Tuesday, September 29, 2026
22.7 C
Odisha

    ରଘୁନାଥପାଲି, ବୀରମିତ୍ରପୁର, ବଣାଇରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର: ମଞ୍ଚ ଉପରୁ ମୋଦୀଙ୍କୁ ଟାର୍ଗେଟ୍‌

    ଆଗକୁ ପଢନ୍ତୁ

    ରାଉରକେଲା/ବୀରମିତ୍ରପୁର/ବଣାଇଗଡ଼/ସୁନ୍ଦରଗଡ଼, ୧୧/୫ (ଇମିସ): ଡବଲ ଇଞ୍ଜିନ୍‌ ଥିବା ରାଜ୍ୟ କେଉଁ କ୍ଷେତ୍ରରେ ପ୍ରଥମ ତିନି ସ୍ଥାନ ମଧ୍ୟରେ ଅଛନ୍ତି? ଗୁଜରାଟରେ ବିଜେପି ଶାସନ ବହୁଦିନ ଧରି ଚାଲିଛି। ନିଜେ ପ୍ରଧାନମନ୍ତ୍ରୀ ମଧ୍ୟ ସେଠାରେ ବହୁବର୍ଷ ମୁଖ୍ୟମନ୍ତ୍ରୀ ଥିଲେ। ହେଲେ ଗୁଜରାଟକୁ ୧ ନମ୍ୱର କରିପାରିଲେ କି?ସେହିଭଳି ଗୁଜରାଟରେ ଅପପୁଷ୍ଟି ୪୦%। ଓଡ଼ିଶାରେ ଏହି ହାର ୨୯%। ରକ୍ତହୀନତା ହ୍ରାସରେ ଗୁଜୁରାଟର ସ୍ଥାନ ୮୦%। ଓଡ଼ିଶାର ସ୍ଥାନ ୬୪%। ମୁଣ୍ଡପିଛା ଋଣରେ ମଧ୍ୟ ଓଡ଼ିଶାଠାରୁ ଗୁଜୁରାଟ ଅଧିକ। ଓଡ଼ିଶା ପିଲା ଯେତେବେଳେ ଡିଜିଟାଲ ବୋର୍ଡରେ ପାଠ ପଢ଼ୁଛନ୍ତି, ସେତେବେଳ ଗୁଜୁରାଟରେ ବ୍ଲାକବୋର୍ଡରେ ପାଠ ପଢ଼ା ଚାଲିଛି। ଓଡ଼ିଶା ଓ ଗୁଜରାଟ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ରଖି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଏମିତି ଶବ୍ଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। ସୁନ୍ଦରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରଘୁନାଥପାଲି, ବୀରମିତ୍ରପୁର ଓ ବଣାଇରେ ବିଧାନସଭା ନିର୍ବାଚନମଣ୍ଡଳୀରେ ମାରାଥନ ପ୍ରଚାର କରି ଶ୍ରୀ ପାଣ୍ଡିଆନ ସିଧା ସିଧା କହିଲେ, ପ୍ରଧାନମନ୍ତ୍ରୀ କହୁଛନ୍ତି ତାଙ୍କ ଦଳ ନିର୍ବାଚନ ଜିତିଲେ ଓଡ଼ିଶାକୁ ଏକ ନମ୍ୱର କରିବେ। ହେଲେ ସବୁଥିରେ ସେମାନେ ପଛୁଆ। ପ୍ରଧାନମନ୍ତ୍ରୀ ଯଦି ପାରିବେ ଭାରତକୁ ଏକ ନମ୍ୱର କରନ୍ତୁ। ସେ ଜାଣିରଖିବା ଦରକାର ଯେ ଓଡ଼ିଶାକୁ ଏକ ନମ୍ୱର କରିବା ପାଇଁ ନବୀନ ବାବୁ ହିଁ ଯଥେଷ୍ଟ ।ଶ୍ରୀ ପାଣ୍ଡିଆନ ଅଭିଯୋଗର ପାହାଡ଼ ଠିଆ କରି ଆହୁରି କହିଥିଲେ, ଦଶବର୍ଷ ମଧ୍ୟରେ କେନ୍ଦ୍ର ସରକାର କଟକ-ସମ୍ୱଲପୁର ରାସ୍ତା କରିପାରିଲେ ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ ୩ ବର୍ଷରେ ବିଜୁ ଏକ୍‍ସପ୍ରେସ ୱେ କରି ଦେଖାଇଦେଲେ। ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଇତିମଧ୍ୟରେ ବହୁତ ଶିଳାନ୍ୟାସ କରିଛନ୍ତି। ହେଲେ ସେ ମଧ୍ୟରୁ କେତୋଟିର ଉଦ୍‍ଘାଟନ କରିଛନ୍ତି, ସେ ତଥ୍ୟ ଆଗେ ରଖନ୍ତୁ? ଯଦି ପାରୁଛନ୍ତି, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦିଅନ୍ତୁ, ଓଡ଼ିଶାରେ ଇଣ୍ଡିଆନ ଅଏଲ, ଏନ୍‍.ଟି.ପି.ସି ଭଳି ବହୁ ରାଷ୍ଟ୍ରୀୟ କମ୍ପାନି ରହିଛି, ଏଥିରେ ଓଡ଼ିଆ ପିଲା ନିଯୁକ୍ତି ପାଉନାହାନ୍ତି, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ପେଟ୍ରୋଲ, ଡିଜେଲ, ଏଲ୍‍.ପି.ଜି. ଦରଦାମ ବଢ଼ିବ ନାହିଁ ବୋଲି ଗ୍ୟାରେଣ୍ଟି ଦିଅନ୍ତୁ। କୋଷ୍ଟାଲ ହାଇୱେ ୧୦ ବର୍ଷ ହେଲା ହୋଇପାରୁନାହିଁ, ସେ ଦିଗରେ କେନ୍ଦ୍ର ପଦକ୍ଷେପ ନେଉ। ସେହିଭଳି କୋଇଲା ରୟାଲଟି ବୃଦ୍ଧି ପାଇଁ ବାରମ୍ବାର ଅନୁରୋଧ ସତ୍ତ୍ବେ ହୋଇପାରୁନାହିଁ। ଏସବୁ ଦିଗରେ ପ୍ରଧାନମନ୍ତ୍ରୀ ଧ୍ୟାନ ଦିଅନ୍ତୁ।

