Thursday, April 2, 2026
25.4 C
Odisha

    ୭୦ ଦଶକର କ୍ରିକେଟ୍‌ ପଡ଼ିଆ ଏବେ ଅଛୁଆଁ: ରଣଜୀ ମ୍ୟାଚ୍‌ ଆୟୋଜନରେ ଇସ୍ପାତ ଷ୍ଟାଡିୟମକୁ ଅବହେଳା

    ଆଗକୁ ପଢନ୍ତୁ

    ରାଉରକେଲା: ଜାନୁଆରି ୫ ତାରିଖରୁ ୨୦୨୩-୨୪ ରଣଜୀ ଋତୁ ଆରମ୍ଭ ହେବ। ଦେଶର ୫୦ଟି ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ। ତେବେ ରାଜ୍ୟର ତୃତୀୟ ପୁରାତନ ରାଉରକେଲା ଇସ୍ପାତ ଷ୍ଟାଡିୟମ ଭାଗରେ ଗୋଟିଏ ବି ମ୍ୟାଚ୍‌ ମିଳିନି। ଶେଷ ଥର ପାଇଁ ୧୯୯୮ ମସିହାରେ ଏଠାରେ ରଣଜୀ ମ୍ୟାଚ୍‌ ଖେଳାଯାଇଥିଲା। ସେବେଠାରୁ କିନ୍ତୁ ରଣଜୀ ମ୍ୟାଚ୍‌ ଆୟୋଜନ କରିବାରେ ଆଉ ରାଉରକେଲାର ଭାଗ୍ୟ ଫିଟିନି। ଗତ ୨୬ ବର୍ଷ ହେଲା ରାଉରକେଲାବାସୀ ମ୍ୟାଚ୍‌ ଦେଖିବାକୁ ଚାତକ ପରି ଚାହିଁବସିଛନ୍ତି; କିନ୍ତୁ ବିସିସିଆଇ କି ଓସିଏର ଶୁଭଦୃଷ୍ଟି ପଡ଼ୁନି। ବିସିସିଆଇ ସ୍ବୀକୃତିପ୍ରାପ୍ତ ପ୍ରଥମ ଶ୍ରେଣୀ ଓ ଲିଷ୍ଟ୍‌ ଏ କ୍ରିକେଟ୍‌ ମ୍ୟାଚ୍‌ ଆୟୋଜନରେ ରାଉରକେଲା କ୍ରମାଗତ ଅବହେଳାର ଶିକାର ହେଉଛି। ପୂର୍ବରୁ ସ୍ଥାନୀୟ ସେକ୍ଟର-୬ସ୍ଥ ଇସ୍ପାତ ଷ୍ଟାଡିୟମରେ ଏକାଧିକ ରଣଜୀ ମ୍ୟାଚ୍‌, ଦଲୀପ ଟ୍ରଫି ମ୍ୟାଚ୍‌, ୧୯ ବର୍ଷରୁ କମ୍‌, ୧୬ ବର୍ଷରୁ କମ୍‌ ମ୍ୟାଚ୍‌ ଖେଳାଯାଇଥିଲା। ୧୯୪୯-୫୦ ରଣଜୀ ଋତୁରେ ଓଡ଼ିଶା ପଦାର୍ପଣ କରିବାର ବର୍ଷକ ପରେ ୧୯୫୦ରେ ପ୍ରଥମଥର ପାଇଁ ବାରବାଟୀ ଷ୍ଟାଡିୟମରେ ରଣଜୀ ମ୍ୟାଚ୍‌ ଖେଳାଯାଇଥିବାବେଳେ ୧୯୬୭ରେ ଦ୍ବିତୀୟ ସହରଭାବେ ବ୍ରହ୍ମପୁର ଓ ୧୯୬୯ରେ ତୃତୀୟ ସହରଭାବେ ରାଉରକେଲାରେ ମ୍ୟାଚ୍‌ ଆୟୋଜନ କରିଥିଲା। ୧୯୬୯ ଡିସେମ୍ବର ୩୦ ତାରିଖରେ ଏଠାରେ ପ୍ରଥମ ରଣଜୀ ମ୍ୟାଚ୍‌ ଖେଳାଯାଇଥିଲା। ଏତଦ୍‌ବ୍ୟତୀତ ୧୯୯୦ ମସିହାରେ ଏଠାରେ ୧୯ ବର୍ଷରୁ କମ୍‌ ଭାରତ-ପାକିସ୍ତାନ ଟେଷ୍ଟ୍‌ ମ୍ୟାଚ୍‌, ୧୯୯୧ ଓ ୧୯୯୪ ମସିହାରେ ପୂର୍ବାଞ୍ଚଳ ଓ ଦକ୍ଷିଣାଞ୍ଚଳ ମଧ୍ୟରେ ଦୁଇଟି ଦଲୀପ ଟ୍ରଫି ମ୍ୟାଚ୍‌ ଆୟୋଜିତ ହୋଇଥିଲା। ଏହି ଷ୍ଟାଡିୟମରେ ଶେଷଥର ପାଇଁ ୧୯୯୮ ଫେବୃଆରୀ ୨୩ ତାରିଖରେ ଓଡ଼ିଶା-କର୍ଣ୍ଣାଟକ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏଠାରେ ପ୍ରାୟ ୧୧ଟି ରଣଜୀ ମ୍ୟାଚ୍‌ ଖେଳାଯାଇଛି। ପ୍ରାୟ ୨୬ ବର୍ଷ ହେଲା ଏଠାରେ ରଣଜୀ ମ୍ୟାଚ୍‌ ଖେଳାଯାଉନାହିଁ; ଅପରପକ୍ଷରେ ଡ୍ରିମ୍‌ସ ପଡ଼ିଆ (ଟାଙ୍ଗୀ), ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ (ସମ୍ବଲପୁର), ଗାନ୍ଧୀ ଷ୍ଟାଡିୟମ (ବଲାଙ୍ଗୀର), କିଟ୍‌ କ୍ରିକେଟ୍ ଷ୍ଟାଡିୟମ୍‌ (ଭୁବନେଶ୍ବର), ପୂର୍ବତଟ ରେଳବାଇ ଷ୍ଟାଡିୟମ (ଭୁବନେଶ୍ବର), ବିକାଶ ଷ୍ଟାଡିୟମ୍‌ (ଭୁବନେଶ୍ବର), ବାଲେଶ୍ବର ପରମିଟ୍ ପଡ଼ିଆ, ବାରିପଦା ଆଦି ସ୍ଥାନରେ ମ୍ୟାଚ୍‌ ଖେଳାଯାଇଛି। ଉଲ୍ଲେଖଯୋଗ୍ୟ, ଇସ୍ପାତ ଷ୍ଟାଡିୟମ୍‌ ପଡ଼ିଆରେ ୨୦୦୭ ମସିହାରେ ୨୨ ବର୍ଷରୁ କମ୍‌ ଓଡ଼ିଶା-ଆସାମ ମ୍ୟାଚ୍‌ ଏବଂ ୨୦୧୬ ମସିହାରେ ୧୬ ବର୍ଷରୁ କମ୍‌ ଓଡ଼ିଶା-ଆସାମ ମ୍ୟାଚ ଖେଳାଯାଇଥିଲା।

