Sunday, October 18, 2026
29.7 C
Odisha

    ରୋହିତ ଓପନିଂକୁ ଫେରିବା ଦରକାର କି?

    ଆଗକୁ ପଢନ୍ତୁ

    ଆଡିଲେଡ୍: ଆଡିଲେଡ୍ ଟେଷ୍ଟ୍‌ରେ ଘରୋଇ ଅଷ୍ଟ୍ରେଲିଆଠାରୁ ଲଜ୍ଜାଜନକ ପରାଜୟ ପରେ ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟର୍‌ ଓ ବ୍ୟାଟିଂକ୍ରମକୁ ନେଇ ତର୍କବିତର୍କ ଆରମ୍ଭ ହୋଇଯାଇଛି। ବିଶେଷ କରି ଅଧିନାୟକ ରୋହିତ ଶର୍ମା ନିଜ ନିୟମିତ ସ୍ଥାନ ‘ଓପନିଂ’ ଛାଡ଼ି ଷଷ୍ଠ ସ୍ଥାନରେ ଖେଳିବା ଏବଂ ଉଭୟ ପାଳିରେ ଶୋଚନୀୟ ଭାବେ ବିଫଳ ହେବାକୁ ଅନେକ କ୍ରିକେଟ୍ କିଂବଦନ୍ତି ପସନ୍ଦ କରି ନାହାନ୍ତି। ଏଣୁ ୧୪ ତାରିଖରୁ ବ୍ରିସବେନ୍‌ରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ୍‌ରେ ରୋହିତ ତାଙ୍କ ପୁରୁଣା ସ୍ଥାନକୁ ଫେରିବାକୁ ସୁନୀଲ ଗାଭାସ୍କରଙ୍କ ଭଳି ମହାନ କ୍ରିକେଟର୍‌ ଆହ୍ବାନ କରିଛନ୍ତି। ପୂର୍ବତନ କ୍ରିକେଟର୍‌ ରବି ଶାସ୍ତ୍ରୀ ମଧ୍ୟ ତାଙ୍କୁ ସମର୍ଥନ କରିଛନ୍ତି। ଏହା ପରେ ରୋହିତ ଓପନିଂ ସ୍ଥାନକୁ ଫେରିବା ଦରକାର ନା ନାହିଁ, ସେ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ‌ହୋଇଯାଇଛି।

    ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍ (ଡବଲ୍ୟୁଟିସି) ଫାଇନାଲ୍ ଖେଳିବା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ମୁକାବିଲାରେ ହିଟ୍ ମ୍ୟାନ୍ ରୋହିତ ଖେଳି ପାରି ନଥିଲେ। ପୁତ୍ର ସନ୍ତାନର ଜନ୍ମ ପାଇଁ ପତ୍ନୀ ରିତିକାଙ୍କ ନିକଟରେ ରହିବାକୁ ବାଧ୍ୟ ହୋଇଥିଲେ। ଆଡିଲେଡ୍‌ରେ ଗୋଲାପି ବଲ୍‌ରେ ଖେଳା ଯାଇଥିବା ଦିବା-ରାତ୍ର ଟେଷ୍ଟ୍‌ରେ ଦଳକୁ ଫେରିଥିଲେ। ପର୍ଥ ଟେଷ୍ଟ୍‌ରେ ଭଲ କରିଥିବାରୁ କେଏଲ୍ ରାହୁଲ ଓ ଯଶସ୍ବୀ ଜୟସ୍ବାଲଙ୍କୁ ପାଳି ଆରମ୍ଭ କରିବାର ସୁଯୋଗ ଦେଇ ନିଜେ ମଧ୍ୟକ୍ରମରେ ଖେଳିଥିଲେ। ରୋହିତ ନିଜ ଓପନିଂ ସ୍ଥାନକୁ ତ୍ୟାଗ କରିଥିଲେ ମଧ୍ୟ ରାହୁଲ ଗୋଲାପି ବଲ୍‌ରେ ସେମିତି କିଛି ଆଖି ଦୃଶିଆ ପ୍ରଦର୍ଶନ କରି ନଥିଲେ। ନିଜ ବ୍ୟାଟିଂକ୍ରମ ବିଗିଡ଼ିବା ପରେ ରୋହିତ ପ୍ରଥମ ପାଳିରେ ୩ ଏବଂ ଦ୍ବିତୀୟରେ ମାତ୍ର ୬ ରନ୍ କରିଥିଲେ। ଯାହା ପରାଜୟର ପ୍ରମୁଖ କାରଣ ହୋଇଥିଲା। ଗାଭାସ୍କରଙ୍କ ଭଳି ପୂର୍ବତନ ଭାରତୀୟ ଅଧିନାୟକ, ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ତାଙ୍କୁ ଶୀର୍ଷକ୍ରମକୁ ଫେରିବାକୁ ପରାମର୍ଶ ଦେଇଛନ୍ତି। ଶାସ୍ତ୍ରୀ କହିଛନ୍ତି, ରୋହିତଙ୍କୁ ମୁଁ ଶୀର୍ଷକ୍ରମରେ ଦେଖିବାକୁ ଚାହେ। ‌ଶୀର୍ଷକ୍ରମରେ ହିଁ ସେ ଅଧିକ ଆକ୍ରମଣାତ୍ମକ ଓ ପ୍ରତିକ୍ରିୟାଶୀଳ ହୋଇପାରିବେ। ଆଡିଲେଡ୍‌ ଟେଷ୍ଟ୍‌ରେ ତାଙ୍କ ଶାରୀରିକ ଭାଷାକୁ ଦେଖି ମୁଁ କହି ପାରିବି ଯେ ସେ ମାତ୍ରାଧିକ ରକ୍ଷଣାତ୍ମକ ଖେଳ ଖେଳୁଥିଲେ। ଏହି କାରଣରୁ ହିଁ ସେ ଅଧିକ ରନ୍ କରି ପାରି ନଥିଲେ। କାରଣ ମୁଁ ଭାବୁଛି ଯେ ପିଚ୍‌ରେ ସେମିତି କିଛି ନଥିଲା। ମୁଁ ତାଙ୍କୁ ଅଧିକ ଚଳଚଞ୍ଚଳ ଓ ଆକ୍ରମକ ମୁଦ୍ରାରେ ଦେଖିବାକୁ ପସନ୍ଦ କରିବି।