    ଶ୍ରୀ ପାଣ୍ଡିଆନ କହିଥିଲେ, କନ୍ଧମାଳରେ ବିଜେପି ଦଙ୍ଗା କରିଥିଲା, ଏକଥା କେହି ଭୁଲିନାହାନ୍ତି। ଏବେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ କନ୍ଧମାଳରେ ଶାନ୍ତି ଅଛି। ଏହି ଅବସରରେ ସେ ମୋଦୀଙ୍କ ଉଦ୍ଦେଶ୍ୟରେ ଆହୁରି କହିଥିଲେ, ‘ଆପଣ କହୁଛନ୍ତି, ଜୁନ ୪ ତାରିଖରେ ନବୀନ ପଟ୍ଟନାୟକ ସରକାରଙ୍କର ଅବସାନ ଘଟିବ। ହେଲେ ଆପଣ ପ୍ରଥମେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରାକୁ ଆଗକୁ ଆଣନ୍ତୁ। ଓଡ଼ିଶାବାସୀ ତା’ର ଉଚିତ ଜବାବ ଦେବେ। ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଯେଉଁ କଥା ଦିଅନ୍ତି ତାକୁ ମନେ ରଖନ୍ତି ଓ ଆନ୍ତରିକତାର ସହ ପାଳନ କରନ୍ତି। ସେଥିପାଇଁ ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ଲୋକଙ୍କ ହୃଦୟରେ ରହିଛନ୍ତି। ଲୋକଙ୍କ ହୃଦୟରୁ ତାଙ୍କୁ କେହି ବି ଦୂର କରିପାରିବେ ନାହିଁ। ନବୀନ ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କୁ କେବେ ବି ସେ ହଇରାଣ ହେବାକୁ ଦେବେ ନାହିଁ’।

