Wednesday, September 16, 2026
25 C
Odisha

    ଆମେରିକାରେ ବିଜେପି ଉପରେ ବର୍ଷିଲେ ରାହୁଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆମେରିକାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ କଡ଼ା ସମାଲୋଚନା କରିଛନ୍ତି। ଟେକ୍ସାସ ବିଶ୍ବବିଦ୍ୟାଳୟ ଏବଂ ‌ଟେକ୍ସାସରେ ବସବାସ କରୁଥିବା ଭାରତୀୟମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ରାହୁଲ କହିଛନ୍ତି, ଆର୍‌ଏସ୍‌ଏସ୍‌ ଭାରତକୁ ଗୋଟିଏ ଚିନ୍ତାଧାରାରେ ଦେଖୁଥିବା ବେଳେ କଂଗ୍ରେସ ଭାରତକୁ ଏକାଧିକ ଚିନ୍ତାଧାରାରେ ଦେଖୁଛି। ଏହା ହିଁ ଆମର ଲଢ଼େଇ ବୋଲି ସେ କହିଛନ୍ତି।
    ରାହୁଲ କହିଛନ୍ତି ଯେ ବିଜେପି ଆମ ସମ୍ବିଧାନ, ଭାଷା ଓ ସଂସ୍କୃତିକୁ ନଷ୍ଟ କରୁଛି। ଗତ ଲୋକସଭା ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରି ପାରି ନଥିବା ବିଷୟ ଦର୍ଶାଇ ରାହୁଲ କହିଛନ୍ତି ନିର୍ବାଚନ ପରେ ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିକୁ ଭୟ କରିବା ଛାଡ଼ି ଦେଇଛନ୍ତି। ଭାରତର ଶ୍ରମଶକ୍ତିରେ ମହିଳାମାନଙ୍କ ଅଂଶଗ୍ରହଣ କମ୍‌ ବୋଲି ଛାତ୍ରମାନେ ପଚାରିଥିଲେ। ଏହାର ଉତ୍ତରରେ ରାହୁଲ କହିଥିଲେ ଭାରତୀୟ ମହିଳାମାନଙ୍କ ପ୍ରତି ପୁରୁଷମାନଙ୍କର ‘ଖରାପ ମନୋଭାବ’ ରହିଛି। ପୁରୁଷମାନଙ୍କ ସଂପର୍କରେ ଆମେ ଯେଭଳି ଚିନ୍ତା କରୁଛୁ ମହିଳାମାନଙ୍କ ପ୍ରତି ମଧ୍ୟ ସମାନ ଭାବରେ ଚିନ୍ତା କରିବା ଆବଶ୍ୟକ। ମହିଳାଙ୍କ ପ୍ରତି ମନୋଭାବ ମଧ୍ୟ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ଏକ ଆଦର୍ଶଗତ ଲଢ଼େଇ ବୋଲି ସେ କହିଥିଲେ। ବିଜେପି ଓ ଆର୍‌ଏସ୍‌ଏସ୍‌ ଚିନ୍ତା କରନ୍ତି ଯେ ମହିଳାମାନେ ଘରେ ରହିବେ, ରୋଷେଇ କରିବେ। ସେମାନେ ବେଶି କଥା କହିବେ ନାହିଁ। କିନ୍ତୁ ଆମେ ବିଶ୍ବାସ କରୁ ମହିଳାମାନେ ଯାହା ହେବାକୁ ଅଭିଳାଷ ରଖିଛନ୍ତି ତାହା ସେମାନଙ୍କୁ କରିବାକୁ ଦିଆଯିବା ଉଚିତ। ସେହିଭଳି ଚୀନ୍‌ କିଭଳି ବିଶ୍ବର ଉତ୍ପାଦନ କେନ୍ଦ୍ର ପାଲଟି ବେକାରୀ ସମସ୍ୟାର ସମାଧାନ କରିପାରିଛି ତାହା କହିଥିଲେ।

