Monday, September 28, 2026
23.1 C
Odisha

    ପଦ୍ମଶ୍ରୀ ଫେରାଇବେ ବଜରଙ୍ଗ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦୁଇ ଅଲିମ୍ପିକ୍ ପଦକ ବିଜେତା କୁସ୍ତିଯୋଦ୍ଧାଙ୍କ କଠୋର ନିଷ୍ପତ୍ତି ପୁଣି ଥରେ ଭାରତୀୟ କୁସ୍ତିକୁ ଚର୍ଚ୍ଚାକୁ ଆଣିଛି। ସାକ୍ଷୀ ମଲ୍ଲିକଙ୍କ ଅପ୍ରତ୍ୟାଶିତ ଅବସର ପରେ ବଜରଙ୍ଗ ପୁନିଆ ଏବେ ସରକାରଙ୍କୁ ପଦ୍ମ ପୁରସ୍କାର ଫେରାଇ ଦେଇଛନ୍ତି। ଗୁରୁବାର ଭାରତୀୟ କୁସ୍ତି ମହାସଂଘ (ଡବ୍‌ଲ୍ୟୁଏଫ୍‌ଆଇ) ନିର୍ବାଚନରେ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଂଜୟ ସିଂହ ସଭାପତି ଭାବେ ନିର୍ବାଚିତ ହେବାରୁ ଏହାର ପ୍ରତିବାଦରେ ବଜରଙ୍ଗ ପଦ୍ମ ସମ୍ମାନ ଫେରାଇ ଦେବାକୁ ‌ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ ଲମ୍ବା ଚିଠିକୁ ବଜରଙ୍ଗ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ସହ ମହିଳା କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ମିଳିପାରି ନଥିବା କାରଣ ଦର୍ଶାଯାଇଛି। ଗୃହମନ୍ତ୍ରୀଙ୍କ ସହିତ ସାକ୍ଷାତ କରିଥିବା ବେଳେ ସେ ମହିଳା କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ଡବ୍‌ଲ୍ୟୁଏଫ୍‌ଆଇରୁ ବ୍ରିଜଭୂଷଣ, ତାଙ୍କ ପରିବାର ଓ ସହଯୋଗୀଙ୍କୁ ବାହାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ।ଆମେ ତାହାକୁ ମାନି ଆନ୍ଦୋଳନ ସମାପ୍ତ କରିଥିଲୁ। କୁସ୍ତି ସଂଘର ସମସ୍ୟାକୁ ସରକାର ସମାଧାନ କରିଦେବେ ଓ ନ୍ୟାୟର ଲଢ଼େଇ ନ୍ୟାୟାଳୟରେ ହେବ ବୋଲି କୁହାଯାଇଥିଲା। ହେଲେ କୁସ୍ତି ସଂଘ ନିର୍ବାଚନ ଫଳାଫଳରୁ ବ୍ରିଜଭୂଷଣ ପୁଣି ଥରେ ଡବ୍‌ଲ୍ୟୁଏଫ୍‌ଆଇକୁ କବ୍‌ଜା କରି ନେଇଥିବା ବଜରଙ୍ଗ ଲେଖିଛନ୍ତି।
    ଏଥିସହ ସରକାର ଓ ପ୍ରଶଂସକମାନେ ତାଙ୍କୁ ଯେଉଁ ସମ୍ମାନ ଦେଇଛନ୍ତି, ତାହା ଏବେ ବୋଝ ଭଳି ଲାଗୁଥିବା ସେ ଚିଠିରେ ଲେଖିଛନ୍ତି। ପଦ୍ମଶ୍ରୀ, ଖେଳରତ୍ନ, ଅର୍ଜୁନ ପୁରସ୍କାର ମିଳିବା ବେଳେ ଯେତିକି ଖୁସି ଲାଗୁଥିଲା, ଏବେ ତାହାଠୁ ଅଧିକ ଦୁଃଖ ଲାଗୁଛି। ଯେଉଁ ବ୍ୟକ୍ତିଙ୍କର ସଂଘରେ ଦବ୍‌ଦବା ରହିଛି, ତାଙ୍କ ଛାଇ ବି ମହିଳା କୁସ୍ତିବିତ୍‌ଙ୍କୁ ଭୟଭୀତ କରୁଛି। ଯେଉଁ ଝିଅମାନେ ‘ବେଟି ବଚାଓ, ବେଟି ପଢାଓ’ ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ହେଇଥାନ୍ତେ, ସେମାନେ ଏବେ ନିଜକୁ ଅସୁରକ୍ଷିତ ମଣି କୁସ୍ତିଠୁ ଦୂରେଇ ଯାଉଛନ୍ତି। ଆମେ ସମ୍ମାନିତ ହୋଇଥିବା କୁସ୍ତିଯୋଦ୍ଧା କିଛି କରିପାରିଲୁନି। ମହିଳା କୁସ୍ତିଯୋଦ୍ଧାଙ୍କୁ ଅପମାନିତ କରାଯିବା ପରେ ମୁଁ ସମ୍ମାନିତ ହୋଇ ନିଜ ଜୀବନ ବଞ୍ଚି ପାରିବିନି। ଏଥିପାଇଁ ଏହି ସମ୍ମାନକୁ ମୁଁ ଆପଣଙ୍କୁ ଫେରାଉଛି ବୋଲି ବଜରଙ୍ଗ ତାଙ୍କ ଚିଠିରେ ଲେଖିଛନ୍ତି।