    ରାଉରକେଲାରେ ଭାରତୀୟ କ୍ରିକେଟ୍‌ ଇତିହାସର ବହୁ ତାରକା ଖେଳାଳି ଖେଳିଛନ୍ତି। ୧୯୯୮ରେ ଅନୁଷ୍ଠିତ ରଣଜୀ ମ୍ୟାଚ୍‌ରେ କର୍ଣ୍ଣାଟକ ଦଳର ରାହୁଲ ଦ୍ରାବିଡ୍‌, ଅନୀଲ କୁମ୍ବଲେ, ଭେଙ୍କଟେଶ ପ୍ରସାଦ, ଡେଭିଡ୍‌ ଜନସନ, ସୁନୀଲ ଯୋଶୀ ପ୍ରମୁଖ ଏଠାରେ ମ୍ୟାଚ୍‌ ଖେଳିଥିଲେ। ୧୯୯୦ ମସିହାରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଭାରତ-ପାକିସ୍ତାନ ଟେଷ୍ଟ୍‌ ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ରଞ୍ଜୀବ ବିଶ୍ବାଳ ଓ ଉପଅଧିନାୟକ ଅଜୟ ଜାଡେଜା ଏବଂ ୧୯୯୧ ଓ ୧୯୯୪ ମସିହାରେ ପୂର୍ବାଞ୍ଚଳ-ଦକ୍ଷିଣାଞ୍ଚଳ ମଧ୍ୟରେ ଖେଳାଯାଇଥିବା ଦୁଇ ଦଲୀପ ଟ୍ରଫି ମ୍ୟାଚ୍‌ରେ ସଚିନ ତେନ୍ଦୁଲକର, ମହମ୍ମଦ ଆଝାରୁଦ୍ଦିନ, ରବି ଶାସ୍ତ୍ରୀ, ଦିଲୀପ ଭେଙ୍ଗସରକାର, କେ. ଶ୍ରୀକାନ୍ତ, ବିନୋଦ କାମ୍ବଲୀ, ଲାଲଚନ୍ଦ ରାଜପୁତ, କିରଣ ମୋରେ, ସୟଦ କିର୍ମାନୀ, ଡବ୍ଲ୍ୟୁ.ଭି. ରମଣ ପ୍ରମୁଖ ପଡ଼ିଆକୁ ଓହ୍ଲାଇଥିଲେ। ସଂପ୍ରତି ଏହି ପଡ଼ିଆରେ ବିସିସିଆଇ ନିୟମାନୁଯାୟୀ ଘାସଭର୍ତ୍ତି ସମତଳ ପଡ଼ିଆ, ଅଭ୍ୟାସ ପଡ଼ିଆ, ପୃଥକ୍‌ ଗ୍ରୀନ ରୁମ୍‌, ଡ୍ରେସିଂ ରୁମ୍‌, ମ୍ୟାଚ୍‌ ପରିଚାଳକ ଓ ନିରୀକ୍ଷକଙ୍କ ପାଇଁ ସ୍ବତନ୍ତ୍ର କୋଠରୀ ଆଦି ନାହିଁ। ତେବେ ଭିତ୍ତିଭୂମି ବିକାଶ ପାଇଁ ପର୍ଯ୍ୟାପ୍ତ ସମ୍ଭାବନା ଥିବାରୁ ଏ ଦିଗରେ ଉଭୟ ଆର୍‌ଏସ୍‌ପି-ବିସିଆଇ କର୍ତ୍ତୃପକ୍ଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଓଡ଼ିଶା କ୍ରିକେଟ୍ ସଂଘ ବାରବାଟୀର ନବକଳେବର ଯୋଜନା କରୁଥିବାବେଳେ ଏହି ୭ ଦଶନ୍ଧି ତଳର ଗୌରବ ରଖୁଥିବା ଷ୍ଟାଡିୟମ୍‌ ପ୍ରତି ବିଶେ‌ଷ ଧ୍ୟାନଦେବାର ବେଳ ଆସିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