    ରାହୁଲ ପଞ୍ଚମ କିମ୍ବା ଷଷ୍ଠରେ ବ୍ୟାଟିଂ କଲେ ଭଲ: ଗାଭାସ୍କର
    ରୋହିତଙ୍କୁ ଆକ୍ରମଣାତ୍ମକ ମୁଦ୍ରାରେ ଦେଖିବାକୁ ଚାହେ: ଶାସ୍ତ୍ରୀ

    ଆଡିଲେଡ୍ ପରାଜୟ ପରେ ରୋହିତ ମଧ୍ୟ ନିମ୍ନକ୍ରମରେ ଖେଳିବା ଏକ ଭୁଲ୍ ନିଷ୍ପତ୍ତି ଥିଲା ବୋଲି ସ୍ବୀକାର କରିଥିଲେ। ତେବେ ପର୍ଥର ବିଜୟୀ ଦଳରେ ବିଶେଷ ଅଦଳବଦଳ କରିବାକୁ ଚାହୁ ନଥିବାରୁ ଏଭଳି ନିଷ୍ପତ୍ତି ନେଇଥିଲେ ବୋଲି ସୂଚନା ଦେଇଥିଲେ। ସୂଚନାଯୋଗ୍ୟ ଯେ ରୋହିତ ୬ ବର୍ଷ ପରେ ଟେଷ୍ଟ୍ କ୍ରିକେଟ୍‌ରେ ମଧ୍ୟ୍ୟକ୍ରମରେ ଖେଳିଥିଲେ। ଶେଷ ଥର ପାଇଁ ସେ ୨୦୧୮ ମସିହାରେ ଓପନିଂ ଛଡ଼ା ଅନ୍ୟ ସ୍ଥାନରେ ଖେଳିଥିଲେ। ଗାଭାସ୍କର କହିଛନ୍ତି, ରୋହିତ ତାଙ୍କ ନିୟମିତ ସ୍ଥାନକୁ ଫେରିଯିବା ଉଚିତ। ଆମେ ମଧ୍ୟ ମନେ ରଖିବା ଦରକାର ଯେ ରାହୁଲ କାହିଁକି ପାଳି ଆରମ୍ଭ କରିଥିଲେ। ରୋହିତ ପ୍ରଥମ ଟେଷ୍ଟ୍ ପାଇଁ ଉପଲବ୍ଧ ନଥିବାରୁ ତାଙ୍କୁ ଏହି ଦାୟିତ୍ବ ମିଳିଥିଲା। ଦ୍ବିତୀୟ ଟେଷ୍ଟ୍‌ରେ ତାଙ୍କୁ ଓପନର୍ ଭାବେ ଖେଳାଇବା ପଛର ଉଦ୍ଦେଶ୍ୟ ବୁଝି ହେଉଛି। କାରଣ ପର୍ଥରେ ସେ ଜୟସ୍ବାଲଙ୍କ ସହ ମିଶି ୨୦୦ରୁ ଅଧିକ ରନ୍‌ର ଭାଗୀଦାରି କରିଥିଲେ। ହେଲେ ଆଡିଲେଡ୍‌ରେ ସେ ଭଲ ଖେଳି ପାରି ନଥିଲେ। ରାହୁଲ ତାଙ୍କ ନିୟମିତ ସ୍ଥାନ ପଞ୍ଚମ କିମ୍ବା ଷଷ୍ଠକୁ ଫେରିଲେ ଭଲ ହେବ  ବୋଲି ମୁଁ ଭାବୁଛି। ଯଦି ରୋହିତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳନ୍ତି, ତାହେଲେ ରୋ‌ହିତଙ୍କ ପାଖରେ ପରବର୍ତ୍ତୀ ସମୟରେ ବଡ଼ ଶତକ ଅର୍ଜନ କରିବାର ସୁଯୋଗ ରହିବ। ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍ ଡୋଡ଼ା ଗଣେଶ କିନ୍ତୁ ବ୍ରିସବେନ୍‌ରେ ପାଳି ଆରମ୍ଭ ନକରିବାକୁ ରୋହିତଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ରୋହିତଙ୍କ ଆତ୍ମବିଶ୍ବାସ ଏବେ ସର୍ବନିମ୍ନ ସ୍ତରରେ ରହିଛି। ଗତ ୬ଟି ଟେଷ୍ଟ୍‌ରେ ସେ ଭଲ କରି ନାହାନ୍ତି। ଏଣୁ ପାଳି ଆରମ୍ଭ କଲେ ଅଷ୍ଟ୍ରେଲିଆ ବୋଲରଙ୍କ ପାଇଁ ସେ ସହଜ ଶିକାର ହେବେ।

