Thursday, September 10, 2026
24.6 C
Odisha

    ଦୁଇ ଦିନ କାଳବୈଶାଖୀ: ୧୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଉତ୍ତର ଓଡ଼ିଶାରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶ ଉପକୂଳ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ଏକ ନିମ୍ନ ଚାପ ରେଖା ସକ୍ରିୟ ରହିଛି। ଏଥିସହ ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁଚାପ ବଳୟ ରହିଥିବାରୁ ରାଜ୍ୟ ମଧ୍ୟକୁ କ୍ରମାଗତ ଭାବେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି। ଉଭୟ ନିମ୍ନଚାପ ରେଖା ଓ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପରସ୍ପର ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ହେଉଛି। ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବା ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ଭୋର ସମୟରେ ହୋଇଥିବା କାଳବୈଶାଖୀ ଦ୍ବାରା ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି। ଗତ ୩୬ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ୩୨.୨ ମିମି ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼ରେ ୧୩.୮, ବାଲେଶ୍ବରରେ ୧୩, ଯାଜପୁରରେ ୧୦, ଦେବଗଡ଼ରେ ୮.୪, ରାଉରକେଲାରେ ୬.୧ ମିମି ବର୍ଷା ରେକର୍ଡ କରାଯାଇଛି। ଚାନ୍ଦବାଲି, ଭୁବନେଶ୍ବର, ବାରିପଦା, କେନ୍ଦୁଝରଗଡ଼, ଭଦ୍ରକର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି।
    ମଙ୍ଗଳବାରଠାରୁ କାଳବୈଶାଖୀ ପ୍ରଭାବ ବଢ଼ିବ। ବାୟୁମଣ୍ଡଳର ମଧ୍ୟ ଭାଗରୁ ଉପରି ଭାଗ ମଧ୍ୟରେ ଏକ ନିମ୍ନଚାପ ରେଖା ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକି ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ସଂସ୍ପର୍ଶରେ ଆସି ଅଧିକ ପ୍ରତିକ୍ରିୟାଶୀଳ ହେବା ଦ୍ବାରା ଅତ୍ୟଧିକ ମାତ୍ରାରେ ବିଜୁଳି ଘଡ଼ଘଡ଼ି ସୃଷ୍ଟି ହେବା ସହ କିଛି ଜିଲ୍ଲାରେ ପବନର ଘଣ୍ଟା ପ୍ରତି ବେଗ ୪୫ରୁ ୫୫ କିମି ରହିପାରେ। ଏଥିସହ ଝଡ଼ିବର୍ଷା, କୁଆପଥର ବର୍ଷା ମଧ୍ୟ ହୋଇପାରେ। ସ୍ଥାନେ ସ୍ଥାନେ ୭ରୁ ୧୧ ସେମି(ପ୍ରବଳ ବର୍ଷା) ହେବାକୁ ଥିବାରୁ ୧୪ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଅନୁଗୁଳ, ନୟାଗଡ଼, ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅବଶିଷ୍ଟ ୧୬ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା, ପବନ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୦ ତାରିଖ ବେଳକୁ ଦକ୍ଷିଣ ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଚ ୱାର୍ଣ୍ଣିଂ ଦିଆଯାଇଛି। ବିଜୁଳି ଘଡ଼ଘଡ଼ି ଅତ୍ୟନ୍ତ ବିପଜ୍ଜନକ ଓ ବିପର୍ଯ୍ୟୟ ସୃଷ୍ଟିକାରୀ ହୋଇଥିବାରୁ ନିରାପଦ ସ୍ଥାନରେ ରହିବା ଅତ୍ୟନ୍ତ ଜରୁରୀ। ୨୧ ତାରିଖ ବେଳକୁ ବର୍ଷା ପରିମାଣ ଧୀରେ ଧୀରେ କମିବ ଏବଂ ୨୨ ତାରିଖ ବେଳକୁ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆଗାମୀ ୩ ଦିନ ମଧ୍ୟରେ ଦିନର ତାପମାତ୍ରା ଆହୁରି ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି।

    ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସୋମବାରଠାରୁ ଗୁରୁବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ତାପମାତ୍ରା କମିବା ସହ ମେଘୁଆ ପାଗ ଲାଗିରହିବ। ତେବେ ଶୁକ୍ରବାରଠାରୁ ତାପମାତ୍ରା ପୁଣିଥରେ ବଢ଼ିବା ସହ ୨୪ ତାରିଖରେ କେତେକ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରିରୁ ଅଧିକ ହୋଇପାରେ। ପଶ୍ଚିମା ଶୁଷ୍କ ପବନ ସହ ଆଣ୍ଟି-ସାଇକ୍ଲୋନିକ୍‌ ସର୍କ୍ୟୁଲେସନ ହେତୁ ଦକ୍ଷିଣରୁ ଆନ୍ଧ୍ର ଦେଇ ବଙ୍ଗୋପସାଗରୀୟ ଆର୍ଦ୍ର ପବନ ରହିବା ହେତୁ ଉପର ବାୟୁମଣ୍ଡଳରେ ଅସ୍ଥିରତା ସୃଷ୍ଟି ହେଉଛି ଏବଂ ଏହାଦ୍ବାରା କାଳବୈଶାଖୀ ବର୍ଷା ହେବ। ୧୮ରୁ ୨୦ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାରେ, ୧୯ ଓ ୨୦ରେ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶା ଏବଂ ୧୯ରୁ ୨୧ ତାରିଖ ମଧ୍ୟରେ ଦକ୍ଷିଣ ଉପକୂଳ ଯଥା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ମୁଗ, ବିରି, ଚିନାବାଦାମ ଆଦି ପାଚି ଯାଇଥିଲେ ଅମଳ କରି ନିରାପଦ ସ୍ଥାନରେ ରଖନ୍ତୁ। ଏହି ବର୍ଷା ଆମ୍ବ ଓ ଅନ୍ୟାନ୍ୟ ଫସଲ ପାଇଁ ଭଲ। ତେବେ କୁଆପଥର ବର୍ଷା ହେବାକୁ ଥିବାରୁ କ୍ଷେତରେ ପାଚିଲା ଫସଲ ରହିଲେ କ୍ଷତିକାରକ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    93 %
    1.6kmh
    100 %
    Wed
    25 °
    Thu
    26 °
    Fri
    26 °
    Sat
    29 °
    Sun
    27 °

    ସମ୍ବନ୍ଧିତ