    ଶ୍ରୀ ପାଣ୍ଡିଆନ କହିଥିଲେ, ନବୀନ ପ୍ରତି ମାସରେ ବିଏସ୍‌କେଵାଇରେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଅଥଚ ଭାରତ ସରକାର ସମଗ୍ର ଭାରତ ବର୍ଷ ପାଇଁ ବର୍ଷକୁ ୬ ହଜାର କୋଟି ଟଙ୍କା ରଖିଛନ୍ତି। ସେହିଭଳି ଏବେ ନିର୍ବାଚନ ଆସିଥିବା କାରଣରୁ ବିଜେପି ଦଳର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କଥା ମନେ ପଡ଼ିଲା। ଯଦି ଭାରତ ସରକାର ଚାହିଁଥାନ୍ତେ, ତେବେ ଗୋଟେ ମିନିଟ୍‌ରେ କରିପାରିଥାନ୍ତେ। ନିର୍ବାଚନରେ ହାରିବା ଦେଖି ଚାଷୀଙ୍କ କଥା ଏବେ ମନେ ପଡ଼ୁଛି। ଚାଷୀ ଆନ୍ଦୋଳନ କରି ଭାରତରେ ବହୁ ଚାଷୀ ବଳିଦାନ ଦେଇଛନ୍ତି। ଏମ୍‍ଏସ୍‍ପି ଯଦି ଆଗରୁ ବଢ଼େଇଥାନ୍ତେ, ଏମିତି ଘଟି ନଥାନ୍ତା ବୋଲି ସେ କହିଥିଲେ।
    ଜୁଲାଇ ମାସରୁ ଓଡ଼ିଶାର ଜନସାଧାରଣଙ୍କୁ ଆଉ ବିଜୁଳି ବିଲ୍‌ ଦେବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ମନେପକାଇ ଶ୍ରୀ ପାଣ୍ଡିଆନ କହିଥିଲେ, ଏକଥା ଜାଣି ବିରୋଧୀଙ୍କୁ କରେଣ୍ଟ ଲାଗିଗଲାଣି। ବିରୋଧୀ ନିର୍ବାଚନ ସମୟରେ ପର୍ଯ୍ୟଟକଙ୍କ ଭଳି ଆସୁଛନ୍ତି। ବଡ଼ ବଡ଼ କଥା କହୁଛନ୍ତି। କିନ୍ତୁ ସେମାନଙ୍କ କଥାକୁ କେହି ବିଶ୍ୱାସ କରୁନାହାନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶାଣିତ ଆକ୍ରମଣ କରିବା ସହ ଶ୍ରୀ ପାଣ୍ଡିଆନ ଦୋହରାଇଥିଲେ ଯେ ଓଡ଼ିଶାରେ ସବୁଆଡ଼େ ନବୀନ ହାୱା ବହୁଛି। ତିନି ଚତୁର୍ଥାଂଶ ବହୁମତରେ ଆସି ନବୀନ ବାବୁ ଯଦି ମୁଖ୍ୟମନ୍ତ୍ରୀ ନ ହେବେ ସେ ରାଜନୀତି ଛାଡ଼ିଦେବେ। ହେଲେ କେନ୍ଦ୍ରମନ୍ତ୍ରୀ କହିପାରିବେ କି ଯଦି ତାଙ୍କ ଦଳ ନ ଆସିବ, ସେ ରାଜନୀତି ଛାଡ଼ିଦେବେ? ଜୁନ ୯ରେ ଦିନ ୧୧.୩୦ ରୁ ୧.୩୦ ମଧ୍ୟରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏବଂ ସନ୍ଧ୍ୟାବେଳେ ନିର୍ବାଚନ ଇସ୍ତାହାରକୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ପାସ୍‍ କରିବେ। ଏହି ଅବସରରେ ସ୍ଥାନୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ସେ ଭୋଟ୍ ମାଗିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    86 %
    1.4kmh
    3 %
    Tue
    30 °
    Wed
    30 °
    Thu
    29 °
    Fri
    30 °
    Sat
    31 °

    ସମ୍ବନ୍ଧିତ