    ସିରାଜ ଦଣ୍ଡିତ, ହେଡ୍‌ଙ୍କୁ ଡିମେରିଟ୍ ପଏଣ୍ଟ୍
    ଆଡିଲେଡ୍ ଟେଷ୍ଟ୍ ଅବସରରେ ଅଷ୍ଟ୍ରେଲିଆ ବ୍ୟାଟର୍ ଟ୍ରାଭିସ୍ ହେଡ୍ ଓ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରିଥିଲେ। ଏପରିକି ପରସ୍ପରକୁ ପଡ଼ିଆ ଭିତରେ ଗାଳିଗୁଲଜ ଓ ଅପମାନିତ କରିବାକୁ ପଛାଇ ନଥିଲେ। ଏହି ଘଟଣା ବେଶ୍ ଆଲୋଡ଼ନ ବି ସୃଷ୍ଟି କରିଥିଲା। ଏବେ ଏହାକୁ ନେଇ ଆଇସିସି ମ୍ୟାଚ୍‌ ରେଫରି ରଞ୍ଜନ ମଦୁଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସିରାଜ ଏହି ଘଟଣା ଲାଗି ନିଜ ମ୍ୟାଚ୍‌ ପାଉଣାର ୨୦ ପ୍ରତିଶତ ହରାଇଛନ୍ତି। ସେହିଭଳି ଉଭୟ ସିରାଜ୍ ଓ ହେଡ୍ ନିଜ ନିଜ ଶୃଙ୍ଖଳା ତାଲିକାରେ ଗୋଟିଏ ଲେଖାଏଁ ଡି’ ମେରିଟ୍ ପଏଣ୍ଟ୍‌ ପାଇଛନ୍ତି। ମଦୁଗଲେଙ୍କ ଶୁଣାଣି ବେଳେ ଉଭୟ ଖେଳାଳି ନିଜିନିଜ ଦୋଷ ମାନିନେବା ସହ ଦଣ୍ଡବିଧାନକୁ ମଧ୍ୟ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଯେ ହେଡ୍‌ଙ୍କୁ ୧୪୦ ରନ୍‌ରେ ଆଉଟ୍ କରିବା ପରେ ସିରାଜ ତାଙ୍କୁ ତୁରନ୍ତ କ୍ରିଜ୍ ଛାଡ଼ିବାର ଉଗ୍ର ସଙ୍କେତ ଦେଇଥିଲେ। ହେଡ୍ ମଧ୍ୟ ତାଙ୍କୁ ପାଲଟା ଗାଳି କରିଥିଲେ। ମ୍ୟାଚ୍ ପରେ ଅବଶ୍ୟ ଉଭୟ ଖେଳାଳି ପରସ୍ପରକୁ ଆଲିଙ୍ଗନ କରି ପଛ କଥା ଭୁଲି ଯାଇଥିଲେ। ହେଲେ କ୍ରିକେଟ୍‌ର ଭାବନା ଓ ଖେଳାଳିଙ୍କ ଆଚରଣ ସଂହିତା ଉଲ୍ଲଂଘନ କରିଥିବାରୁ ଆଇସିସି ସେମାନଙ୍କୁ ଦଣ୍ଡିତ କରି ଉଦାହରଣ ସୃଷ୍ଟି କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.7 ° C
    29.7 °
    29.7 °
    59 %
    1.5kmh
    83 %
    Sun
    29 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