Thursday, October 15, 2026
21.4 C
Odisha

    ଅପରାଜିତାଙ୍କୁ ଟାର୍ଗେଟ୍ କରି ଗର୍ଜିଲେ ପାଣ୍ଡିଆନ: ‘ଟୁରିଷ୍ଟ୍‌ ସାଂସଦଙ୍କୁ ବିଦା କର’

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା/ବେଗୁନିଆ/ଟାଙ୍ଗୀ: ସରପଞ୍ଚ ହୁଅନ୍ତୁ କି ସାଂସଦ। ଆମ ସମ୍ବିଧାନରେ ସବୁ ନିର୍ବାଚିତ ପ୍ରତିନଧିଙ୍କୁ କିଛି କିଛି କ୍ଷମତା ଓ ଦାୟିତ୍ବ ଦିଆଯାଇଛି। ପାଞ୍ଚବର୍ଷର ସମୟ ଅବଧି ମଧ୍ୟରେ ସମସ୍ତେ ନିଜ ନିଜ ଅଞ୍ଚଳ ପାଇଁ କିଛି ଦାୟିତ୍ବ ତୁଲାଉଛନ୍ତି। କିନ୍ତୁ ଗଲା ପାଞ୍ଚବର୍ଷ ହେଲା ନିର୍ବାଚିତ ହୋଇ ସଂସଦକୁ ଯାଇଥିବା ଭୁବନେଶ୍ବର ସାଂସଦ ଏ ଅଞ୍ଚଳ ପାଇଁ କିଛି କରିନାହାନ୍ତି। ସେଥିପାଇଁ ଏଭଳି ଟୁରିଷ୍ଟ ସାଂସଦକୁ ବିଦା କର। ଆଜି ଅପରାହ୍‌ଣରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଚିଲିକା ଷ୍ଟାଡିୟମ୍‌ରେ ଆୟୋଜିତ ବିଜେଡିର ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେଡି ନେତା ଭି କେ ପାଣ୍ଡିଆନ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଏଭଳି ଢଙ୍ଗରେ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ସାଂସଦ କ’ଣ କରିଛନ୍ତି, ତାର ହିସାବ ଦିଅନ୍ତୁ।
    ଶ୍ରୀ ପାଣ୍ଡିଆନ କହିଛନ୍ତି, ଜଣେ ସାଂସଦ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଜନତାଙ୍କ ଭୋଟ୍‌ରେ ସଂସଦକୁ ଗଲେ। ସେଠି ଚାହିଁଥିଲେ, ଏ ଅଞ୍ଚଳ ପାଇଁ ବହୁତ କିଛି କରି ପାରିଥାନ୍ତେ। କେନ୍ଦ୍ରୀୟ ଯୋଜନାଠୁ ପୁଞ୍ଜି ନିବେଶ ଯାଏ, ଏ ଅଞ୍ଚଳ ପାଇଁ ଗଲା ପାଞ୍ଚବର୍ଷ ମଧ୍ୟରେ ବହୁତ କିଛି ହୋଇପାରିଥାନ୍ତା। ଏଠି ଶତାଧିକ ଶିଳ୍ପକାରଖାନା ଖୋଲା ଯାଇପାରିଥାନ୍ତା। ଲୋକଙ୍କ ରୋଜଗାର ବଢ଼ାଯାଇ ପାରିଥାନ୍ତା। କିନ୍ତୁ ପାଞ୍ଚବର୍ଷ ମଧ୍ୟରେ ସେ କିଛି କରିପାରିଲେ ନାହିଁ। ଏବେ ନିର୍ବାଚନ ଆସିଲା ବେଳକୁ ସାଂସଦ ଜଣେ ପର୍ଯ୍ୟଟକଙ୍କ ପରି ଚାରିଆଡ଼େ ବୁଲୁଛନ୍ତି।

    ଟାଙ୍ଗୀ ପୂର୍ବରୁ ବେଗୁନିଆର ମିନି ଷ୍ଟାଡିୟମ୍‌ରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ମଧ୍ୟ ସାଂସଦଙ୍କୁ ଟାର୍ଗେଟ କରିବା ସହିତ ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ୍‌ ମାଗିଥିଲେ। ପାଇକ ମାଟିର ଅସ୍ମିତା କଥା ଦର୍ଶାଇ ସେ କହିଥିଲେ, ଖୋର୍ଦ୍ଧା ଜିଲ୍ଲା ହେଉଛି ବୀର ପାଇକଙ୍କ ମାଟି। ଏଠି ଭାରତବର୍ଷର ପ୍ରଥମ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା। ଯାହାକୁ କେନ୍ଦ୍ରୀୟ ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚାରିଚାରି ଥର ଚିଠି ଲେଖିଛନ୍ତି। ଖୋର୍ଦ୍ଧାର ପାଇକ ପୁଅର ବଳିଦାନକୁ ସ୍ବୀକୃତି ଦେବାକୁ ମୁଖ୍ୟମନ୍ତ୍ରୀ ବହୁବାର ଅନୁରୋଧ କରିଛନ୍ତି। କିନ୍ତୁ ସାଂସଦ କରିଛନ୍ତି କ’ଣ? ସଂସଦରେ ପାଞ୍ଚବର୍ଷ କାଳ ବସିଲେ, ଥରୁଟିଏ ବି ଖୋର୍ଦ୍ଧା ମାଟିର ଅସ୍ମିତାକୁ ନେଇ ସଂସଦରେ କହିଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ। ଏ ମାଟି ପାଇଁ ତାଙ୍କର ଦରଦ କାହିଁ ବୋଲି ଶ୍ରୀ ପାଣ୍ଡିଆନ ପଚାରିଥିଲେ। ବରଂ କ୍ଷମତା ପାଇଗଲା ପରେ ସାଂସଦ ତା’ର ଦୁରୁପଯୋଗ କରିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଏମିତି ଜଣେ ସାଂସଦଙ୍କୁ ଏ ମାଟି କଦାପି କ୍ଷମା ଦେବ ନାହିଁ, ଏ ମାଟି ଉପରେ ତାଙ୍କର କୌଣସି ଅଧିକାର ନାହିଁ ବୋଲି ସେ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.4 ° C
    21.4 °
    21.4 °
    96 %
    1kmh
    49 %
    Thu
    29 °
    Fri
    29 °
    Sat
    30 °
    Sun
    31 °
    Mon
    29 °

    ସମ୍ବନ୍ଧିତ