Friday, April 3, 2026
29.7 C
Odisha

    ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି, ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ସରିବ କାମ

    ଆଗକୁ ପଢନ୍ତୁ

    ଭାରତୀୟ ପ୍ରତ୍ନତତ୍ତ୍ୱ ଗବେଷଣା ସଂସ୍ଥା (ଏଏସ୍‌ଆଇ) ପୁରୀ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ ଆସନ୍ତା ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଶେଷ କରିବ। ଏହି ସମୟ ମଧ୍ୟରେ କାମ ସମ୍ପୂର୍ଣ୍ଣ କରାଯାଇ ଶ୍ରୀମନ୍ଦିର ପ୍ରଶାସନକୁ ଦାୟିତ୍ୱ ହସ୍ତାନ୍ତର କରାଯିବ ବୋଲି ଏଏସ୍‌ଆଇ ପୁରୀ ସର୍କଲ୍‌ର ସୁପରିଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଡ. ଦିବିଶାଦ ବ୍ରଜସୁନ୍ଦର ଗଡ଼ନାୟକ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଡ. ଗଡ଼ନାୟକଙ୍କ କହିବାନୁସାରେ, ଜାନୁଆରୀ ୧୦ ତାରିଖରେ ନାଟମଣ୍ଡପ ମରାମତି ପାଇଁ ଗଠିତ କୋର୍‌ କମିଟି ଏବଂ ଏଏସ୍‌ଆଇର ମିଳିତ ବୈଠକ ବସି ନାଟମଣ୍ଡପ ବିମ୍‌ ଡିଜାଇନ୍‌ ଚୂଡ଼ାନ୍ତ ହୋଇଥିଲା।

    ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନାଟମଣ୍ଡପ ସଂରକ୍ଷଣ କାମ ଅବିରତ ଚାଲିଛି। ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ନାଟମଣ୍ଡପ ମରାମତି କାର୍ଯ୍ୟ ସାରିବା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ତେବେ ଏଏସ୍‌ଆଇ ତା’ ପୂର୍ବରୁ ଏହି କାମ ଶେଷ କରିବାକୁ ଆଶା ରଖିଥିବା ସେ କହିଛନ୍ତି। ପ୍ରତ୍ୟହ ଅପରାହ୍ନ ୧ଟାରୁ ସନ୍ଧ୍ୟା ୭ଟା ଯାଏ ମରାମତି କାର୍ଯ୍ୟ କରାଯିବ। ଏହି ମରାମତି ପାଇଁ ସପୋର୍ଟ ସିଷ୍ଟମ କାର୍ଯ୍ୟ ଶୁକ୍ରବାରଠାରୁ ଆରମ୍ଭ ହେବ। ସେବାୟତ ଓ ମନ୍ଦିର ପ୍ରଶାସନର ମିଳିତ ବୈଠକରେ ଏନେଇ ଆଲୋଚନା କରାଯାଇଛି ବୋଲି ଗଡ଼ନାୟକ କହିଛନ୍ତି।

    ସୂଚନା ଅନୁସାରେ, ହାଇକୋର୍ଟ ଗତ ନଭେମ୍ବର ୧୫ ତାରିଖ ଶୁଣାଣିରେ ନାଟମଣ୍ଡପ ମରାମତି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ନିମନ୍ତେ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମରାମତି କାର୍ଯ୍ୟ ଦିନକୁ ୬ ଘଣ୍ଟା ଲେଖାଏ କରି ୧୨୦ ଦିନରେ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆମିକସ୍‌କ୍ୟୁରି ଏହି କାମର ଅନୁଧ୍ୟାନ କରି ପ୍ରତି ୧୫ ଦିନରେ ହାଇକୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିବେ। ଶ୍ରୀମନ୍ଦିର ପ୍ରଶାସନ ଏଏସ୍‌ଆଇକୁ ଏଥିପାଇଁ ସହଯୋଗ ଯୋଗାଇ ଦେବ। ଏଥିସହ ଶ୍ରଦ୍ଧାଳୁମାନେ ଯେପରି ଦିଅଁ ଦର୍ଶନ କରିବା ନେଇ ଅସୁବିଧାରେ ନ ପଡ଼ନ୍ତି ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିବ। ନାଟମଣ୍ଡପ ମରାମତି ଓ ଶ୍ରଦ୍ଧାଳୁ ଦର୍ଶନ ଉଭୟ କାର୍ଯ୍ୟ ଠିକ୍‌ ଭାବେ ହେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଉଭୟଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବ ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    34 %
    2.3kmh
    77 %
    Fri
    30 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