    ରାହୁଲଙ୍କ ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଯେ ଜଣେ ଦେଶଦ୍ରୋହୀ ଆର୍‌ଏସ୍‌ଏସ୍‌କୁ ବୁଝି ପାରିବେ ନାହିଁ। ଆର୍‌ଏସ୍‌ଏସ୍‌ର ମୂଲ୍ୟବୋଧ ଓ ସଂସ୍କୃତିକୁ ବୁଝିବା ପାଇଁ ରାହୁଲଙ୍କୁ ଅନେକ ଜନ୍ମ ନେବାକୁ ପଡିବ। ଯଦି ତାଙ୍କ ଜେଜେମା’ଙ୍କ ପାଖକୁ ଯାଇ ଆର୍‌ଏସ୍‌ଏସ୍‌ର ଭୂମିକା ବିଷୟରେ ପଚାରିବା ପାଇଁ କୌଣସି ଟେକ୍ନୋଲୋଜି ଅଛି, ତେବେ ଯାଇ ପଚାରନ୍ତୁ, ନ ହେଲେ ଇତିହାସର ପୃଷ୍ଠା ଦେଖନ୍ତୁ। ଯେଉଁମାନେ ବିଦେଶ ଯାଇ ଦେଶକୁ ସମାଲୋଚନା କରୁଛନ୍ତି ସେମାନେ ଆର୍‌ଏସ୍‌ଏସ୍‌କୁ ଜାଣିପାରିବେ ନାହିଁ। କେବଳ ଭାରତକୁ ବଦନାମ କରିବା ପାଇଁ ରାହୁଲ ଗାନ୍ଧୀ ବିଦେଶ ଯାଉଛନ୍ତି। ଭାରତର ମୂଲ୍ୟବୋଧ ଓ ସଂସ୍କୃତିରୁ ଆର୍‌ଏସ୍‌ଏସ୍‌ ଜନ୍ମ ନେଇଛି। ଲୋକସଭା ନିର୍ବାଚନରେ ‘ଯୁବରାଜ’ ରାହୁଲ ଗାନ୍ଧୀଙ୍କ ନେତୃତ୍ବାଧୀନ ଦଳକୁ ଦେଶ ତୃତୀୟ ଥର ପାଇଁ ପ୍ରତ୍ୟାଖ୍ୟାନ କରିଛି ବୋଲି ଗିରିରାଜ କହିଛନ୍ତି। ରାହୁଲ ବିଦେଶ ଯାଇ ଭାରତକୁ ଗାଳି ଗୁଲଜ କରିବା ସହ ଶତ୍ରୁଦେଶ ଚୀନ୍‌ର ପ୍ରଶଂସା କରୁଛନ୍ତି। ଭାରତ ବାହାରକୁ ଯାଇ ଭାରତକୁ ସମାଲୋଚନା କରୁଥିବା ଲୋକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଉଚିତ ବୋଲି ଗିରିରାଜ କହିଛନ୍ତି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ନଳିନୀ କୋହଲି ମଧ୍ୟ ରାହୁଲଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସେ ତାଙ୍କ ଶବ୍ଦକୁ ଏପରି ଭାବରେ ଚୟନ କରନ୍ତୁ ଯାହା ସଠିକ୍ ଚିତ୍ର ପ୍ରଦାନ କରିବ।

    ଦେଶର ଗୌରବମୟ ଅତୀତ ସହିତ ରାହୁଲ ନିଜକୁ ଯୋଡ଼ିବାକୁ ଚାହୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ମଧ୍ୟ ରାହୁଲଙ୍କୁ ସମାଲୋଚନା କରି କହିଛନ୍ତି ଯେ ତାଙ୍କ ପରିବାର ଜରୁରିକାଳୀନ ପରିସ୍ଥିତି ଜାରି କରିବା ଏବଂ ସାମ୍ବିଧାନିକ ଅଧିକାରକୁ ଦମନ କରିଥିବାରୁ ତାଙ୍କର ‘ଆଇଡିଆ ଅଫ୍ ଇଣ୍ଡିଆ’ ଉପରେ ପରାମର୍ଶ ଦେବାରେ ଅଧିକାର ନାହିଁ। ଜରୁରିକାଳୀନ ପରିସ୍ଥିତି ପରେ ତାଙ୍କ ପରିବାର ଓ ଦଳ ଥରେ ‘ଇଣ୍ଡିଆ ଇଜ୍ ଇନ୍ଦିରା’ ଏବଂ ‘ଇନ୍ଦିରା ଇଜ୍ ଇଣ୍ଡିଆ’ ବୋଲି ଘୋଷଣା କରିଥିଲେ। ଇନ୍ଦିରା ଗାନ୍ଧୀଙ୍କ ସହ ଭାରତକୁ ତୁଳନା କରିଥିବାରୁ ସେମାନେ କ୍ଷମା ମାଗିବା ଦରକାର। ବିମାନବନ୍ଦରରେ ରାହୁଲଙ୍କୁ ଇଣ୍ଡିଆନ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ସାମ୍ ପିଟ୍ରୋଡ଼ା ଓ ପ୍ରବାସୀ ଭାରତୀୟମାନେ ସ୍ୱାଗତ କରିଥିଲେ। ରାହୁଲ ଆଉ ‘ପପୁ’ ହୋଇ ରହିନାହାନ୍ତି ବୋଲି ପିଟ୍ରୋଡ଼ା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25 ° C
    25 °
    25 °
    88 %
    1.3kmh
    40 %
    Wed
    25 °
    Thu
    32 °
    Fri
    32 °
    Sat
    31 °
    Sun
    30 °

    ସମ୍ବନ୍ଧିତ