Tuesday, March 31, 2026
25.7 C
Odisha

    ବ୍ୟକ୍ତିଗତ ଡାଏରିରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଥିବା ମହାତ୍ମା ଗାନ୍ଧୀଙ୍କ ବାଣୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଜି ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଫିସିଆଲ୍‌ ଆର୍କାଇଭ୍‌ରେ ମୋଦୀ ବ୍ୟକ୍ତିଗତ ଡାଏରିରେ ଲେଖିଥିବା କେତୋଟି ଗାନ୍ଧୀବାଣୀ ରିଲିଜ୍‌ କରାଯାଇଛି। ଏ ସଂକ୍ରାନ୍ତରେ ‘ଏକ୍ସ’ କରିଥିବା ପୋଷ୍ଟ୍‌ରେ ମୋଦୀ ଆର୍କାଇଭ୍‌ ଲେଖିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ଡାଏରିରୁ ଆମେ ଆପଣମାନଙ୍କ ପାଇଁ କ‌େତୋଟି ପୃଷ୍ଠା ଆଣିଛୁ। ଯେଉଁଥିରୁ ଜଣାପଡୁଛି, ସେ ଗାନ୍ଧୀଙ୍କ ବାଣୀକୁ ଖାଲି ବ୍ୟାପକ ଭାବେ ପଢ଼ି ନାହାନ୍ତି, ପ୍ରେରିତ ହେବା ଭଳି କେତୋଟି ମୂଲ୍ୟବାନ ବାଣୀ ତାଙ୍କ ବ୍ୟକ୍ତିଗତ ଡାଏରିରେ ମଧ୍ୟ ଲିପିବଦ୍ଧ କରିଛନ୍ତି। ପରବର୍ତ୍ତୀ ସମୟରେ ଏହି ବାଣୀ ସବୁ ତାଙ୍କର ପଥ ପ୍ରଦର୍ଶକ ହୋଇଛି।

    ଡାଏରିରେ ପ୍ରଧାନମନ୍ତ୍ରୀ ଟିପି ଥିବା କେତୋଟି ଗାନ୍ଧୀବାଣୀ:

    ୧. କାହା ଉପରେ କର୍ତ୍ତୃତ୍ବ ଜାହିର କରିବାକୁ ମୋ ନିକଟରେ ପ୍ରେମ ଛଡ଼ା କୌଣସି ଅସ୍ତ୍ର ନାହିଁ।

    ୨. ଅହିଂସା ହେଉଛି ମୋର ଅତ୍ୟନ୍ତ ସକ୍ରିୟ ବଳ। ସେଥିରେ କାପୁରୁଷତା କି, ଦୁର୍ବଳତାର ସ୍ଥାନ ନାହିଁ। ଜଣେ ହିଂସ୍ର ମଣିଷ ଦିନେ ଅହିଂସା ଆଦରିବ ବୋଲି ଆଶା ଅଛି, କିନ୍ତୁ କାପୁରୁଷ ପାଇଁ କୌଣସି ପ୍ରତ୍ୟାଶା ନାହିଁ।

    ୩. ଦୁନିଆରେ ମଣିଷର ଆବଶ୍ୟକତା ପାଇଁ ଯଥେଷ୍ଟ ଜିନିଷ ଅଛି, କିନ୍ତୁ ମଣିଷର ଲୋଭ ପାଇଁ କିଛି ନାହିଁ।

    ୪. ଯଦି ରକ୍ତପାତ ଚାହଁ, ନିଜ ରକ୍ତପାତ କର। ହତ୍ୟା ନ କରି ମୃତ୍ୟୁବରଣ କରିବାର ନିଶ୍ଚଳ ସାହସ ଶିଖନ୍ତୁ।

    ଉଲ୍ଲେଖଯୋଗ୍ୟ, ଆଜି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଗାନ୍ଧୀଜୀଙ୍କ ପ୍ରତି ସାମାଜିକ ଗଣମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ‘ଏକ୍ସ’ ପୋଷ୍ଟ୍‌ରେ ସେ ଲେଖିଛନ୍ତି, ପୂଣ୍ୟ ତିଥିରେ ପୂଜ୍ୟ ବାପୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଆମ ଦେଶ ଲାଗି ସହିଦ ହୋଇ ଥିବା ଅନ୍ୟ ସମସ୍ତଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ସେମାନଙ୍କ ଆତ୍ମବଳି ଆମକୁ ଜନସେବା ସହିତ ଜାତି ପ୍ରତି ଥିବା ସେମାନଙ୍କର ଅଭିଳାଷ ପୂରଣ କରିବା ଲାଗି ପ୍ରେରିତ କରୁଛି।

    ସୂଚନାଯୋଗ୍ୟ, ୧୯୪୮ ମସିହା ଆଜି ଦିନରେ ଗାନ୍ଧୀଜୀଙ୍କୁ ନାଥୁରାମ ଗଡସେ ଗୁଳି ମାରି ହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ବାର୍ଷିକକୁ ସହିଦ ଦିବସ ଭାବେ ପାଳନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    48 %
    1.3kmh
    1 %
    Tue
    38 °
    Wed
    39 °
    Thu
    41 °
    Fri
    39 °
    Sat
    39 °

    ସମ୍ବନ୍ଧିତ