁ ଆଙ୍ଗୁଠି ଉଠିବା ଏବଂ କଲେଜ ମାନଙ୍କରେ ଗୋଷ୍ଠୀ ସଂଘର୍ଷ ଆରମ୍ଭ ହେଇ ଆସୁଥାଏ । କଟ୍ଟରବାଦୀ ଓ ଧର୍ମନିରପେକ୍ଷ ଗୋଷ୍ଠୀ ରାସ୍ତା ଉପରକୁ ଓଲ୍ହେଇବା ଆରମ୍ଭ କରି ଦେଇଥାନ୍ତି । ହିଂସାକାଣ୍ଡ ଘଟି ପୋଡାଜଳା ଆରମ୍ଭ ହେଇ ସାରିଥାଏ । ଏ ଘଟଣା ଯେତେବେଳେ ଅଣାୟତ ହେବାକୁ ଲାଗେ ପ୍ରଧାନମନ୍ତ୍ରୀ ବେନ ଗୁରିଅନ ‘ମୋସାଦ’ର ମୁଖ୍ୟ ଇସର ହାରେଲଙ୍କୁ ଡକାଇ ପଠାନ୍ତି ।