    ବଜରଙ୍ଗ ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ତାଙ୍କୁ ବ୍ୟକ୍ତିଗତ ଭାବେ ଉକ୍ତ ଚିଠି ଦେବା ପାଇଁ ଯୋଜନା କରିଥିଲେ। କିନ୍ତୁ କର୍ତ୍ତବ୍ୟପଥଠାରେ ଦିଲ୍ଲୀ ପୁଲିସ୍‌ ତାଙ୍କୁ ଅଟକାଇବା ସହ ଆଗକୁ ଯିବାକୁ ଦେଇ ନଥିଲା। ପ୍ରଧାନମନ୍ତ୍ରୀଙ୍କୁ ବଜରଙ୍ଗ ଭେଟିବାକୁ ତାଙ୍କ ପାଖରେ ଅନୁମତି ନଥିବା ପୁଲିସ କହିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଉକ୍ତ ଚିଠି ପଠାଇବାକୁ ସେ ପୁଲିସ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ସେ ଭିତରକୁ ଯାଇପାରିବେନି, ତେଣୁ ଏହି ଚିଠି ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। ମୁଁ ଏଠାରେ କୌଣସି ପ୍ରତିବାଦ କରୁନାହିଁ କିମ୍ବା ଉତ୍ତେଜିତ ମଧ୍ୟ ହେଉନି। କେବଳ ମୋର ଚିଠି ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚୁ ବୋଲି ବଜରଙ୍ଗ ଉପସ୍ଥିତ ପୁଲିସ୍‌ ଅଧିକାରୀଙ୍କୁ ଅନୁରୋଧ କରୁଥିବା ଦେଖାଯାଇଥିଲା। ଏଥିପୂର୍ବରୁ ଗୁରୁବାର କୁସ୍ତି ସଂଘ ନିର୍ବାଚନ ଫଳାଫଳ ଆସିବା ପରେ ସାକ୍ଷୀ ମଲ୍ଲିକ, ବଜରଙ୍ଗ ଓ ଭିନେଶ ଫୋଗତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଫଳାଫଳରେ ହତୋତ୍ସାହିତ ହୋଇ ସେଠାରେ ସାକ୍ଷୀ କୁସ୍ତି ଛାଡୁଥିବା ସଂପର୍କରେ ଘୋଷଣା କରିଥିଲେ।

    ସମ୍ମାନ ଫେରାଇବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି: ମନ୍ତ୍ରାଳୟ
    ବ୍ରିଜଭୂଷଣଙ୍କ ଘନିଷ୍ଠ ସହଯୋଗୀ ସଂଜୟ ସିଂହଙ୍କୁ ବିରୋଧ କରି ବଜରଙ୍ଗ ପୁନିଆ ‘ପଦ୍ମଶ୍ରୀ’ ସମ୍ମାନ ଫେରାଇଦେବାକୁ ନେଇଥିବା ନିଷ୍ପତ୍ତି ତାଙ୍କର ବ୍ୟକ୍ତିଗତ ଅଧିକାର ବୋଲି କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବଜରଙ୍ଗଙ୍କୁ ସମ୍ମାନ ଫେରାଇବା ବାବଦରେ ପୁନର୍ବିଚାର କରିବାକୁ ଅନୁରୋଧ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    91 %
    0.9kmh
    9 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