Saturday, April 4, 2026
29 C
Odisha

    ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଲାଙ୍ଗୀର ଓ ବରଗଡ଼ରେ ନିର୍ବାଚନ ପ୍ରଚାର

    ଆଗକୁ ପଢନ୍ତୁ

    ବଲାଙ୍ଗୀର/ବରଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବଲାଙ୍ଗୀର ଓ ବରଗଡ଼ ଜିଲ୍ଲା ଗସ୍ତରେ ଆସୁଛନ୍ତି। ବଲାଙ୍ଗୀର ସହର ଉପକଣ୍ଠ ପଥରଚେପାଠାରେ ସେ ଜନସଭାକୁ ସମ୍ବୋଧିତ କରିବେ। ଏଥିପାଇଁ ପୁଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ଏବଂ ବରିଷ୍ଠ ପୁଲିସ୍‌ ଅଧିକାରୀ ସମ‌ାବେଶସ୍ଥଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ଏବଂ ୨ଶହ ଜଣ ପୁଲିସ୍‌ ଅଧିକାରୀ ଦାୟିତ୍ବରେ ରହିବେ। ପୂର୍ବରୁ ବାୟୁସେନାର ହେଲିକପ୍ଟର ହେଲିପ୍ୟାଡ୍‌ରେ ଅବତରଣ ଅଭ୍ୟାସ କରିସାରିଛି। ଅନ୍ୟପକ୍ଷରେ ମୋଦୀଙ୍କ ଏହି ଗସ୍ତକୁ ନେଇ ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀର ସବୁ ଦଳୀୟ ପ୍ରାର୍ଥୀ ଉତ୍ସାହିତ ଅଛନ୍ତି। ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦୀ ଆସି ପ୍ରଚାର ଅଭିଯାନରେ ସାମିଲ ହେଉଥିବାରୁ ବିଜେପି ନିଜ ବିଜୟ ଆଶା ବଢ଼ାଇ ଦେଇଛି। ସୂଚନା ମୁତାବକ, ଦିନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟ‌ରରେ ଏଠାରେ ଅବତରଣ କରିବେ। ଘଣ୍ଟାଏ ଅବଧିର କାର୍ଯ୍ୟକ୍ରମ ପରେ ସେ ବରଗଡ଼ ଅଭିମୁଖେ ଯିବେ।
    ବରଗଡ଼ ସହର ନିକଟ ବରାହାଗୁଡ଼ା ବିକାଶ ଭିନ୍‌ଟେଜ୍‌ ପଡ଼ିଆରେ ଦିନ ୧ଟାରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିବେ। ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨ଟା ୩୫ ଯାଏଁ ସେ ବରଗଡ଼ରେ ରହିବେ। ଏଠାରୁ ସେ ଝାରସୁଗୁଡ଼ା ଅଭିମୁଖେ ଯିବେ। ସେଠାରୁ ବିମାନରେ ଫେରିଯିବେ ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହେଲିପ୍ୟାଡ୍‌ରୁ ନେଇ ସେ ଯେଉଁ ରାସ୍ତାରେ ସଭାସ୍ଥଳକୁ ଆସିବେ ପୂରା ସୁରକ୍ଷା ବ୍ୟବସ୍ଥା ସବୁଠି କରାଯାଇଥିବା ନେଇ ନର୍ଥ ସେଣ୍ଟ୍ରାଲ ଆଇଜି ସତ୍ୟବ୍ରତ ଭୋଇ ଓ ବରଗଡ଼ ଏସ୍‌ପି ପ୍ରହଲ୍ଲାଦ ସହାୟ ମୀନା ସୂଚନା ଦେଇଛନ୍ତି। ୨୦୦ ଅଫିସର ଏବଂ ୨୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ସୂଚନା ମିଳିଛି। ଏସ୍‌ପିଙ୍କ କହିବାନୁସାରେ, ୫ ଜଣ ଏସ୍‌ପି, ୪ ଜଣ ଆଡିସିନାଲ ଏସ୍‌ପି, ୧୨ ଜଣ ଡିଏସ୍‌ପି, ୧୮୦ ଇନସ୍ପେକ୍ଟରଙ୍କ ସମେତ ୨୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ୩୦୦ ହୋମଗାର୍ଡ ମଧ୍ୟ ମୁତୟନ ରହିବେ। ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଛି ବୋଲି ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